Sun. Mar 8th, 2026

ବିଜେପି ଜାତୀୟ ପରିଷଦ ବୈଠକରେ ମୋଦିଙ୍କ ଦମ୍ଭୋକ୍ତି : ଅବକି ବାର୍ ଫିର୍ ମୋଦି ସରକାର୍

323 Views

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନେରେ ଚାଲିଥିବା ବିଜେପି ଜାତୀୟ ପରିଷଦ ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅବକି ବାର୍ ଫିର୍ ମୋଦି ସରକାର ର ନାରା ଦେଇ ଏହି ଦମ୍ଭୋକ୍ତି ବାଢ଼ିଛନ୍ତି ମୋଦି । ସେ କହିଛନ୍ତି, ଏ କଥା ସତ କି ବିଜେପି ଯେଉଁ ବେଗରେ ଆଗକୁ ବଢୁଥିଲା ସେଥିରେ ଏବେ ବ୍ରେକ୍ ଲାଗିଛି । ତିନୋଟି ବିଜେପି ଶାସିତ ରାଜ୍ୟ ହାତରୁ ଖସିଛି। ମାତ୍ର ଏହା ଶେଷ ନୁହେଁ। କିପରି ପୁଣି ଦଳ ଭଲ ପ୍ରଦର୍ଶନ କରିବ ତା’ଉପରେ ସମସ୍ତେ ଜୋର ଦେବାକୁ ମୋଦି ଆଜି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ବିରୋଧୀଦଳଗୁଡ଼ିକୁ ଆକ୍ଷେପ କରି ମୋଦି କହିଛନ୍ତି, ସେମାନେ ଦେଶକୁ ଏକ ‘ମଜବୁର୍’ ସରକାର ଦେବାକୁ ଚାହୁଁଛନ୍ତି, ମାତ୍ର ଆମେ ଜନତା ଚାହୁଁଥିବା ଏକ ‘ମଜବୁତ୍’ ସରକାର ଦେଇପାରିବା।

୨୦୧୪ ବର୍ଷ ଠାରୁ ବିଜେପି କ୍ଷମତାକୁ ଆସିବା ପରେ ଦେଶର ବିକାଶ ହୋଉଛି । ଏହାକୁ କଂଗ୍ରେସ ସହ୍ୟ କରି ପାରୁନାହିଁ ବୋଲି କଟାକ୍ଷ କରିଛନ୍ତି ମୋଦି । ଗତ ସାଢ଼େ ଚାରି ବର୍ଷରେ କେନ୍ଦ୍ର ସରକାରଙ୍କ କରିଥିବା ବିଭିନ୍ନ ଜନ ହିତକାରି ଯୋଜନାକୁ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ତୃଣମୂଳ ସ୍ତରରେ ବିଜେପିକୁ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।

ସେପଟେ ଗତକାଲି ବିଜେପିର ଦୁଇ ଦିନିଆ ଜାତୀୟ ପରିଷଦର ଉଦଘାଟନୀ ଦିବସରେ ବିଜେପି ଚାଣକ୍ୟ ଅମିତ ଶାହା ମଧ୍ୟ କଂଗ୍ରେସ ଉପରେ ବର୍ଷିଥିଲେ । ରାମ ମନ୍ଦିର ପ୍ରସଙ୍ଗରେ ଶାହା କହିଥିଲେ ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ । ବିଜେପି ଚାହୁଁଛି ରାମ ମନ୍ଦିର ଶୀଘ୍ର ହେଉ ମାତ୍ର ଏଥିରେ କଂଗ୍ରେସ ବାଧା ଦେଉଛି । ଅନ୍ୟପଟରେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ପ୍ରକ୍ରିୟା ଆଗକୁ ବଢ଼ି ପାରୁ ନାହିଁ । ଉତ୍ତର ପ୍ରଦେଶ ସଂପର୍କରେ ଦୃଢ଼ୋକ୍ତି ପ୍ରକାଶ କରି ଶାହ କହିଛନ୍ତି ଯେ ବିଜେପି ୟୁପିରେ ୭୩ରୁ ୭୪ ଆସନରେ ବିଜୟୀ ହେବ । ୨୦୧୪ରେ ଆମେ ୭୨ ଆସନ ଦଖଲ କରିଥିଲୁ ଏବଂ ୨୦୧୯ରେ ଏହା ୭୪ ହେବ ବୋଲି ସେ କହିଛନ୍ତି ।

By amfnews

Related Post