Sun. Mar 8th, 2026

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ ଭିନିଲକ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମାଓବାଦୀ ଦାମୋଦର ଓ ତାଙ୍କର ପତ୍ନୀ ଗିରଫ

220 Views

ମାଲକାନଗିରି: ଆନ୍ଧ୍ର ପୁଲିସଦ୍ବାରା କୁଖ୍ୟାତ ମାଓବାଦୀ ଦମ୍ପତି ଗିରଫ ହୋଇଥିବା ଜଣାଯାଇଛି । ପୂର୍ବତନ ଜିଲ୍ଲାପାଳ ଭିନିଲ ଭିନିଲକ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଖଳନାୟକ ବୋଲି କୁହାଯାଉଥିବା ବେଳମ୍ ନାରାୟଣ ସ୍ୱାମୀ ଓରଫ ଦାମୋଦର ଏବଂ ତାଙ୍କ ପତ୍ନୀ ଫୁଲବତୀଙ୍କୁ ଗିରଫ କରିଛି ଆନ୍ଧ୍ର ପୁଲିସ । ଦାମୋଦର ମାଲେରିଆ ଜ୍ୱରରେ ପୀଡ଼ିତ ଥିବାବେଳେ ଆନ୍ଧ୍ର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁରେ ଚିକିତ୍ସିତ ହେଉଥିଲେ । ତେବେ ଗୁଇନ୍ଦା ତଥ୍ୟକୁ ଆଧାର କରି ଦାମୋଦର ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଆନ୍ଧ୍ର ପୁଲିସ ।

ସୂଚନାଯୋଗ୍ୟ, ପ୍ରାୟ ୨୦ ବର୍ଷ ଧରି ଦାମୋଦର ମାଲକାନଗିରି ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଥିବାବେଳେ ମାଲକାନଗିରି ଜିଲ୍ଲାର ମାଓବାଦୀ ଡିଭିଜନ କମିଟି ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ୨୦୦୮ ଚିତ୍ରକୋଣ୍ଡା ଜଳଭଣ୍ଡାର ସ୍ଥିତ ଆଲମପାକା ଲଞ୍ଚ୍ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ୨୦୧୨ ବିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ଆକ୍ରମଣ କରି ହତ୍ୟା, ୨୦୦୮ କାଲିମେଳା ତେଲରାଇ ଆକ୍ରମଣରେ ୧୬ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା ଭଳି ବହୁ ଜଘନ୍ୟ ଅପରାଧରେ ଜଡ଼ିତ ଥିଲେ ଦାମୋଦର । ତାଙ୍କ ନାମରେ ୧୦୦ରୁ ଅଧିକ ମାମଲା ରହିଛି।

ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲେ ଦାମୋଦର । ତାଙ୍କ ନାଁରେ କେବଳ ଓଡ଼ିଶାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦାମୋଦର ଓ ତାଙ୍କ ପତ୍ନୀ ସ୍ୱାଭିମାନ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ଏହି ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଗିରଫ ପରେ ମାଲକାନଗିରି ପୁଲିସ ଉଭୟଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି । ଓଡ଼ିଶା ପୁଲିସ ଦାମୋଦରଙ୍କୁ ୨୦୧୧ରୁ ଖୋଜୁଥିଲା ବୋଲି ଜଣାଯାଇଛି।

By amfnews

Related Post