ଯାଜପୁର: ଜଙ୍ଗଲ ଜମିରେ କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ପ୍ରକାର ବ୍ୟକ୍ତିଗତ ମାଲିକାନାକୁ ଯାଇପାରିବ ନାହିଁ କିମ୍ବା ଅଣଜଙ୍ଗଲ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଉଭୟ ସୁପ୍ରୀମକୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶାନାମା ରହିଛି । ବନ ବିଭାଗ ନିଜର ପକ୍ଷ ନରଖିବା ଏବଂ କୋର୍ଟରେ ଜାଣିଶୁଣି ଠିକ ଭାବେ ଲଢେଇ ନକରିବାରୁ ଜଙ୍ଗଲ ଜମି ଉପରେ ଶିଳ୍ପପତି ରାଜୁତି କରିବା ପାଇଁ କୋର୍ଟ ନିର୍ଦ୍ଦେଶକୁ ଆୟୁଧ କରିଥିବା ଭଳି ବିଚିତ୍ର ଘଟଣା ଘଟିଛି । ବିନ ବିଭାଗ ରକ୍ଷକ ହୋଇ ଭକ୍ଷକ ସାଜିଥିବାରୁ କେତେକ ଶିଳ୍ପାନୁଷ୍ଠାନ ଜଙ୍ଗଲ ଜମିରେ ରାଜୁତି କରୁଛନ୍ତି ।
କଟକ ବନଖଣ୍ଡର ଡାଳିଯୋଡା ଫରେଷ୍ଟ ରେଞ୍ଜ ଗଡମଧୁପୁର ଫରେଷ୍ଟର କାର୍ଯ୍ୟାଳୟ ଅନ୍ତର୍ଗତ କାଲୁଣିଗଡା ନିକଟରେ ମହାଲାକୋକ ନାମକ ଏକ ଶିଳ୍ପ ଦୀର୍ଘ ୨୦ବର୍ଷ ହେଲା ୫୦ ଏକର ଜଙ୍ଗଲ ଜମି ଦଖଲ କରି ମାହାଲାକୋକ ନାମରେ ଶିଳ୍ପ ଚଲାଇଥିବା ବେଳେ କାରଖାନା ତରଫରୁ ଏଠାରେ ୧୯.୩୦୦ ଏକର ଜମି ଉପରେ ମାଲିକାନା ଥିବାର ଦର୍ଶାଯାଉଛି । ତେବେ ଏଥିନେଇ ଅଭିଯୋଗ ହେବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଯାଇ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ କାରଖାନା ତରଫରୁ ଯାଜପୁର ସିନୟର ସିଭିଲ ଜଜଙ୍କ ନିକଟରେ ଏକ କେସ କରାଯାଇ ଥିଲା । ଏହି ସଲାସୁତରା ଅନୁସାରେ ସାବକ ଏବଂ ହାଲ ରେକର୍ଡ ଅନୁସାରେ ଏହି ଜମି ଜଙ୍ଗଲ କିସମ ହୋଇଥିଲେ ବି ଏହି ଜମିକୁ କେତେକ ବ୍ୟକ୍ତିଙ୍କ ଠାରୁ ସେଲ ଡିଡ ନଂବର-୧୧୯୭ ତା୫.୫.୧୪ ରିଖରେ କାରଖାନା ମାଲିକ କିଣିଥିବାର ଚୁକ୍ତି କରିଥିଲେ ।
ତେବେ ଜମି ଜଙ୍ଗଲ କିସମ ହୋଇଥିଲେ ବି ଜଙ୍ଗଲ ବିଭାଗ ତରଫରୁ ଏଥିନେଇ କୌଣସି ଆପତ୍ତି କୋର୍ଟରେ ଉଠାଇ ନଥିଲେ । ଜଙ୍ଗଲ ବିଭାଗକୁ କୋର୍ଟ ତରଫରୁ ବିଚାର ବେଳେ କୌଣସି ନୋଟିସ କରାଯାଇ ନାହିଁ । ଯାଜପୁର ଜିଲ୍ଲାପାଳ ଏବଂ ଧର୍ମଶାଳା ତହସିଲଙ୍କୁ ଏହି କେସରେ କାରଖାନା ମାଲିକଙ୍କ ତରଫରୁ ଅପୋଜିଟ ପାର୍ଟି କରାଯାଇ ଥିବା ବେଳେ ଉଭୟ ଜିଲ୍ଲାପାଳ, ତହସିଲଦାର ଏବଂ ସରକାରଙ୍କ ତରଫରୁ ଏହି କେସ ଲଢୁଥିବା ସରକାରୀ ଓକିଲ ଶ୍ରୀ ପି.କେ.ସାହୁ ଏଥିନେଇ ନୀରବତା ଅବଲମ୍ବନ କରିବା ମଧ୍ୟ ଆଶ୍ଚର୍ଯ୍ୟଜନକ । ସାବକରେ ଜଙ୍ଗଲ ଥିବା ଜମି ବ୍ୟକ୍ତିଗତ ମାଲିକାନାକୁ ଯିବା ବେଆଇନ । ହେଲେ ଏହି ବେଆଇନ କାର୍ଯ୍ୟ ନେଇ ଧରପଗଡ କରାଗଲା ନାହିଁ କିମ୍ବା ସରକାରୀ ଓକିଲ ଓ ସରକାର ଏଥିନେଇ ବଳିଷ୍ଠ ଯୁକ୍ତି ଉପସ୍ଥାପନ କଲେନାହିଁ । ଯଦି ବି କରିଥାନ୍ତେ ତେବେ କୋର୍ଟ ଏହି ଦିଗକୁ ମଧ୍ୟ ବିଚାରକୁ ନେଇଥାନ୍ତେ । ତେବେ ଜଙ୍ଗଲ ଜମିରେ ବେଆଇନ ଶିଳ୍ପ ଚାଲିବା ନେଇ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ମୁକ୍ତି ପାଇବା ପାଇଁ ଏହା କରାଯାଇ ଥିଲା ।
