Sat. Nov 2nd, 2024
409 Views

ମାର୍କ୍ସ, ଗାନ୍ଧିଜୀ ଓ ଶିରିଡ଼ି ସାଇବାବା

ମୋର ମାମା (ବୋଉ) ଥିଲା ଅତିମାତ୍ରାରେ ଧର୍ମପରାୟଣା । ବର୍ଷତମାମ ସେ ବିଭିନ୍ନ ବ୍ରତ ଓ ଉପବାସ କରି ପରିବାରର ମଙ୍ଗଳ କାମନା କରୁଥିଲା । ମାତ୍ର ମାର୍କ୍ସବାଦ ଏବଂ ଗାନ୍ଧିବାଦରେ ବିଶ୍ୱାସ କରୁଥିବା ମୋର ବାବା ଇଶ୍ୱରଙ୍କ ସତ୍ତାକୁ ଅବିଶ୍ୱାସ କରୁନଥିଲେ ମଧ୍ୟ ଠାକୁର ପୂଜାରେ ପ୍ରାୟ ଧ୍ୟାନ ଦେଉନଥିଲେ । ଗରିବ ଓ ପିଡ଼ିତମାନଙ୍କର ସେବା ହିଁ ପ୍ରକୃତରେ ଭଗବତ ସେବା ବୋଲି ବିଶ୍ୱାସ କରି ସେ ସବୁବେଳେ ଅବହେଳିତ, ନିଷ୍ପେସିତ ଓ ରୁଗ୍ନମାନଙ୍କର ସେବା କରିବା ପାଇଁ ଆଗେଇ ଯାଉଥିଲେ । ଆମ ଗାଁ ଏବଂ ଆଖପାଖ ଅଞ୍ଚଳରେ ହଇଜା ହେଲେ ସାଧାରଣ ଲେକେ ଆତଙ୍କିତ ହୋଇ ଉଠି ସେହି ପରିବାରଗୁଡ଼ିକୁ ଏକ ପ୍ରକାର ବାଛନ୍ଦ କରିଦେଉଥିବା ସ୍ଥଳେ ବାବା ସେ ସବୁକୁ ଖାତିର ନକରି ହଇଜା ରୋଗିମାନଙ୍କର ସେବା କରିବା ପାଇଁ ଆଗେଇ ଯାଉଥିଲେ ଓ ରାତ୍ରି ରାତ୍ରି ଅନିଦ୍ରା ହୋଇ ସେମାନଙ୍କୁ ସେବା କରି ଉକ୍ତ ରୋଗିମାନେ ଆରୋଗ୍ୟ ହେବା ପରେ ଘରକୁ ଫେରୁଥିଲେ । ସେତେବେଳେ ଅଟ୍ରି ଠାରେ ହେଉଥିବା ମକରଯାତ୍ରା ସମୟରେ ଅନେକ ଥର ହଇଜା ବ୍ୟପୁଥିବାରୁ ବାବା ସାଙ୍ଗରେ ଡ଼ାକ୍ତର ଟିମ୍ ଏବଂ ଗାଁ ସ୍କୁଲର ସ୍ୱଚ୍ଛାସେବୀମାନଙ୍କୁ ନେଇ ସେଠାରେ ପ୍ରତିଶୋଧକ ଓ ଚିକିତ୍ସାର ବ୍ୟବସ୍ଥା କରାଉଥିଲେ । ବାବାଙ୍କର ଏଭଳି କାର୍ଯ୍ୟକଳାପରେ ମାମା କେବେହେଲେ ଆପତ୍ତି ଉଠାଉନଥିଲା ବରଂ ସବୁବେଳେ ସହଯୋଗର ହାତ ବଢ଼ାଉଥିବା ଆମେ ଅନୁଭବ କରୁଥିଲୁ । ଢ଼େଙ୍କାନାଳର ରନ୍ତଳି ଠାରେ ‘ପାହାଡ଼ି ବାବା’ହୁକୁମ ଦେଇ ଗୁରୁତର ରୋଗିମାନଙ୍କୁ ଆରୋଗ୍ୟ କରୁଥିବାର ପ୍ରଚାର ହେବା ପରେ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରୁ ହଜାରହଜାର ଲୋକେ ସେଠାରେ ପହଞ୍ଚିବା ପରେ ବିଶୁଦ୍ଧ ପାନୀୟ ଜଳ ଏବଂ ନିରାପଦ ଖାଦ୍ୟ ଅଭାବରୁ ସେଠାରେ ହଇଜା ମହାମାରି ବ୍ୟାପିଥିବା ସମୟରେ ବାବା ସ୍ୱଚ୍ଛାସେବୀମାନଙ୍କୁ ନେଇ ସେଠାରେ ପହଞ୍ଚି ପାହାଡ଼ି ବାବାଙ୍କୁ ବିରୋଧ କରିବା ସହ ନିରିହ ଜନସାଧାରଣଙ୍କୁ ଅନ୍ଧବିଶ୍ୱାସରୁ ମୁକ୍ତି ଦେବାଲାଗି ପାହାଡ଼ି ବାବାଙ୍କୁ ଗିରଫ କରିବା ପାଇଁ ତଦନାନ୍ତିନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଉପରେ ଚାପ ପକାଇ ରନ୍ତଳେଇ ଅପମୃତ୍ୟୁ ଘଟଣାରେ ପୂର୍ଣ୍ଣଛେଦ ପକାଇବା