Tue. Dec 24th, 2024

ଯାଜପୁର ଜିଲ୍ଲାରେ ପ୍ରଶାସନିକ ଏନକ୍ଲେଭ ଉଦ୍ୟମ : ସରକାରୀ ଅର୍ଥର ଦୁରୁପଯୋଗ ଅଭିଯୋଗ 

By amfnews Aug 22, 2018 #Featured
258 Views

ଯାଜପୁର ୨୨.୮  ଯାଜପୁର ସଦର ମହକୁମାରେ ଥିବା କୁସୁମାର ଅପରପାଶ୍ୱର୍ ଅଂଚଳ ଶିତଳେଶ୍ୱର ମୌଜାରେ ପ୍ରଶାସନିକ ଏନକ୍ଲେଭ ବା ପ୍ରଶାସନିକ ଭବନ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ହେଲେ ନୂତନ ସ୍ଥାନକୁ ସମସ୍ତ କାର୍ଯ୍ୟାଳୟ ସ୍ଥାନାନ୍ତର ହେବାର ଯୋଜନା ଥିବା ବେଳେ ପୁରୁଣା କାର୍ଯ୍ୟାଳୟ ନିର୍ମାଣରେ ବ୍ୟାପକ ଅର୍ଥ ବ୍ୟୟ କରାଯାଇ ସରକାରୀ ଅର୍ଥର ଦୁରୁପଯୋଗ କରାଯାଉଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହୋଇ ଘୋର ଉଦବେଗ ପ୍ରକାଶ ପାଉଛି । ଏହି ନୂତନ ପ୍ରଶାସନିକ ଭବନ ପ୍ରକଳ୍ପ ନିର୍ମାଣ ପାଇଁ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମିଅଧିଗ୍ରହଣ ନିମନ୍ତେ ସତ୍ୱାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା ।

୩୦ତାରିଖ ସୁଧା ସିଧାସଳଖ ଜମିସତ୍ୱାଧିକାରୀଙ୍କ ଠାରୁ କ୍ରୟ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ୟଥା ଜମିଅଧିଗ୍ରହଣ ପାଇଁ ସେପ୍ଟେମ୍ବର ୧୫ରୁ ପ୍ରଶାସନ ପକ୍ଷରୁ ନିୟମିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁଷ୍ଠିତ ଏହି ବୈଠକରେ ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଆହ୍ୱାନ କ୍ରମେ ଜମି ସତ୍ୱାଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ । ଏଠାରେ ସମସ୍ତ ସରକାରୀ ଅଫିସ, ଶିଳ୍ପକାର୍ଯ୍ୟାଳୟ, ସରକାରୀ ଅଧିସିକୃତକାର୍ଯ୍ୟାଳୟ, ସାଟେଲାଇଟ୍ କାର୍ଯ୍ୟାଳୟ ଆଦି ସମସ୍ତ କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ରହି ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ ଏହା ଉଦ୍ଧିଷ୍ଟ ବୋଲି ସୂଚନା ଦିଆଯାଇଥିଲା ।

ସେହିପରି କର୍ମଚାରୀ ଓ ସାଧାରଣ ଲୋକମାନଙ୍କ ଚିତବିନୋଦନ କେନ୍ଦ୍ର, ପାର୍କ ଇତ୍ୟାଦି ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜମି ହରାଉଥିବା କ୍ଷତିଗ୍ରସ୍ଥ ପରିବାରମାନଙ୍କୁ ସରକାରୀ ସାହାଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରାୟ ୩୮ଏକର ଜମି ଉପରେ ପ୍ରସ୍ଥାବିତ ଏହି ମିନିସଚିବାଳୟ ପ୍ରତିଷ୍ଠା କରାଯିବ । ସେଥିପାଇଁ ସତ୍ୱାଧିକାରୀଙ୍କ ଠାରୁ ପ୍ରତ୍ୟକ୍ଷ ଖର୍ଦ୍ଧି ବିକ୍ରୟ ମାଧ୍ୟମରେ ଅଧିଗ୍ରହଣ କରି ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ଜମି ହରାଉଥିବା ବ୍ୟକ୍ତିବିଶେଷ ସେମାନଙ୍କର ସମସ୍ୟା ଏହି ବୈଠକରେ ଉପସ୍ଥାପନ କରିଥିଲେ । କିସମ ଅନୁସାରେ ମୁଲ୍ୟ ଧାର୍ଯ୍ୟକରାଯାଇଛି ।

ଯଦି କେହି ଅସନ୍ତୁଷ୍ଟ ହୁଅନ୍ତି ତେବେ ଆରବିଟାରୀ କେସ ମାଧ୍ୟମରେ ସେମାନଙ୍କର ହକହାସଲ କରିବେ ବୋଲି ସୂଚନା ଦିଆଯାଇଥିଲା । କେତେକ ଦୋକାନୀ ସେମାନଙ୍କର ଜୀବିକା ହରାଉଥିବା ନେଇ ଏହି ବୈଠକରେ ମତ ପ୍ରକାଶ କରାଯାଇଥିଲା । ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି । ଏହିବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ସବରେଜିଷ୍ଟର , ଭୂଅର୍ଜନ ଅଧିକାରୀ , ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଏଭଳି ଏକ ଯୋଜନା ଥିବା ବେଳେ ପୁରୁଣା କୋଠାକୁ ନୂତନ ଭାବେ ନିର୍ମାଣ କରାଯିବା ଏବଂ ଏଥିନେଇ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କୁ ଅବଗତ କରାନଯିବା ମଧ୍ୟ ସରକାରୀ ଅର୍ଥର ଉପଯୋଗୀତା ନେଇ ପ୍ରଶାସନର ଆନ୍ତରିକତା ଅଭାବର ସଂକେତ ହୋଇଛି । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ନେଇ ଟେଣ୍ଡର ନହେବା ସହ ବିଭିନ୍ନ ପ୍ରକାର ଅନିୟମିତତା ନେଇ ମଧ୍ୟ ଅଭିଯୋଗ ହୋଇ ଆସୁଛି ।

By amfnews

Related Post