Sun. Nov 24th, 2024

ବିଜ୍ଞାନ ପାର୍କ ବିଳମ୍ବ ନେଇ ଅସନ୍ତୋଷ, ଓରେଡା ଉପରେ ବର୍ଷିଲେ ତାରା

By amfnews Nov 17, 2019 #Featured
110 Views

ଭୁବନେଶ୍ବର : ସାତ ବର୍ଷ ତଳେ ଜୟପୁର‌େର ବିଜ୍ଞାନ ପାର୍କ ହେବ ବୋଲି ନିଷ୍ପତ୍ତି ହେଲା। ୫ ବର୍ଷ ତଳେ ଜାଗା ଦିଆଗଲା। କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହେବା ତ ଦୂରର କଥା, ଟେଣ୍ଡର୍‌ ବି ହେଲା ନାହିଁ। ଆଜି ବିଧାନସଭାର ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ ଭୀଷଣ ଅସନ୍ତୋଷ ପ୍ରକାଶ କରିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ଆହୁରି ଅଭିଯାଗ କରିଥିଲେ, ୬ ଥର ଏହି ପ୍ରଶ୍ନ ବିଧାନସଭାରେ ପଚାରିଛି। ସବୁବେଳେ ସମାନ ଉତ୍ତର ଯେ ପାର୍କ ତିଆରି ହେବ। ୫-ଟି ସରକାର କ’ଣ ଏତେ ଅପରାଗ ଯେ ବିଜ୍ଞାନ ପାର୍କ ଜାଗାରେ ପାଞ୍ଚ ବର୍ଷ ଭିତରେ ପାଚେରୀ ବି ନିର୍ମାଣ କରିପାରୁ ନାହାନ୍ତି ?

ମଦନ ମୋହନ ଦତ୍ତ ଓ ତାରା ପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନ ଉପରେ ଏହି ଆଲୋଚନା ଆରମ୍ଭ ହୋଇଥିଲା। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତରରେ କହିଥିଲେ, ଜୟପୁର ତହସିଲ୍‌ ଅଧୀନସ୍ଥ ଉମୁରି ମୌଜାରେ ୫ ଏକର ଜମି ଚିହ୍ନଟ କରାଯାଇଛି। ଏହି ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତି ‌େଶଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଖୁବ୍ ଶୀଘ୍ର ଟେଣ୍ଡର୍‌ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ, ବିଜ୍ଞାନକୁ ଲୋକପ୍ରିୟ କରିବା ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ ପାର୍କ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦଫାରେ ରାଜ୍ୟର ୧୦ଟି ଜିଲ୍ଲା ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ବିଜ୍ଞାନ ପାର୍କ ହେବ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ପ୍ରତିଷ୍ଠା‌ କରାଯିବ। କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ସଂସ୍ଥା ଦ୍ବାରା ପାର୍କର ବିଭିନ୍ନ ବିଭାଗକୁ ନିର୍ମାଣ କରାଯାଏ। ଗୋଟିଏ ବିଜ୍ଞାନ ପାର୍କ ନିର୍ମାଣ କରିବାକୁ ପ୍ରାୟ ୩୦ ମାସ ସମୟ ଲାଗେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିଲେ, ବଲାଙ୍ଗୀରରେ ବିଜ୍ଞାନ ପାର୍କ ପାଇଁ ଜାଗା ଦିଆସରିଛି। ଏହା କେବେ ନିର୍ମାଣ ହେବ ? ବିଜ୍ଞାନ ପାର୍କ ଦ୍ବାରା ସ୍ଥାନୀୟ ଅଞ୍ଚଳର ଲୋକ କିପରି ଲାଭବାନ ହେବ ? ମନ୍ତ୍ରୀ କହିଥିଲେ, ଜାଗା ମିଳିଛି। ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ବିଜ୍ଞାନ ପାର୍କରେ ସ୍ଥାନୀୟ ଅଞ୍ଚଳରେ ଥିବା ବିଜ୍ଞାନର ବିଭିନ୍ନ ଦିଗକୁ ସ୍ଥାନ ଦେବା ସହ ସାଧାରଣ ଜୀବନରେ ବିଜ୍ଞାନର ଉପ‌ାଦେୟତା ଓ ଆବଶ୍ୟକତା ସମ୍ପର୍କରେ ଏଥରେ ସ‌େଚତନ କରାଯିବ।

ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଥିଲେ, ସବୁ ଜିଲ୍ଲାରେ ବିଜ୍ଞାନ ପାର୍କର ମଡେଲ୍‌ ଭିନ୍ନ ଭିନ୍ନ ହେଉ। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉପାଦେୟ ହେବା ସହ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଏହା ଅଥନୈତିକ ବିକାଶରେ ସହାୟ ହେବ। ଅମର ଶତପଥୀ, ଅଶ୍ବିନୀ ପାତ୍ର ଓ ସୁରେଶ ରାଉତରାୟ ପ୍ରମୁଖ ଏ ସଂକ୍ରାନ୍ତରେ ଅତିରିକ୍ତ ପ୍ରଶ୍ନ କରିଥିଲେ। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନସ୍ଥ ଓରେଡା ସଂସ୍ଥାର କାର୍ଯ୍ୟକାରିତା ନେଇ ଭୀଷଣ ବର୍ଷିଥିଲେ। ମନ୍ତ୍ରୀଙ୍କୁ ପଚାରିଥିଲେ, ରାଜ୍ୟରେ ଓରେଡା କାମ କରୁଛି ତ ? ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ସୌରଶକ୍ତି ଚଳିତ ନଳକୂପ ନିର୍ମାଣ କରିଥିଲା। କିନ୍ତୁ ବର୍ଷ ବର୍ଷ ଧରି ତାହା କାମ କରୁନି। ଓରେଡାର ଜିଲ୍ଲା ସ୍ତରରେ କର୍ମଚାରୀ ନାହାନ୍ତି। ଅଭିଯୋ‌ଗ କଲେ କେହି ଶୁଣୁ ନାହାନ୍ତି। ଦକ୍ଷ ଅଫିସର୍‌ କୁହାଯାଉଥିବା ଜଣେ ମହିଳାଙ୍କୁ ଓରେଡା ଦାୟିତ୍ବରେ ଅଛନ୍ତି। ସେ କାହା କଥା ଶୁଣୁ ନାହାନ୍ତି। ଏହି ସଂସ୍ଥା‌ କାମ କରୁ ନ ଥିଲା ବେଳେ ସେ କିପରି ଦକ୍ଷ ହେଲେ ଆମେ ବୁଝିପାରୁନୁ। ୫-ଟି ଏଠି କିପରି କାମ କରୁଛି ? ଖାଲି କିଛି ଠିକାଦାରଙ୍କୁ ଓରେଡା ପୋଷୁଛି।

ମନ୍ତ୍ରୀ କହିଥିଲେ, ଯେଉଁଠି ସୌରଚାଳିତ ପାଣି ପ୍ରକଳ୍ପ ଖରାପ ହେଉଛି, ତାହାର ଅଭିଯୋଗ ଦେବା ପାଇଁ ଟୋଲ୍‌ ଫ୍ରି ନମ୍ବରର ବ୍ୟବସ୍ଥା କରାଯାଇଛି। ଯେଉଁ ସଂସ୍ଥା ସେସବୁକୁ ନିର୍ମାଣ କରିଥିଲେ, ସେମାନଙ୍କୁ ୫ ବର୍ଷ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଛି। ତେବେ କର୍ମଚାରୀ ଅଭାବ ରହିଛି। ଏ ଦିଗରେ ଆମେ ପଦକ୍ଷେପ ନେବୁ।

By amfnews

Related Post