Sun. Mar 8th, 2026

ମେଲୋଡି ବେଳେ ଗୁଳିମାଡ଼ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

240 Views

ସାଲେପୁର , ନଭେମ୍ବର ୨୨  : ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଗତକାଲି ରାତିରେ ମେଲୋଡି ଚାଲିଥିବା ବେଳେ ଗୁଳିମାଡ଼ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିତ୍ୟାନନ୍ଦ ମଲ୍ଲିକ। ତାଙ୍କ ପେଟରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଘର ବନମାଳିପୁର ଗାଁରେ।

ଆଉ ଦୁଇ ଜଣ ଆହତ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଭୋଳ ଗାଁର ଉତ୍ତମ ଦାସ ଓ ରଘୁନାଥ ମଲ୍ଲିକ। ଉତ୍ତମଙ୍କ ଅଣ୍ଟା ତଳକୁ ଗୁଳି ବାଜିଛି। ସେହିପରି ରଘୁନାଥଙ୍କ ଜଙ୍ଘରେ ଗୁଳି ବାଜିଛି।

ଏହି ଘଟଣାରେ ଘଟଣାସ୍ଥଳରେ ସେକ୍ ଇମ୍ରାନ୍ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ବେକରେ ଗୁଳି ବାଜିଥିଲା। ଗୁଳି ମାରିଥିବା ବ୍ୟକ୍ତି ଓ ସେକ୍‌ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ାର କାରଣ ବୁଝିବାକୁ ନିତ୍ୟାନନ୍ଦ, ଉତ୍ତମ ଓ ରଘୁନାଥଙ୍କ ସହ କିଛି ଲୋକ ସେମାନଙ୍କ ଆଡ଼କୁ ଯାଉଥିବା ବେଳେ ଦୁର୍ବୃତ୍ତ ସେକ୍‌ଙ୍କୁ ଗୁଳି କରିଥିଲା। ତା’ପରେ ସେ ଘଟଣାସ୍ଥଳ ଆଡ଼କୁ ଆସୁଥିବା ଲୋକଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ଫଳରେ ନିତ୍ୟାନନ୍ଦ ଓ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ।

ଗୁଳିକାଣ୍ଡପରେ ଲୋକମାନେ ଇତଃସ୍ତତ ହୋଇ ଦୌଡ଼ାଦୌଡ଼ି କରି ସେଠାରୁ ପଳାଇ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ଜଣକ ଖସି ପଳାଇ ଯାଇଥିବା ପୁଲିସ୍ କହିଛି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

 

By amfnews

Related Post