ଦିଗରେ ବା ଯେଉଁ ବାମପନ୍ଥୀ ବ୍ୟକ୍ତିମାନେ ସମର୍ଥ ହୋଇଥିଲେ ସେମାନଙ୍କ ମଧ୍ୟରେ ବାବା ଅନ୍ୟତମ ବ୍ୟକ୍ତି ଥିବା ମୁଁ ଜାଣିଥିବାରୁ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ବାବା ଓ ମାତାମାନଙ୍କୁ ମୁଁ ସାମାନ୍ୟତମ ବିଶ୍ୱାସ କରୁନଥିଲି । କୌଣସି ଧାର୍ମିକ ଦିଖ୍ୟା ବା ଧର୍ମଗୁରୁଙ୍କ ଦ୍ୱାରା ଆମ ଦେଶରେ ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ଅସମ୍ଭବ ବୋଲି ମୋ ମନରେ ଦୃଢ଼ ବିଶ୍ୱାସ ରହିଥିଲା । ମୁଁ ରେଭେନ୍ସା କଲେଜରେ ପାଠ ପଢ଼ିବା ସମୟରେ କଟକର କାଳିଆବୋଦା ଆଶ୍ରମରେ ପୂଜା ପାଉଥିବା ଭଣ୍ଡବାବା ଓ ମାତାମାନେ ଗିରଫ ହେବାପରେ ମୋର ଧାରଣା ଅଧିକ ସୁଦୃଢ଼ ହୋଇଯାଇଥିଲା ।
ସାମ୍ବାଦିକ ଭାବରେ ରାଜଧାନୀର ୨ନମ୍ବର ୟୁନିଟ ସ୍ଥିତ ସରକାରୀ ବାସ ଭବନରେ ସପରିବାର ରହୁଥିବା ସମୟରେ ମୁର୍ସିଦାବାଦରୁ ଜଣେ ଯୁବ ବ୍ୟବସାୟୀ ପିତଳ ନିର୍ମିତ ଗୃହପୋକରଣମାନ ଆଣି ଘରଘର ବୁଲି ବିକ୍ରି କରୁଥିଲେ । ତାଙ୍କଠାରୁ ଚନ୍ଦ୍ରପ୍ରଭା କେତେଗୁଡ଼ିଏ ଗୃହପୋକରଣ ବିଭିନ୍ନ ସମୟରେ କିଣୁଥିଲେ । ଅନେକ ସମୟରେ ସେ ଜିନିଷ ଗୁଡ଼ିକ ଦେଇଯାନ୍ତି ଏବଂ ଦୁଇ ତିନିମାସ ପରେ ଆସି ବକେୟାଥିବା ଟଙ୍କା ଅସୁଲ କରିବା ସହ ଆଉ କିଛି ନୂଆ ଉପକରଣ ବିକ୍ରି ଲାଗି ପ୍ରୟାସ କରିଥାନ୍ତି । ମୁସଲମାନ ସମ୍ପ୍ରଦାୟର ଏହି ଯୁବ ବ୍ୟବସାୟୀଙ୍କ ଠାରୁ ଚନ୍ଦ୍ରପ୍ରଭା ଅନେକଗୁଡ଼ିଏ ସାମଗ୍ରୀ ବିଭିନ୍ନ ସମୟରେ କିଣୁଥିବାରୁ ମୁଁ ବେଳେ ବେଳେ ବିରକ୍ତି ପ୍ରକାଶ କରୁଥିଲି । ଥରେ ମୁଁ ଘରେ ଏକାକି ଥିବା ସମୟରେ ସେହି ଯୁବ ବ୍ୟବସାୟୀ ଆସି ପହଞ୍ଚିଥିଲେ ଏବଂ ତାଙ୍କୁ ଦେଖି ମୁଁ ବିରକ୍ତି ପ୍ରକାଶ କରି କହିଥିଲି ‘ରାଜଧାନୀରେ ଠକିବା ପାଇଁ ଆଉ କ’ଣ କେହି ଲୋକ ନାହାନ୍ତି ଯେ ତୁମେ ବାରମ୍ବାର ମୋ ଘରକୁ ଆସୁଛ ।’ ମୋ କଥା ଶୁଣି ଯୁବ ବ୍ୟବସାୟୀ ଜଣଙ୍କ ହସିହସି କହିଲେ ‘ମୁଁ ଆଜି କିଛି ବିକିବା ପାଇଁ ଆସିନାହିଁ କେବଳ ଆପଣଙ୍କୁ ଗୋଟିଏ ଛୋଟ ଉପହାର ଦେବାପାଇଁ ଆସିଛି ।’ ଏତିକି କହି ସେ କାନ୍ଧରେ ପକାଇଥିବା ଏକ ଥଳିରୁ କାଗଜ ପୁଡ଼ିଆଟିଏ ବାହାର କରି ମୋ ହାତକୁ ବଢ଼ାଇ ଦେଇଥିଲେ । ଏବଂ କହିଥିଲେ ଏଇଟି ଆପଣଙ୍କୁ ମୋର ଉପହାର ଆପଣଙ୍କ ସହ ମୋର ଆଉ କୌଣସି ବ୍ୟବସାୟୀକ ସମ୍ପର୍କ ରହିବ ନାହିଁ । ଏକଥା କହିବା ବେଳେ ସେ ଭାବପ୍ରବଣ ହୋଇ ଉଠିଥିଲେ ମୋର କଥା ତାଙ୍କୁ ହୁଏତ କଷ୍ଟ ଦେଇଛି ବୋଲି ଅନୁଭବ କରି ମୁଁ ତାଙ୍କୁ ପାଖ ଚୌକିଟିରେ ବସିବା ପାଇଁ ଅନୁରୋଧ କରି ସେ ଅନ୍ତତଃ ଚା’କପଟିଏ ପିଇ ଦେଇ ଯାନ୍ତୁ ବୋଲି କହିଥିଲି ।
