Wed. Jan 15th, 2025

ଫ୍ରି କଶ୍ମୀର ପୋଷ୍ଟର ପାଇଁ କ୍ଷମା ମାଗିଲେ ଯୁବତୀ

By amfnews Jan 7, 2020 #Featured
151 Views

ମୁମ୍ବାଇ: ଗେଟ ୱେ ପାଖରେ ଚାଲିଥିବା ବିକ୍ଷୋଭରେ ‍ଫ୍ରି କଶ୍ମୀର ପୋଷ୍ଟରକୁ ନେଇ ଚାଲିଥିବା ରାଜନୀତିରେ ନୂଆ ଟ୍ୱିଷ୍ଟ ଆସିଛି। ଫ୍ରି କଶ୍ମୀର ପ୍ଲାକାର୍ଡ ଦେଖାଇଥିବା ଯୁବତୀ ଏଥିପାଇଁ କ୍ଷମା ମାଗିଛନ୍ତି। ଏଥିସହ ସେ ମୁକ୍ତ କଶ୍ମୀର ଗଠନ ନୁହେଁ, ବରଂ କଶ୍ମିରୀମାନଙ୍କୁ ଇଣ୍ଟରନେଟ ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଏଭଳି ପୋଷ୍ଟର ପ୍ରଦର୍ଶନ କରିଥିଲି ବୋଲି କହିଛନ୍ତି।

ଏହି ଯୁବତୀଙ୍କ ନାଁ ମେହେକ ମିର୍ଜା ପ୍ରଭୁ। ସେ ଫେସବୁକରେ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ “ମୁଁ ଧରିଥିବା ପ୍ଲାକାର୍ଡକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୋ ନାଁ ମେହେକ। ମୁଁ ମୁମ୍ବାଇର ଜଣେ ଲେଖିକା। ମୋ ପ୍ଲାକାର୍ଡକୁ ନେଇ ଯେଉଁଭଳି ପ୍ରତିକ୍ରିୟା ସବୁ ଆସୁଛି, ସେକଥା ଦେଖି ମୁଁ ଆଶ୍ଚର୍ଯ୍ୟ।

ମୁଁ କେଉଁ ପରିସ୍ଥିତିରେ ପ୍ଲାକାର୍ଡ ଦେଖାଇଥିଲି, ତା’କୁ ଭୁଲ ଭାବେ ବୁଝାଯାଇଛି। ବିକ୍ଷୋଭ ବେଳେ ସିଏଏ, ଏନଆରସି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗର ପ୍ଲାକାର୍ଡ ରହିଥିଲା। ‌ଏହି ସମୟରେ ମୋ ନଜର ଫ୍ରି କଶ୍ମୀର ପ୍ଲାକାର୍ଡ ଉପରେ ପଡ଼ିଥିଲା। ମୁଁ କେବଳ କଶ୍ମୀରବାସୀଙ୍କୁ ସମ୍ବିଧାନ ଅନୁଯାୟୀ ଅଧିକାର ଯୋଗାଇ ଦେବାକୁ ଦାବି କରିଥିଲି।

କାରଣ ସେମାନେ ୫ ମାସରୁ ଅଧିକ ଦିନ ହେଲା ଇଣ୍ଟରନେଟ ସେବା ଠାରୁ ଅନ୍ୟାନ୍ୟ ଅଧିକାରରୁ ବଞ୍ଚିତ ରହିଛନ୍ତି। ମୋର ଆଉ କୌଣସି ଉଦ୍ଦେଶ୍ୟ ନଥିଲା। ଏହାକୁ ନେଇ ଯେଉଁଭଳି ଚିତ୍ରଣ କରାଯାଉଛି, ମୁଁ ଆଶ୍ଚର୍ଯ୍ୟ ଓ ଭୟଭୀତ। ଯଦି ମୋ ପ୍ଲାକାର୍ଡ କାହାକୁ ଆଘାତ ପହଞ୍ଚାଇଛି, ତା’ହେଲେ ମୁଁ କ୍ଷମା ମାଗୁଛି। ମୁଁ କଶ୍ମିରୀ ବୋଲି ପ୍ରଚାର କରାଯାଉଛି। ହେଲେ ମୁଁ ମୁମ୍ବାଇବାସୀ। ମୁଁ ଜଣେ ମହାରାଷ୍ଟ୍ରିଆନ।”

By amfnews

Related Post