Fri. Mar 6th, 2026

ଭାରତର ଏକମାତ୍ର ‘ସମୁଦ୍ର ନଡ଼ିଆ’ ଗଛରୁ ମଞ୍ଜି ତୋଳିଲେ ଉଦ୍ଭିଦ ବିଜ୍ଞାନୀ

220 Views

କୋଲକାତା : ସ୍ଥାନୀୟ ‘ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ଇଣ୍ଡିଆନ୍‌ ବଟାନିକ୍‌ ଗାର୍ଡେନ୍‌’ରେ ଥିବା ୧୨୫ ବର୍ଷର ଏକମାତ୍ର ‘ସମୁଦ୍ର ନଡ଼ିଆ’ ବା ‘ଯାଉଁଳି ନଡ଼ିଆ’ ଗଛରୁ ଭାରତୀୟ ଉଦ୍ଭିଦ ବିଜ୍ଞାନୀମାନେ ଦୁଇଟି ସୁସ୍ଥ ମଞ୍ଜି ତୋଳିବାରେ ସଫଳ ହୋଇଛନ୍ତି।

ସଂଗୃହୀତ ଦୁଇଟି ମଞ୍ଜିରୁ ଗୋଟିକର ଓଜନ ୮. ୫ କିଲୋ ହୋଇଥିବା ବେଳେ ଅନ୍ୟଟିର ଓଜନ ୧୮ କିଲୋ। ପ୍ରଥମ ମଞ୍ଜିଟି ଫେବ୍ରୁଆରି ୧୫ ତାରିଖରେ ଓ ଦ୍ୱିତୀୟ ମଞ୍ଜିଟି ଫେବ୍ରୁଆରି ୨୬ ତାରିଖରେ ତୋଳାଯାଇଥିଲା।

ଚୋରି ହେବାର ଭୟ ଥିବାରୁ ଏହି ମଞ୍ଜି ଦୁଇଟିକୁ ବଟାନିକ୍‌ ଗାର୍ଡେନର ଏକ ଗୁପ୍ତ ସ୍ଥାନରେ ରଖାଯାଇଛି। କେବଳ ତିନିଜଣ ବ୍ୟକ୍ତିଙ୍କୁ ଏହି ଗୁପ୍ତ ସ୍ଥାନ ବିଷୟରେ ଅବଗତ ଅଛନ୍ତି। ସେମାନେ ହେଉଛନ୍ତି ‘ବଟାନିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ’ର ନିର୍ଦେଶକ, ବଟାନିକ୍‌ ଗାର୍ଡେନ୍‌ର ନିର୍ଦେଶକ ଏବଂ ଜଣେ ବୈଜ୍ଞାନିକ।

‘ବଟାନିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ’ର ନିର୍ଦେଶକ ଆଶିଶୋ ଆସୋସାଇ ମାଓ କହନ୍ତି ଯେ ଏହା ଗୋଟାଏ ବଡ଼ ସମସ୍ୟାର ସମାଧାନ। ଏହା ହେଉଛି ଭାରତରେ ଏଇ ପ୍ରଜାତିର ଏକମାତ୍ର ଗଛ। ଯଦି ସେ ଗଛଟି କୌଣସି ରୋଗରେ ଆକ୍ରାନ୍ତ ହୋଇ ମରି ଯାଇଥାଆନ୍ତା, ତେବେ ମଞ୍ଜି ସଂଗ୍ରହ କରି ହୋଇ ନ ଥାନ୍ତା। ଦେଶ ଚିର ଦିନ ପାଇଁ ତା’ର ଏକମାତ୍ର ’ଯାଉଁଳି ନଡ଼ିଆ’ ଗଛ ହରାଇ ଥାଆନ୍ତା। ଏବେ ଗଛ ଓ ତା’ର ଦୁଇଟି ମଞ୍ଜି ଠିକ୍‌ଠାକ୍‌ ଅଛନ୍ତି।

ବଟାନିକାଲ୍‌ ଗାର୍ଡେନ୍‌ରେ ଥିବା ଏହି ଏକମାତ୍ର ମାଈ ‘ଯାଉଁଳି ନଡ଼ିଆ’ ଗଛରୁ ନୂଆ ଗଛ ସୃଷ୍ଟି କରିବାକୁ ୨୦୦୬ରୁ ଉଦ୍ୟମ କରାଯାଉଥିଲା। ସେତେବେଳେ ସେ ଗଛକୁ ୯୪ ବର୍ଷ ହୋଇଥିଲା। ସେ ଗଛରେ ପରାଗଯୋଗ କରିବାକୁ ଶ୍ରୀଲଙ୍କାର ରୟାଲ୍‌ ବଟାନିକ୍‌ ଗାର୍ଡେନ୍‌ରେ ଥିବା ଅଣ୍ଡିରା ଗଛରୁ କେଶର ଅଣାଯାଇଥିଲା। କିନ୍ତୁ, ଏହାଦ୍ୱାରା ଫଳ ଧରି ନ ଥିଲା। ପୁଣି ଥରେ ୨୦୧୩ ମସିହାରେ ଥାଇଲାଣ୍ଡ୍‌ରୁ ପୁଂକେଶର ଅଣାଯାଇ ପରାଗଯୋଗ କରାଯାଇଥିଲା। ଏହି ଉଦ୍ୟମ ସଫଳ ହୋଇଥିଲେ ବି ଗଛକୁ କବକ ଆକ୍ରମଣ କରିଥିଲା। ତେଣୁ ଗଛଟିକୁ ବଟାନିକାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ରଖାଯାଇଥିଲା। ଅର୍ଥାତ୍‌ ଗଛଟି ଉଦ୍ଭିଦ ବିଜ୍ଞାନୀଙ୍କ ତତ୍ତ୍ୱାବଧାନରେ ଥିଲା।

ଛଅ ବର୍ଷରୁ ଅଧିକ କାଳ ଉଦ୍ୟମ କରିବା ପରେ ବୈଜ୍ଞାନିକମାନେ ସେଥିରୁ ସୁସ୍ଥ ମଞ୍ଜି ସଂଗ୍ରହ କରିବାରେ ସଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ଏହି ଗଛଟିକୁ ଇଂରେଜମାନେ ଏଠାରେ ରୋପଣ କରିଥିଲେ।

By amfnews

Related Post