ଆମର ଏହି କଥପୋ କଥନ ବେଳେ ଚନ୍ଦ୍ରପ୍ରଭା ସବୁକିଛି ଲକ୍ଷ କରୁଥିଲେ ଏବଂ ମୋ ଆଚରଣରେ ସାମାନ୍ୟ ବିରକ୍ତି ପ୍ରକାଶ କରୁଥିବା ତାଙ୍କ ମୁଖଭଙ୍ଗିରୁ ମୁଁ ବେଶ୍ ଅନୁଭବ କରୁଥିଲି ।
ମୁର୍ସିଦାବଦରୁ ଆସିଥିବା ଏହି ଯୁବ ମୁସଲମାନ ବ୍ୟବସାୟୀ ଜଣକ କିଛି କହିବା ପୁର୍ବରୁ ଚନ୍ଦ୍ରପ୍ରଭା ଦୁଇ କପ୍ ଚା’ଆଣି ଗୋଟିଏ କପ୍ ତାଙ୍କୁ ଓ ଗୋଟଏ କପ୍ ମୋତେ ବଢ଼ାଇ ଦେଇଥିଲେ । ଯୁବ ବ୍ୟବସାୟୀ ଜଣଙ୍କ ଆନନ୍ଦରେ ଚା’କପ୍ ଟିଏ ନେଇ ପିଇବା ସମୟରେ ଚନ୍ଦ୍ରପ୍ରଭାଙ୍କୁ ଲକ୍ଷ କରି କହିଥିଲେ ‘ଆଜିଠୁ ତୁମେ ମୋର ବଡ଼ ଭଉଣୀ ବୋଲି ଭାବିବ ମୁଁ ଦେଇଥିବା ଉପହାରଟିକୁ ଫୋପାଡ଼ି ନଦେଇ ସାଇତି ରଖିବେ ।’
ସେ ମୋ ହାତକୁ ବଢ଼ାଇ ଦେଇଥିବା କାଗଜ ପୁଡ଼ିଆଟି କିଛି ପରିମାଣର ଓଜନିଆ ଲାଗୁଥିଲା, ତେଣୁ ସେ ଚାଲିଯିବା ପରେ ମୁଁ ଓ ଚନ୍ଦ୍ରପ୍ରଭା ଆଗ୍ରହର ସହ ପୁରୁଣା ଖବର କାଗଜରେ ଗୁଡ଼ା ହୋଇଥିବା ପୁଡ଼ିଆଟି ଖୋଲିଲୁ । ଦେଖିଲୁ ତା’ ଭିତରେ ଥିଲା ପିତଳର ଶିରିଡ଼ି ସାଇବାବାଙ୍କର ମୁର୍ତ୍ତୀ ।
ପୂର୍ବରୁ ମୁଁ ଶିରିଡ଼ି ସାଇବାବାଙ୍କୁ ଜାଣିନଥିଲି କେବଳ ସତ୍ୟ ସାଇବାବାଙ୍କ ବହୁଳ ପ୍ରଚାରିତ ଫଟୋ ଓ ଔଲକିକ କାହାଣୀମାନ ସହ ବିଭିନ୍ନ ବ୍ୟକ୍ତିଙ୍କ ଘରେ ଘଟୁଥିବା ଔଲକିକ କାଣ୍ଡମାନ ବିଷୟରେ ସୁଣିଥିଲି । ଯାହାକୁ ମୁଁ କଦାପି ବିଶ୍ୱାସ କରୁନଥିଲି ।
ମୁଁ ହାଇଦ୍ରାବାଦରୁ ପ୍ରକାଶିତ ଇଂରାଜୀ ଦୈନିକ ନ୍ୟୁଜଟାଇମ୍ ଓ ସର୍ବବହୁଳ ପ୍ରସାରିତ ତେଲୁଗ ଦୈନିକ ‘ଇନାଡ଼ୁ’ର ଓଡ଼ିଶା ପ୍ରତିନିଧି ଭାବରେ ଯୋଗ ଦେବାପରେ ୧୯୮୩ ମସିହାରେ ଏନ୍‌.ଟି ରାମରାଓଙ୍କ ନିର୍ବାଚନ ପ୍ରଚାର ସମ୍ପର୍କିତ ସମ୍ବାଦ ସଂଗ୍ରହ କରିବା ନିମନ୍ତେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବା ସମୟରେ ଅନେକ ଗୁଡ଼ିଏ ସ୍ଥାନରେ ଦାଢ଼ି ରଖିଥିବା ଜଣେ ଫକିରଙ୍କ ଫଟୋ ଚିତ୍ର ପୂଜା ପାଇଥିବା ଦେଖିଥିଲି । ଏହି ସମୟରେ ମଧ୍ୟପ୍ରଦେଶର ରାୟପୁର ସହର ସ୍ଥିତ ‘ଗିରନାର୍‌’ ହୋଟେଲରେ ମଧ୍ୟ ସେହି ଫକିରଙ୍କର ଫଟୋ ଚିତ୍ର ଧୂପ ଦୀପ ଦେଇ ପୂଜା ପାଉଥିବା ଦେଖିଥିଲି । ପ୍ରତିଟି ଫଟୋରେ ‘ଶ୍ରଦ୍ଧା ସବୁରୀ’ ଏବଂ ‘ସବକା ମାଲିକ୍ ଏକ’ ବୋଲି ଲେଖା ଥାଏ ।
