Sun. Mar 8th, 2026

ମହୁଲଡିହାରେ ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ : ସ୍ବାମୀଙ୍କ ବେକ କାଟି ହତ୍ୟା, ପତ୍ନୀଙ୍କ ପାପୁଲି କାଟିନେଲେ

274 Views

ଠାକୁରମୁଣ୍ତା : ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ଗ୍ରାମ ହାଟସାହିରେ ଗତ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଅତି ନୃଶଂସ ଭାବେ ଜଣେ ବୃଦ୍ଧଙ୍କ ବେକ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତମାନେ। କେବଳ ଏତିକି ନୁହେଁ, ସେମାନେ ତାଙ୍କ ପତ୍ନୀଙ୍କ ପାପୁଲି କାଟି ନେଇଛନ୍ତି। ମୃତ ବୃଦ୍ଧ ଜଣକ ହେଉଛନ୍ତି ଗାଁର ବରଜ ସଏ(୬୫)। ଗୁରୁତର ଆହତ ହୋଇଥିବା ତାଙ୍କ ପତ୍ନୀ ସାଗି ସଏ(୫୫) ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଘଟଣାର ତନାଘନା କରୁଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ଟେର୍‌ ପାଇନି। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନେ କିଏ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ପୁଲିସ ତନାଘନା ଜାରି ରଖିଛି।

ସାଗିଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ସେ ଖାଇପିଇ ସ୍ବାମୀ ବରଜଙ୍କ ସହିତ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ୩ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ଧରି ଘରେ ପଶିଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଅଚାନକ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ। ଗୋଡ଼ହାତ ଧରି ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ ଛାଡ଼ି ନଥିଲେ। ତାଙ୍କ ଆଖି ଆଗରେ ସ୍ବାମୀ ବରଜଙ୍କ ବେକକୁ ସେମାନେ କାଟି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏତିକି‌ରେ ଦୁର୍ବୃତ୍ତମାନେ ଥମି ନଥିଲେ। ସେମାନେ ସାଗିଙ୍କ ହାତ ପାପୁଲିକୁ କାଟି ଦେଇଥିଲେ। ଭିଡ଼ାଭିଡ଼ି ଭିତରେ ସାଗିଙ୍କ କାନ ମଧ୍ୟ କଟି ଯାଇଥିଲା। ରାତି ହୋଇଥିବାରୁ ଦୁର୍ବୃତ୍ତମାନଙ୍କୁ ସେ ଚିହ୍ନି ପାରି ନଥିବା ସାଗି କହିଥିଲେ। ତେବେ ବୃଦ୍ଧ ଦମ୍ପତିଙ୍କ ୨ ପୁଅ ସିଲାୟ ଓ ରାମ ଯାଜପୁରରେ ରହି କାମ କରୁଛନ୍ତି। ସେମାନଙ୍କ ପାଖରେ କେହି ନଥିବାରୁ ରାତିସାରା ସାଗି ଘରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତେବେ ଶୁକ୍ରବାର ଖବରପାଇ ଦିନ ୧୦ଟା ବେଳେ ମହୁଲଡିହା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବରଜଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥି‌ଲା। ସାଗିଙ୍କୁ ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ମେଡିକାଲକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ମହୁଲଡିହା ଥାନା କେସ ନ˚.୧୯/୧୯ ମାମଲା ରୁଜୁ ହୋଇଛି।

ଆଜି ଏସଡିପିଓ ନାରାୟଣ ନାୟକ ଓ ଅତିରିକ୍ତ ଏସ୍‌ପି ଅଶୋକ କୁମାର ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ଅନୁସନ୍ଧାନ କରିଛନ୍ତି। ମହୁଲଡିହା ଥାନାଧିକାରୀ ସଂଜୟ କୁମାର ପ୍ରଧାନ ଘଟଣାର ତଦନ୍ତ କରୁଥିବା ବେଳେ ତାଙ୍କୁ ଠାକୁରମୁଣ୍ତା ଥାନାଧିକାରୀ ଧିରେଶ କୁମାର ଦାସ ସହଯୋଗ କରୁଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନି। ରାତିରେ ଦୁର୍ବୃତ୍ତମାନେ ଏମିତି କାଣ୍ଡ ଘଟାଉଥିବା ବେଳେ ପଡ଼ୋଶୀମାନେ ଏହା କେମିତି ଜାଣି ପାରିଲେନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାପଛରେ ଡାଆଣୀ ସନ୍ଦେହ ନା ଜମିବାଡ଼ି ବିବାଦ ରହିଛି, ତାକୁ ନେଇ ବି ଚର୍ଚ୍ଚା ଚାଲିଛି।

By amfnews

Related Post