Sun. Mar 8th, 2026

ମୁଖ୍ୟ ଶାସନ ସଚିବଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

176 Views

ଭୁବନେଶ୍ବର : ସେବା ପାଇବା ଜନସାଧାରଣଙ୍କ ନ୍ୟାୟସଙ୍ଗତ ଅଧିକାର। ସରକାରୀ ଅଧିକାରୀ ଓ କର୍ମଚାରୀ ସର୍ବଦା ଏକ ସାଧାରଣ ସେବକର ମନୋଭାବ ରଖି ନିରପେକ୍ଷ ସେବା ଯୋଗାଇବାରେ ବ୍ରତୀ ହେବା ଦରକାର। ଏହା ହେଲେ ସରକାରୀ ଚାକିରିରେ ଆଦର ଓ ପ୍ରତିଷ୍ଠା ମିଳିବ। ଆଜି ଲୋକସେବା ଭବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଏହି କଥା କହିଛନ୍ତି ଶ୍ରୀ ପାଢ଼ୀ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷତା କରି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଥିଲେ, ନିଷ୍ଠାପର ସେବା, ନ୍ୟାୟ, ନିରପେକ୍ଷତା ଏବଂ ନମ୍ରତାର ମାଇଲ ଖୁଣ୍ଟ ହେଉଛନ୍ତି ଶ୍ରୀ ପାଢୀ। ତାଙ୍କର ପ୍ରତିଟି କାର୍ଯ୍ୟ ପଛରେ ଏହି ସମସ୍ତ ମୂଲ୍ୟବୋଧ ନିହିତ ରହିଛି। ଜଣେ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କଠାରୁ ସେ ଏହି ଗୁଣ ସବୁ ଶିଖିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଦିଲ୍ଲୀପ ରାଉତରାୟ କହିଥିଲେ, ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସମସ୍ୟା ସମ୍ମୁଖରେ ସ୍ଥିତପ୍ରଜ୍ଞ ଭାବେ ସଠିକ ନିଷ୍ପତ୍ତି ନେବା ସହ ସମାଧାନ ପାଇଁ ସର୍ବଦା ଉଚିତ୍ ମାର୍ଗଦର୍ଶନ କରିଆସିଛନ୍ତି। ପ୍ରଶାସନ ମୁଖ୍ୟ ଭାବେ ପଦାଧିକାରୀମାନଙ୍କୁ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଦେଇ ରାଜ୍ୟ ପାଇଁ ବିଭିନ୍ନ ସଫଳତା ହାସଲ କରିଛନ୍ତି।

ଏହି ଅବସରରେ ଗଣମାଧ୍ୟମର ପ୍ରଶ୍ନରେ ଶ୍ରୀ ପାଢ଼ୀ କହିଥିଲେ, ମୁଖ୍ୟ ଶାସନ ସଚିବ ଭାବେ ବିଭିନ୍ନ ଯୋଜନାର ସଠିକ୍ କାର୍ଯ୍ୟାନ୍ବୟନ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ବିଗତ ବର୍ଷମାନଙ୍କରେ ରାଜ୍ୟରେ ବିକାଶଧାରା ତ୍ବାରାନ୍ବିତ ହୋଇଛି। ଆଗାମୀ ବର୍ଷମାନଙ୍କରେ ଏହି ଧାରା ମଧ୍ୟ ଅବ୍ୟାହତ ରହିବ। ଭାରତୀୟ ତୈଳ ନିଗମ ସହ ରାଜସ୍ବ ମୀମାଂସା ତାଙ୍କ ପାଇଁ ଏକ ସ୍ମରଣୀୟ ଘଟଣା ବୋଲି ଶ୍ରୀ ପାଢ଼ୀ କହିଥିଲେ। ଏହି ବୁଝାମଣା ଫଳରେ ଉଭୟ ତୈଳ ନିଗମ ଏବଂ ରାଜ୍ୟ ସରକାର ଉପକୃତ ହୋଇଛନ୍ତି। ଆସନ୍ତା ୫ ବର୍ଷ ପାଇଁ ରାଜ୍ୟ ନିର୍ବାଚନ କମିସନର ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଦାୟିତ୍ବକୁ ସେ ସଫଳତାର ସହ ନିର୍ବାହ କରିବେ ବୋଲି ଶ୍ରୀ ପାଢ଼ୀ କହିଥିଲେ।

ବିଦାୟକାଳୀନ ସଭାରେ ସାଧାରଣ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀ ଓ ଓଡ଼ିଶା ରାଜ୍ୟ ସଚିବାଳୟ ସେବା ସଂଘ ପକ୍ଷରୁ ଶ୍ରୀ ପାଢ଼ୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

By amfnews

Related Post