ନିର୍ବାଚନ ସଂକ୍ରାନ୍ତିୟ ତଥ୍ୟ ଓ ଫଟୋ ସଂଗ୍ରହ କରିବା ସହ ସେମାନଙ୍କ ପ୍ରଚାର ଶୌଳି ସମ୍ପର୍କରେ ଜାଣିବା ଲାଗି ପ୍ରଖ୍ୟାତ ଚଳଚିତ୍ର ଅଭିନେତା ଏନ୍‌.ଟି.ଆରଙ୍କ ସହ ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବା ସମୟରେ ଦକ୍ଷିଣ ଭାରତୀୟ ଖାଦ୍ୟପେୟର ସ୍ୱାଦ ମୁଁ ପ୍ରାୟ ଉପଭୋଗ କରିପାରୁନଥାଏ । ବହୁ ସମୟରେ ଏହି ଖାଦ୍ୟର ସ୍ୱାଦ ଓ ଯନ୍ତ୍ରଣା କେବଳ ଡ଼ାଇନିଙ୍ଗ ଟେବୁଲ ଓ ପାଇଖାନାରେ ହିଁ ଅନୁଭୂତ ହୁଏ । ଗିରନାର୍ ହୋଟେଲ୍ ରେଷ୍ଟୁରାଣ୍ଟରେ ମିଳୁଥିବା ପାଳଙ୍ଗ ମଟନ, ପାଳଙ୍ଗ ଚିକେନ୍‌, ପାଳଙ୍ଗ ପନିର ଏବଂ ସୁସ୍ୱାଦ ମଲାଇ ପ୍ରତି ମୋର ଦୁର୍ବଳତା ଥିବାରୁ ମୁଁ ଏହି ରେଷ୍ଟୁରାଣ୍ଟର ମାଲିକଙ୍କ ସହ ଘନିଷ୍ଟ ହୋଇଯାଇଥିଲି ।
ଦିନେ ରେଷ୍ଟୁରାଣ୍ଟରେ ମୁଁ ଖାଉଥିବା ସମୟରେ ମ୍ୟାନେଜର ଆସି ମୋ ସହ ଆଳାପ ଜମାଇଥିଲେ । ମୁଁ ଏହାର ସୁଯୋଗ ନେବା ଲାଗି ତାଙ୍କ ହୋଟେଲରେ ପୂଜା ପାଉଥିବା ସେହି ଫକିରଙ୍କ ବିଷୟରେ ଜାଣିବା ପାଇଁ ଚାହିଁଥିଲି । ସେ ବିସ୍ତୃତ ଭାବରେ ଶିରିଡ଼ି ସାଇବାବାଙ୍କ ସଂପର୍କରେ ବିଶେଷ ତଥ୍ୟ ଯୋଗାଇ ପାରିନଥିଲେ ମଧ୍ୟ ସବୁଧର୍ମର ଲୋକମାନେ ତାଙ୍କୁ ପୂଜା କରିବାର ଏକ ପରମ୍ପରା ସୃଷ୍ଟିି ହୋଇଥିବାରୁ ଅନେକ ସ୍ଥାନରେ ତାଙ୍କ ଫଟୋଟି ପୂଜା ପାଉଥିବା ସେ ଜଣାଇଥିଲେ ।
ମୁର୍ସିଦାବାଦର ସେହି ମୁସଲମାନ ଯୁବ ବ୍ୟବସାୟୀ ଉପହାର ଆକାରରେ ଦେଇଥିବା ପିତଳର ଶିରିଡ଼ି ସାଇବାବାଙ୍କ ମୁର୍ତ୍ତୀଟି ମୁଁ କମ୍ପୁଟର ଟେବୁଲ ଉପରେ ରଖି ଲେଖାପଢ଼ା ଆରମ୍ଭ କରିବା ସମୟରେ ବାବାଙ୍କୁ କେବଳ ନମସ୍କାର ଟିଏ କରି ସମସ୍ତଙ୍କୁ ନିରାପଦ୍ଦ ଓ ଖୁସିରେ ରହିବା ପାଇଁ ଆର୍ଶିବାଦ ଭିକ୍ଷା କରିଥାଏ ।
ମୁର୍ତ୍ତୀଟି ପାଇଁ ପଇସା ନନେଇ ଯୁବ ବ୍ୟବସାୟୀ ଜଣଙ୍କ ଚାଲିଯାଇଥିବାରୁ ଚନ୍ଦ୍ରପ୍ରଭାଙ୍କ ମନ ସବୁବେଳେ ଆନ୍ଦୋଳିତ ହେଉଥିଲା ଏବଂ ପର ପଇସା ଖାଇଦେବା ଆଦୌ ଉଚିତ ନୁହେଁ ବୋଲି କହି ମୋତେ ସର୍ବଦା ଚେତାଇ ଦେଉଥିଲେ ମଧ୍ୟ ସେ ଯେତେବେଳେ ଆସିବେ ସେତେବେଳ ଏହି ମୁର୍ତ୍ତି ବାବଦରେ ଯେତେଟଙ୍କା କହିବେ ମୁଲଚାଲ ନକରି ତାଙ୍କୁ ସେତିକି ଟଙ୍କା ଦେବା ସହିତ ଆଉ କିଛି ଗୃହସଜ୍ଜା ଉପକରଣ କିଣିବା ପାଇଁ ନିର୍ଭର ପ୍ରତିଶୃତି ଦେଇ ମୁଁ ଚନ୍ଦ୍ରପ୍ରଭାଙ୍କୁ ବାରମ୍ବାର ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଥିଲି ।
