ବଲାଙ୍ଗିର : ବଲାଙ୍ଗିର ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ସେବା କମ୍ ମିଳୁଛି, କିନ୍ତୁ ରୋଗୀ ଅଧିକ ହଇରାଣ ହରକତ ହେଉଛନ୍ତି। ଡାକ୍ତରଖାନାରେ କାର୍ଯ୍ୟରତ ଲାଞ୍ଚଖୋର୍ କର୍ମଚାରୀମାନେ ଲାଞ୍ଚ ମାଗି ମାଗି ସାଧରଣ ରୋଗୀ ଓ ତାଙ୍କ ପରିଜନଙ୍କୁ ନାକେଦମ୍ କରୁଛନ୍ତି। ସବୁ ବିଭାଗରୁ ଆଗରେ ରହିଛି ସ୍ତ୍ରୀ ଓ ପ୍ରସୂତି ବିଭାଗ।
ଏହି ବିଭାଗକୁ ନେଇ ସବୁଦିନ କିଛି ନା କିଛି ଅଭିଯୋଗ ଆସୁଛି। କେତେବେଳେ ନର୍ସ ଦିଦିଙ୍କ ମିଠାଖିଆ ଲାଞ୍ଚକୁ ନେଇ ଚର୍ଚ୍ଚା ତ ଆଉ କେତେବେଳେ ଜୋର ଜବରଦସ୍ତ ଟଙ୍କା ମାଗିବା ଅଭିଯୋଗ ହେଉଛି। ଏପରିକି ସପ୍ତାହେ ଭିତରେ ନର୍ସ ଦିଦିଙ୍କ ବିରୋଧରେ ବଲାଙ୍ଗିର ଟାଉନ୍ ଥାନାରେ ଦୁଇ ଦୁଇଟି ଅଭିଯୋଗ ମଧ୍ୟ ଦାଖଲ ହୋଇସାରିଛି।
କିନ୍ତୁ ଏବେ ମେଡିକାଲ୍ର ଦୁଇଟି ଘଟଣା ଚର୍ଚ୍ଚାରେ ରହିଛି। ଆଶାକର୍ମୀଙ୍କୁ ନର୍ସ ଦିଦିଙ୍କ ମାଡ଼ ଓ ମେଡିସିନ୍ ବଦଳରେ ରୋଗୀଙ୍କ ସଂର୍ପକୀୟଙ୍କ ମସାଲାଦାର ମୁଢି କିଣି ଆଣିବା ପାଇଁ ଲିଖିତ ଆକାରରେ କାଗଜ ଦେବା ଘଟଣା ଏବେ ଶୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ କାଗଜ ଖଣ୍ଡେ ଧରି ନର୍ସ ଦିଦିଙ୍କ ପାଇଁ ମୁଢ଼ି ଆଣିବାକୁ ଯାଇଥିବା ବେଳେ କିଛି ବ୍ୟକ୍ତି ଏହାର ଭିଡିଓ ରେକର୍ଡ ଶୋସାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି।
ବଲାଙ୍ଗିର ମେଡିକାଲ୍ କଲେଜ୍ ହସପିଟାଲ୍ ନିକଟ ଏକ ମେଡିସିନ୍ ଷ୍ଟୋର୍ରେ ରେକର୍ଡିଂ ହୋଇଥିବା ଏହି ଭିଜୁଆଲ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବ୍ୟକ୍ତି ଧରିଥିବା କାଗଜରେ ଔଷଧ ବଦଳରେ ୧୦ ପ୍ୟାକେଟ୍ ମୁଢ଼ି ଆଣିବାକୁ ଲେଖାଯାଇଛି। ଆଉ ଏହି ମୁଢ଼ି ଆଣିବାକୁ ତାଙ୍କୁ ନର୍ସ ଦିଦି ପଠାଇଛନ୍ତି।
ଏହି ଭିଜୁଆଲ୍ ଭାଇରାଲ୍ ହେବା ପରେ ଆମ କ୍ୟାମେରା ଟିମ୍ ଖୋଜି ଖୋଜି ମୁଢ଼ି କିଣୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ତାଙ୍କୁ ସମସ୍ତ କଥା ପଚାରି ବୁଝିଥିଲା।
ସେହି ବ୍ୟକ୍ତି ଜଣକ ଥିଲେ ପାଟଣାଗଡ଼ ବ୍ଳକ୍ ସିଆଲବନ୍ଧ ଗାଁର କିରଞ୍ଜି ମିର୍ଦ୍ଧା। ତାଙ୍କର ଏକ ଝିଅ ଜନ୍ମ ହୋଇଛି। ତେଣୁ ପ୍ରସବ ପରେ ପରେ ମେଡିକାଲ୍ରେ ଦାୟିତ୍ୱରେ ଥିବା ନର୍ସ ଦିଦି ମାନେ ତାଙ୍କୁ ମସାଲାଦାର ମୁଢ଼ି ଆଣିବାକୁ ଲିଖିତ ଭାବରେ ଦେଇଥିଲେ।
ହେଲେ କଥା ପ୍ରଘଟ ହେବାରୁ, ଏବେ ରୋଗୀଙ୍କ ସଂର୍ପକୀୟଙ୍କ ଉପରେ ନାଲି ଆଖି ଦେଖଉଛନ୍ତି ନର୍ସଦିଦି। କିଛି କହିବାକୁ ମନା କରୁଥିଲେ ବି, କହୁ କହୁ କ୍ୟାମେରା ସାମ୍ନାରେ ସବୁ ସତ କଥା କହି ଦେଇଛନ୍ତି କିରଞ୍ଜି। ଖାଲି କିରଞ୍ଜି ନୁହନ୍ତି, ଦିଦିଙ୍କ ଖୋଲା ଲାଞ୍ଚ କାରବାରରେ ସାଧାରଣ ରୋଗୀମାନେ ମଧ୍ୟ ଅତିଷ୍ଠ ହୋଇପଡ଼ିଲେଣି। ସେହିଭଳି ମଙ୍ଗଳବାର ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଘେରାଉ କରି ରଖିଥିବା ଆଶାକର୍ମୀମାନଙ୍କୁ ହସପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନର୍ସ ଦିଦିମାନେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ।
ଠିକ୍ ୨ ଦିନ ତଳେ ଲକ୍ଷ୍ମୀଶାନ୍ତି ନାଏକ ନାମକ ଆଶାକର୍ମୀ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ହସିପିଟାଲକୁ ଆସିଥିଲେ। ମହିଳା ଜଣକ ଗୁରୁତର ଥିବାରୁ ତାଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ଆଶାକର୍ମୀ ଦାୟିତ୍ୱରେ ଥିବା ଦିଦିଙ୍କୁ ଅନୁରୋଧ କରିଥିଲେ।
ଏଥିରେ ନର୍ସ ଦିଦି ରାଗି ଯାଇ ଆଶାକର୍ମୀଙ୍କୁ ମାଡ଼ ମାରିଥିଲେ। ତେବେ ଏ ନେଇ ସି.ଡି.ଏମ୍.ଓଙ୍କୁ ୩ ଦଫା ଦାବୀପତ୍ର ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ।