Wed. May 21st, 2025

ବଡ଼ଦିନରୁ ନୂଆବର୍ଷ ଯାଏ ରାଜ୍ୟରେ ଲାଗିରହିବ କୋହଲା ପାଗ

By amfnews Dec 24, 2019 #Featured
156 Views

ଭୁବନେଶ୍ବର : ବଡ଼ଦିନରୁ ନୂଆବର୍ଷ ଯାଏ ରାଜ୍ୟରେ କୋହଲା ପାଗ ଲାଗିରହିବ। ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ବଡ଼ଦିନ ଛୁଟି କାଟିବା ତଥା ବୁଲାବୁଲି ପାଇଁ ଉପଯୁକ୍ତ ପାଗ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ୨୫ ତାରିଖରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବ। ୨୬ ତାରିଖ‌ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇପାରେ। ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଉତ୍ତର ଓଡ଼ିଶା ସମେତ ଖୋର୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବର୍ତମାନ ରାଜ୍ୟରେ ଥଣ୍ଡା କ୍ରମଶଃ କମୁଛି। ୨୬ ତାରିଖ ଅପରାହ୍ନରୁ ୨୭ ତାରିଖ ଯାଏ ପାଗ ମେଘୁଆ ରହିବ। ୩୦ ତାରିଖ ପରେ ପୁଣି ପାଗ ଶୁଖିଲା ରହିବ। ଥଣ୍ଡା କମ୍‌ ହେବା ସହ ଖରାଟିଆ ପାଗ ରହିବ।

ଅନୁମାନ କରାଯାଉଛି ଯେ ଆସନ୍ତା ୨୬ ଓ ୨୭ ତାରିଖରେ ଭୁବନେଶ୍ବର ସ‌ମେତ କେନ୍ଦ୍ରୀୟ, ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ। ୨୫ ଓ ୨୬ରେ ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ରାତିର ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ୨୭ ଓ ୨୮ ତାରିଖରେ ଏହା ପୁଣି ୩ରୁ ୪ ଡିଗ୍ରି କମିବା ହେତୁ ଥଣ୍ଡା ବୃଦ୍ଧି ପାଇବ। ୩୦ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ପୁଣି ଥରେ ବଢ଼ିବ। ଜାନୁଆରି ପହିଲା ସୁଦ୍ଧା ୪ ଡିଗ୍ରି ବଢ଼ିପାରେ।

By amfnews

Related Post