ଇତି ମଧ୍ୟରେ ୨୦୦୧ ମସିହା ମାର୍ଚ୍ଚ ଶେଷ ସପ୍ତାହରେ ଚନ୍ଦ୍ରପ୍ରଭା ତାଙ୍କ ବାମ ଗୋଡ଼ର ବୁଢ଼ା ଆଙ୍ଗୁଳି ସଲଗ୍ନ କିଛି ଅଂଶରେ ପ୍ରଚଣ୍ଡ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିବାରୁ ତାଙ୍କର ଚିକିତ୍ସା ପାଇଁ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ । ମୋର ଦେଢ଼ଶାଶୁ ଡ଼ାକ୍ତର ଶଶୀଙ୍କ ଦ୍ୱିତୀୟ ପୁଅ ଡ଼ାକ୍ତର ଅମର ଜିତ ମହାନ୍ତି (ଜୁବୁଲି) ଅର୍ଥପେଡ଼ିସ୍କରେ ବିଶେଷଜ୍ଞ ଥିବାରୁ ତାର ପରାମର୍ଶ ମଧ୍ୟ ନେଇଥିଲୁ । ସେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଜଣାଶୁଣା ବିଶେଷଜ୍ଞ ପ୍ରଫେସର ମନୋରଞ୍ଜନ ମହାପାତ୍ରଙ୍କ ମତାମତ ନେବାପାଇଁ ପରାମର୍ଶ ଦେଇଥିଲା । ତଦନୁଯାୟୀ ଚନ୍ଦ୍ରପ୍ରଭାଙ୍କୁ ନେଇଁ ବଡ଼ପୁଅ ପାର୍ଥ ଓ ମୁଁ ଡକ୍ଟର ମହାପାତ୍ରଙ୍କୁ ଦେଖାଇଥିଲୁ । ସେ ତାଙ୍କର ବିିଭିନ୍ନ ପ୍ରକାର ପରୀକ୍ଷାର ରିପୋର୍ଟ ଦେଖି ସିରମ୍ ୟୁରିକ୍ ଏସିଡ୍ ରକ୍ତର ଇ.ଏସ୍‌.ଆର ଏବଂ ଯନ୍ତ୍ରଣା ହେଉଥିବା ଆଙ୍ଗୁଠିରୁ ଛୁଞ୍ଚିରେ ସାମ୍ପୁଲ ନେଇ ଏଫ୍‌.ଏନ୍‌.ଏ.ସି କରିବା ନିମନ୍ତେ ୨୪.୦୩ ରେ ପରାମର୍ଶ ଦେଇଥିଲେ । ନିର୍ଦ୍ଧିଷ୍ଟ ଭାବରେ କଟକର ପ୍ରଖ୍ୟାତ୍ ନିଦାନ ବିଶେଷଜ୍ଞ ଡକ୍ଟର ଗୌରିଶଙ୍କର ଆଚାର୍ଯ୍ୟଙ୍କ ଦ୍ୱାରା ଏହି ପରୀକ୍ଷାଟି କରାଇବା ପାଇଁ ପରାମର୍ଶ ଦେଇଥିଲେ । ଡ.ମହାପାତ୍ରଙ୍କ ପରାମର୍ଶ କ୍ରମେ ଡ. ଆଚାର୍ଯ୍ୟଙ୍କ ବାଲୁବଜାର ଠାରେ ଥିବା ପରୀକ୍ଷା ଗାରାରେ ରକ୍ତର ନମୁନା ସେ ସଂଗ୍ରହ କରିଥିଲେ । ତା’ପର ଦିନ ରିପୋର୍ଟ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିବାରୁ ମାର୍ଚ୍ଚ ୨୫ ତାରିଖ ଦିନ ଚନ୍ଦ୍ରପ୍ରଭା, ମୁଁ ଓ ବଡ଼ ପୁଅ ପାର୍ଥ ଡ଼. ଆଚାର୍ଯ୍ୟଙ୍କୁ ଦେଖାକରି ରିପୋର୍ଟଟି ସଂଗ୍ରହ କରିଥିଲୁ । ଏହି ରିପୋର୍ଟଟିରେ ସେ ଉଲ୍ଲେଖ କରିଥିଲେ ‘smears were suggestive of metastatic follicular carcinoma of thyroid origin’ ଅର୍ଥାତ ଥାଇରଡ଼ ସୁତ୍ରରୁ ଆରମ୍ଭ ହୋଇଥିବା କର୍କଟ ରୋଗ । ରିପୋର୍ଟଟି ଦେଖିବା ପରେ ଏହାର ଉପସମ ପାଇଁ ଶଲ୍ୟ ଚିକିତ୍ସା ଅଥବା କେମୋ ଥେରାପି ଆବଶ୍ୟକ ହେବ ବୋଲି ମୁଁ ବ୍ୟଥିତ ହୋଇ ଡ଼. ଆଚାର୍ଯ୍ୟଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ଗଳାରୁ ଆରମ୍ଭ ହୋଇ ପାଦର ବୁଢ଼ା ଆଙ୍ଗୁଳି ପର୍ଯ୍ୟନ୍ତ ବ୍ୟାପି ଯାଇଥିବା କ୍ୟାନ୍ସର ପାଇଁ କେଉଁଠାରେ ଅସ୍ତ୍ରପୋଚାର କରିହେବ ତାଛଡ଼ା ଏହିଭଳି ପରିସ୍ଥିତିରେ କେମୋ ଥେରାପି କେତେଦୂର ସହାୟକ ହେବ ତାହା କେବଳ କର୍କଟ ରୋଗ ବିଶେଷଜ୍ଞ ହିଁ କହିପାରିବେ ।