ତେବେ ପରବର୍ତ୍ତି ଅବସ୍ଥାରେ ଏଥିନେଇ ବାରମ୍ବାର ଅଭିଯୋଗ ପରେ ଜଙ୍ଗଲ ଓ ପରିବେଶ ବିଭାଗ ପତ୍ରସଂଖ୍ୟା-୨୧୩୫୬ ତା୦୩.୧୦.୧୮ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କଟକ ବନଖଣ୍ଡ ଅଧିକାରୀ (ଡି.ଏଫ.ଓ) ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଅନୁଗୁଳ ତାଙ୍କର ଜ୍ଞାପକ ସଂଖ୍ୟା-୬୧୪୨ ତା୧୯.୧୧.୧୮ ରିଖରେ କଟକ ବନଖଣ୍ଡ ଅଧିକାରୀଙ୍କର ଜ୍ଞାପକ ସଂଖ୍ୟା –୧୦୦୫୦ ତା୧୫.୧୧.୧୮ ରିଖ ଓ ତାର ସଂଲଗ୍ନକୁ ସଂଲଗ୍ନ କରି ଏ ସମ୍ବନ୍ଧୀୟ ଅନୁସନ୍ଧାନ ବିବରଣୀ ପ୍ରଦାନ କରିଛନ୍ତି । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଅନୁଗୁଳଙ୍କର ଜ୍ଞାପକ ସଂଖ୍ୟା ୬୧୪୨ ତା୧୯.୧୧.୧୮ ରିଖରେ ଦର୍ଶଗଲା ଯେ, କାରଖାନାଟି ଉକ୍ତ ଜମି ଉପରେ କୋର୍ଟରୁ ରହିତାଦେଶ ଆଣିଥିବାର ଉଲ୍ଲେଖ କରିଥିଲେ । କାରଖାନାଟି ଜଙ୍ଗଲ କିସମ ଜମି ଉପରେ ଥିବାର ମଧ୍ୟ ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ ।
ଏଠାରେ ପ୍ରଶ୍ନ ଉଠେ ଯେ, ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ତରଫରୁ ଏଥିନେଇ ବନ ବିଭାଗକୁ ଜଣାଗଲା ନାହିଁ । ତେବେ ଏହି ପତ୍ର ଅନୁସାରେ ଜଙ୍ଗଲ କିସମ ଜମି ଉପରେ କୋର୍ଟ ଆଦେଶ ବଳରେ ଗୋଟିଏ କାରଖାନା ଚାଲିଥିବାର ଜାଣିବା ପରେ ବି ବନ ବିଭାଗ କୋର୍ଟରେ ଏହି କେସ ନେଇ ନିଜର ପକ୍ଷ ନରଖି ଚୁପ ରହିଛି । ସମୁଦାୟ ଘଟଣା ବନ ବିଭାଗ ଜ୍ଞାତସାରରେ ଏବଂ ସଲାସୁତରାରେ କରାଯାଇଛି । କୋର୍ଟକୁ ବନ ବିଭାଗ ଏବଂ ସରକାରୀ କଳ ଅନ୍ଧାରରେ ରଖି ସରକାରୀ କା ମାଲ ଦରିଆ ମେ ଦାଲ ନୀତିରେ କାରଖାନା ମାଲିକଙ୍କ ସପକ୍ଷରେ କୋର୍ଟ ରାୟ ପାଇଁ ରାସ୍ତା ସଫା କରିଛନ୍ତି । ତେବେ ରାଜସ୍ୱ ବିଭାଗ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ୱାଳ ଅନୁରୋଧ କରିବାର ଦୀର୍ଘଦିନ ପରେ ବି ଏଥିନେଇ ରାଜସ୍ୱ ବିଭାଗ ମଧ୍ୟ ଚୁପ ହୋି ବସିଛି । ଏଥିନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ ସହ ଗ୍ରୀନ ଟ୍ରିବୁନାଲରେ ଅଭିଯୋଗ କରାଯିବ ବୋଲି ପରିବେଶବିତଙ୍କ ଠାରୁ ପ୍ରକାଶ । ତେବେ କାରଖାନା ମାଲିକଙ୍କ ନିକଟରେ ହାରିବାକୁ ବନ ବିଭାଗ ଓ ରାଜସ୍ୱ ବିଭାଗର ଫିକ୍ସିଂ ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।