Sun. Mar 8th, 2026

ବିଶ୍ୱର ପ୍ରଥମ କୃତ୍ରିମ ଉଲ୍‌କାବୃଷ୍ଟି ଲାଗି ମହାକାଶକୁ କୃତ୍ରିମ ଉପଗ୍ରହ ପଠାଇଲା ଜାପାନ

158 Views

ନୂଆଦିଲ୍ଲୀ, ଜାନୁଆରୀ ୧୮ : ବିଶ୍ୱର ପ୍ରଥମ କୃତ୍ରିମ ଉଲ୍‌କାବୃଷ୍ଟି କରାଇବା ଅଭିଯାନରେ ଶୁକ୍ରବାର ଦିନ କୃତ୍ରିମ ଉପଗ୍ରହ ବହନ କରି ଏକ ରକେଟ୍‌ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିବା କଥା ଜାପାନର ବୈଜ୍ଞାନିକମାନେ କହିଛନ୍ତି।

ଟୋକିଓରେ ଅବସ୍ଥାପିତ ଏକ କମ୍ପାନି ଏହି ମହାଜାଗତିକ ପ୍ରଦର୍ଶନ ନିମନ୍ତେ ମାଇକ୍ରୋ-ସାଟେଲାଇଟ୍‌ ବିକଶିତ କରିଛି। ପରୀକ୍ଷାମୂଳକ ଭାବେ ଆସନ୍ତାବର୍ଷ ପ୍ରାରମ୍ଭରେ ଏହା ହିରୋସିମା ଉପରେ ପ୍ରଦର୍ଶନ କରାଯିବ। ଏହାର ନାମ ଦିଆଯାଇଛି: ‘ସୁଟିଙ୍ଗ୍‌ ଷ୍ଟାର୍‌ସ୍‌ ଅନ୍‌ ଡିମାଣ୍ଡ୍‌’ ସର୍ଭିସ୍‌। ଅର୍ଥାତ୍‌ ଚାହିଦା ଅନୁସାରେ ତାରାକା ବୃଷ୍ଟି।

ଏହି କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍‌ରୁ କ୍ଷୁଦ୍ର କ୍ଷୁଦ୍ର ଗୋଲକ ସବୁ ବାହାରି ବାୟୁମଣ୍ଡଳରେ ଦ୍ରୁତ ବେଗରେ ଗତି କରିବା ସମୟରେ ଝଲସି ଉଠି ଉଲ୍‌କାପାତ ହେବା ପରି ଦିଶିବ।

ଶୁକ୍ରବାର ସକାଳେ ଛୋଟ ଆକାରର ଏପ୍‌ସିଲନ୍‌-ଫୋର୍‌ ରକେଟ୍‌ରେ ଏହି କୃତ୍ରିମ ଉପଗ୍ରହଟିକୁ ଉଚିନୌରା ସ୍ପେସ୍‌ ସେଣ୍ଟର୍‌ରୁ ଉତ୍‌କ୍ଷେପଣ କରିଛି ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେସନ୍‌ ଏଜେନ୍‌ସି (ଜାକ୍ସା)।ରକେଟ୍‌ରେ ପଠାଯାଇଛି ୭ଟି ଅତି କ୍ଷୁଦ୍ର କୃତ୍ରିମ ଉପଗ୍ରହ ଯାହା କେତେଗୁଡ଼ିଏ ଅଭିନବ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବ।

ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ସାତଟି କୃତ୍ରିମ ଉପଗ୍ରହ ମଧ୍ୟରୁ ପ୍ରଥମଟିକୁ ସଫଳତାର ସହ କକ୍ଷପଥକୁ ପ୍ରେରଣ କରାଯାଇଛି। ବାକି ଛଅଟିର ଅବସ୍ଥା ସଂକ୍ରାନ୍ତରେ ସିଗ୍‌ନାଲ୍‌କୁ ଅପେକ୍ଷା କରାଯାଇଛି।

ଏହି କୃତ୍ରିମ ଉପଗ୍ରହରେ ରହିଛି ୪୦୦ଟି କ୍ଷୁଦ୍ର ଗୋଲକ ବା ବଲ୍‌, ଏବଂ ଏହାର ରାସାୟନିକ ସୂତ୍ରକୁ ଅତ୍ୟନ୍ତ ଗୋପନ ରଖାଯାଇଛି।
୨୦୨୦ ବସନ୍ତଋତୁରେ ପ୍ରଥମେ ଉଲ୍‌କାପାତ ଦୃଶ୍ୟ ପ୍ରଦର୍ଶନ କରାଯିବ ବୋଲି ଏହାର ପରିକଳ୍ପନା କରଥିବା କମ୍ପାନି ଏଏଲ୍‌ଇ କୋ. ଲିମିଟେଡ୍‌ କହିଛି।

୨୦ ରୁ ୩୦ ଟି ଉଲ୍‌କାପାତ ଦୃଶ୍ୟ କରାଇବାକୁ ଏହା ହେବ ଯଥେଷ୍ଟ। ଏବେ ପୃଥିବୀ ଠାରୁ ୫୦୦ କିଲୋମିଟର ଦୂରରେ ଛଡ଼ା ଯାଇଥିବା ଏହି କୃତ୍ରିମ ଉପଗ୍ରହ ପୃଥିବୀ ଚାରି ପଟେ ଘୂରି ଘୂରି ଆସନ୍ତ ବର୍ଷକୁ ୪୦୦ କିଲୋମିଟର୍‌କୁ ଖସି ଆସିବ।

By amfnews

Related Post