ପାଥୋଲୋଜି ବିଭାଗର ବିଶେଷଜ୍ଞ ଭାବରେ ଡ଼. ଆଚାର୍ଯ୍ୟଙ୍କର ଯଥେଷ୍ଟ କ୍ଷାତିଥିଲା କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ତାଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ସମସ୍ତେ ଅନ୍ତିମ ବୋଲି ଗ୍ରହଣ କରୁଥିଲେ । ତେଣୁ ଚନ୍ଦ୍ରପ୍ରଭାଙ୍କ ଚିକିତ୍ସା ପାଇଁ କେଉଁ ପଦକ୍ଷେପ ନେଲେ ଉଚିତ୍ ହେବ ତାହା ଜାଣିବା ପାଇଁ ଡ଼.ମନୋରଞ୍ଜନ ମହାପାତ୍ରଙ୍କ ସହ ପରାମର୍ଶ କରିବା ସମୟରେ ସେ ଡ଼. ଆଚାର୍ଯ୍ୟଙ୍କ ରିପୋର୍ଟ ଟି ନିର୍ଭୁଲ ବୋଲି କହିବା ସହ କର୍କଟ ରୋଗ ବିଶେଷଜ୍ଞଙ୍କୁ ରିପୋର୍ଟ ଦେଖାଇ ମତାମତ ନେବାଲାଗି ପରାମର୍ଶ ନେଇଥିଲେ ।
ଚନ୍ଦ୍ରପ୍ରଭାଙ୍କ ବାପା ରମେଶ ଚନ୍ଦ୍ର ମହାନ୍ତି କ୍ୟନ୍ସର ରୋଗରେ ପିଡ଼ିତ ହୋଇ ଘୋର ଯନ୍ତ୍ରଣା ଭୋଗୁଥିବାର ପ୍ରତ୍ୟକ୍ଷ ଅନୁଭୂତି ଥିବା ଚନ୍ଦ୍ର ପ୍ରଭା କର୍କଟ ରୋଗର ନାମ ଶୁଣିଲେ ଅତିମାତ୍ରାରେ ଭୟଭିତ ହୋଇପଡ଼ୁଥିବାରୁ ତାଙ୍କୁ ଡ଼. ଆଚାର୍ଯ୍ୟଙ୍କ ରିପୋର୍ଟ ସଂପର୍କରେ କୌଣସି ସୂଚନା ନଦେବା ଲାଗି ପାର୍ଥ, ମୁଁ ଓ ପୁତୁରା ଜୁବୁଲି (ଡ଼. ଅମରଜିତ ମହାନ୍ତି) ସ୍ଥିର କରିଥିବାରୁ ସେ ସଂପର୍କରେ ତାଙ୍କୁ କିଛି ନକହି ରିପୋର୍ଟଟିକୁ ମୁଁ ଲୁଚାଇବା ପାଇଁ ଚେଷ୍ଟା କରିଥିଲି । ଇତି ମଧ୍ୟରେ ମଙ୍ଗଳାବାଗ ସ୍ଥିତ ଦାମ ମହାରାଜ ଦୋକନରେ କଚୁଡ଼ି ଓ ସିଙ୍ଗଡ଼ା ଖାଇବା ପାଇଁ ଆମେ ସମସ୍ତେ ଗାଡ଼ିରୁ ଓହ୍ଲାଇ ଖାଇସାରି ଫେରିବାର ଅବ୍ୟବହିତ ପୂର୍ବରୁ ଚନ୍ଦ୍ରପ୍ରଭା ମୋ ହାତରୁ ରିପୋର୍ଟଟି ଝାମ୍ପି ନେଇ ତାଙ୍କ ପାଖରେ କୌଣସି କଥା ଗୋପନ ନରଖିବା ଲାଗି ରାଣ ନିୟମ ପକାଇଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇଥିବାରୁ ତାଙ୍କ ନିକଟରେ ମିଛ କହିବା ଲାଗି କାହାର ସାହାସ ନଥିଲା । ଯଥାଶିଘ୍ର ସମ୍ଭବ ତାଙ୍କୁ ବମ୍ବେ ନେଇ ଦେଶର ସର୍ବଶ୍ରେଷ୍ଠ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ କରାଇ ଆରୋଗ୍ୟ କରାଇବା ପାଇଁ ଦୃଢ଼ ପ୍ରତିଶୃତି ଦେବାପରେ ଭୁବନେଶ୍ୱରରେ ପହଞ୍ଚି ଯଥାଶିଘ୍ର ସମ୍ଭବ ବମ୍ବେ ଯିବାଲାଗି ପ୍ରସ୍ତୁତି ଆରମ୍ଭ କରିଥିଲୁ । ସେଦିନ ଥିଲା ରବିବାର ସେତେବେଳ ବମ୍ବେକୁ ସପ୍ତାହକୁ ଚାରିଥର ବିମାନ ଯାତ୍ରାର ସୁବିଧା ଥିବାରୁ ମଙ୍ଗଳବାର ଦିନ ଯେକୌଣସି ଉପାୟରେ ଆମକୁ ବମ୍ବେରେ ପହଞ୍ଚିବାକୁ ପଡ଼ିବ ବୋଲି ସ୍ଥିର କରିଥିଲୁ ।
