Wed. May 14th, 2025

ମୌସୁମୀ ଛୁଇଁଲା, କିନ୍ତୁ ପ୍ରବଳ ବର୍ଷା ସମ୍ଭାବନା ନାହିଁ

By amfnews Jun 23, 2019 #Featured
141 Views

ଭୁବନେଶ୍ୱର : ଗତକାଲି ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁଥିଲା। ହେଲେ ଆରମ୍ଭରୁ ହିଁ ବର୍ଷାର ପରିମାଣ କମିଛି। ସେହିଭଳି ଆସନ୍ତା ଦୁଇ ଦିନ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିବା ସହ ଟ୍ରପ୍ ଲାଇନ୍‌ ଦେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ବର୍ଷାର ପରିମାଣ କମିଛି। ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ, ବିଶେଷ କରି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ଫୁଲବାଣୀ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ଏହାର ପରିମାଣ କମ୍ ରହିବ। ସେହିଭଳି ଆଗାମୀ ଦୁଇ ଦିନ ଯାଏ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ଏହାପରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଏନେଇ ପାଣିପାଗ ବିଶେଷଜ୍ଞ ଏଲ୍‌.ଡି.ମହାପାତ୍ର କହିଛନ୍ତି,“ଗତକାଲି ପୂରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁଛି। ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଏବେ ଛତିଶଗଡ଼ ଓ ତାର ପାଖ ଅଞ୍ଚଳରେ ରହିଛି। ତେବେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭବାନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ହୋଇପାରେ। ବର୍ତ୍ତମାନ ସୁଦ୍ଧା ତାଳଚେରରେ ୨୨ ମିଲିମିଟିର ବର୍ଷା ହୋଇଛି। ଅନେକ ଜାଗାରେ ୧୦ରୁ ୧୨ ମିଲିମିଟିର ଭିତରେ ବର୍ଷା ହୋଇଛି।”

By amfnews

Related Post