ଚନ୍ଦ୍ରପ୍ରଭାଙ୍କ ସହ ମୁଁ ଓ ପାର୍ଥ ଯିବାଲାଗି ଆଲୋଚନା କରୁଥିବା ସମୟରେ ବଡ଼ ଭଉଣୀ ଡ଼ାକ୍ତର ଶଶିପ୍ରଭା ଏବଂ ପୁତୁରା ଡ଼ାକ୍ତର ଅମରଜିତ ମହାନ୍ତି ମଧ୍ୟ ଆମ ସହ ବମ୍ବେ ଯିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ଭୁବନେଶ୍ୱରରୁ ମଙ୍ଗଳବାର ଦିନ ୫ଜଣଙ୍କ ପାଇଁ ବିମାନ ଟିକେଟର ବ୍ୟବସ୍ଥା କରିବା ଲାଗି ସାନ ଜ୍ୱଇଁ ବିକ୍ରମ ଜଣାସୁଣା ଟୁର ଅପରେଟର ବେଞ୍ଜାମିନ୍ ସାଇମୋନଙ୍କୁ ଅନୁରୋଧ କରିଥିଲେ । ଅଳ୍ପ ସମୟ ମଧ୍ୟରେ ବେଞ୍ଜାମିନ୍ ୫ଟି ଟିକେଟ୍ କନଫ୍ରମ୍ କରି ଆମକୁ ଜଣାଇ ଦେଇଥିଲେ ।
୫ଜଣ ଲୋକଙ୍କର ବମ୍ବେ ଯିବା ଆସିବା ସେଠାରେ ରହିବା ଖାଇବା, ଚିକିତ୍ସ ଓ ଯାତାୟତ ପାଇଁ ଅନ୍ୟୁନ ୨ଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ଏବଂ ସେତେବେଳେ ମୋ ପାଖରେ ଏତେଗୁଡ଼ାଏ ଟଙ୍କା ନଥିବାରୁ ଆବଶ୍ୟକିୟ ଟଙ୍କା ଯୋଗାଡ଼ ପାଇଁ ଏକ ଅଭିନବ ଉପାୟ ମୋ ମୁଣ୍ଡରେ ଯୁଟିଥିଲା । ମୁଁ ଜାଣିଥିଲି, ମୋର ନିକଟ ସଂପର୍କିୟ ଅଥବା ବନ୍ଧୁମାନଙ୍କ ମଧ୍ୟରୁ ଏକ କଳୀନ ୨ଲକ୍ଷ ଟଙ୍କା ଧାର ଦେବା କାହା ପକ୍ଷରେ ସମ୍ଭବ ନୁହେଁ ତେଣୁ, ମାତ୍ର ୫ହଜାର ଓ ୧୦ହଜାର ଟଙ୍କା ଲେଖାଏଁ ଧାର ଦେବା ପାଇଁ ମୋର କେତେକ ଘନିଷ୍ଟ ବନ୍ଧୁଙ୍କୁ ଅନୁରୋଧ କରିଥିଲି ଏବଂ ସେମାନଙ୍କ ସହ ସର୍ତ୍ତ ଥିଲା ମୁଁ ଯେତେବେଳେ ସକ୍ଷମ ହେବି ସେତେବେଳ ସେମାନଙ୍କ ଊଣ ପରିଶୋଧ କରିଦେବି । ମୋର ଏହି ପ୍ରସ୍ତାବ ମ୍ୟାଜିକ ଭଳି କାମ ଦେଲା ସୋମବାର ରାତି ସୁଦ୍ଧା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ମୋ ହାତକୁ ଆସିଯାଇଥିଲା ।
ପର ଦିନ ନିର୍ଦ୍ଧାରିତ ସମୟରେ ଆମ୍ଭେମାନେ ବାବା, ମାମାଙ୍କ ଆର୍ଶିବାଦ ଓ ଅନ୍ୟମାନଙ୍କ ସୁଭେଚ୍ଛା ନେଇ ବିମାନ ବନ୍ଦରରେ ପହଞ୍ଚିଥିଲୁ । ସାନପୁଅ ସୁବ୍ରତ ଆମ ସହ ଆସିବା ଲାଗି ଆଗ୍ରହିଥିଲେ ମଧ୍ୟ ସେ ଆମ ସହ ବମ୍ବେ ଯିବା ସମ୍ଭବ ହୋଇନଥିଲା ।
ବମ୍ବେରେ ପହଞ୍ଚି ଆମ୍ଭେମାନେ କେଉଁଠି ରହିବୁ ତାହା ସ୍ଥିର କରିବା ଲାଗି ବର୍ହିଶୁଳ୍କ ବିଭାଗରେ କାର୍ଯ୍ୟ କରୁଥିବା ଓ ମୋତେ ବଡ଼ଭାଇ ଭଳି ଶ୍ରଦ୍ଧା ଓ ସମ୍ମାନ କରୁଥିବା ନିର୍ମଳ ମିଶ୍ରଙ୍କୁ ଫୋନ କରିଥିଲି । ନିର୍ମଳ ଥିଲେ ମୋ ସାନ ଶଳା ଜତିସର କ୍ଲାସମେଟ୍ ମାତ୍ର ଜତିସ ଅପେକ୍ଷା ଆମ ପରିବାର ସହ ନିର୍ମଳର ଘନିଷ୍ଟତା ଅଧିକ ଥିଲା । ଆମ ପାଇଁ ବମ୍ବେରେ ରହିବା ନିମନ୍ତେ ନିର୍ମଳ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ବ୍ୟବସ୍ଥା କରିବ ବୋଲି ପ୍ରତିଶୃତି ଦେଇଥିଲା ଏବଂ ସେ ଆମକୁ ନେବା ପାଇଁ ବିମାନ ବନ୍ଦରକୁ କାର ଟିଏ ପଠାଇବା ଲାଗି ମଧ୍ୟ କହିଥିଲା ।
ଭୁବନେଶ୍ୱର ବିମାନ ବନ୍ଦରରେ ବିମାନରେ ଝରକା ନିକଟସ୍ଥ ଆସନଟିରେ ଚନ୍ଦ୍ରପ୍ରଭାଙ୍କୁ ବସାଇ ମୁଁ ତାଙ୍କ ନିକଟରେ ବସିଥିଲି ଅନ୍ୟମାନେ ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଆସନରେ ମଧ୍ୟ ବସିଥିଲେ । ବିମାନଟି ଉଡ଼ିବାକୁ ଆରମ୍ଭ କଲାମାତ୍ରେ ମୁଁ ଝରକା ଦେଇ ଲିଙ୍ଗରାଜ ମନ୍ଦିର ଦେଖାଇ ଚନ୍ଦ୍ରପ୍ରଭାଙ୍କୁ ନମସ୍କାର କରିବା ପାଇଁ କହିଥିଲି । ମାତ୍ର ଚନ୍ଦ୍ରପ୍ରଭାଙ୍କ ଆଖିକୁ କିଛି ଦେଖାଯାଉନାହିଁ ବୋଲି କହି ସେ କାନ୍ଦି ଉଠିଥିଲେ । ମୁଁ ଏଥର ଆମେ ମାନେ କିଭଳି ସୁରୁଖୁରୁରେ ବମ୍ବେରେ ପହଞ୍ଚିବୁ ସେଥିପାଇଁ ପ୍ରଭୁ ଜଗନ୍ନାଥ ଶ୍ରୀ ଲିଙ୍ଗରାଜ ଏବଂ ଆମର ଇଷ୍ଟଦେବତା ପ୍ରଭୁ ରାଧାକାନ୍ତଙ୍କୁ ସ୍ମରଣ କରି ଆର୍ଶିବାଦ ଭିକ୍ଷା କରୁଥାଏ କେବଳ । ଆମେ ବାବା, ମାମାଙ୍କ ଠାରୁ ବିଦାୟ ନେଇ ଆସିବା ସମୟରେ ମାମା ତାର ଚିରା ଚରିତ ଢ଼ଙ୍ଗରେ ଯତ୍ନରେ ସାଇତି ରଖିଥିବା ରାଧାକାନ୍ତଙ୍କ ଚନ୍ଦନ ଓ ତୁଳସୀ ଚନ୍ଦ୍ରପ୍ରଭାଙ୍କ ମୁଣ୍ଡରେ ଛୁଆଁଇ ଖୁଆଇ ଦେଇଥିଲା ଏବଂ ସେଥିରୁ କିଛି ସବୁବେଳେ ପାଖରେ ରଖିଲେ ସେ ନିଶ୍ଚିତ ଆରୋଗ୍ୟ ଲାଭ କରିବ ବୋଲି ଭରଷା ଦେଇଥିଲା । ବମ୍ବେରେ ପହଞ୍ଚିବା ପରେ ନିର୍ମଳ ପଠାଇଥିବା କାରଟିକୁ କିଭଳି ଭାବେ ଆମେ ଚିହ୍ନଟ କରିବୁ ବୋଲି ପ୍ରଶ୍ନ କରିବା ସମୟରେ ନିର୍ମଳ କହିଥିଲେ ଯେ, ଡ଼୍ରାଇଭର ହାତରେ ଗୋଟିଏ ମୋ ନାମ ଲେଖା ଥିବା ଛୋଟ ପୋଷ୍ଟର ଧରି ଛିଡ଼ା ହୋଇଥିବେ ତେଣୁ ଗାଡ଼ି ଚିହ୍ନିବାରେ କୌଣସି ଅସୁବିଧା ହେବନାହିଁ ।
ବମ୍ବେ ବିମାନ ବନ୍ଦରରେ ପହଞ୍ଚି ଆମେ ୫ଜଣ ବାହାରକୁ ଆସିବା ସମୟରେ ଦେଖିଲୁ ଯେ, ଶହସ୍ର ଗାଡ଼ି ସେଠାରେ ଅପେକ୍ଷା କରିଛି ଏବଂ ଅଧିକାଂଶ ଡ୍ରାଇଭର ବିଭିନ୍ନ ବ୍ୟକ୍ତିଙ୍କ ନାମ ଲେଖାଥିବା ଖଣ୍ଡେଲେଖାଏଁ ପୋଷ୍ଟର ଧରିଛନ୍ତି । ଏଭଳି ଦୃଶ୍ୟ ଦେଖି ମୁଁ ଏକ ପ୍ରକାର ବିଚଳିତ ହୋଇପଡ଼ି ଏତେଗୁଡି଼ଏ ଲୋକଙ୍କ ଭିତରୁ ଆମକୁ କିଏ ନେବା ପାଇଁ ଆସିଛି ତାହା କିପରି ଜାଣିବା ବୋଲି ପାର୍ଥକୁ ପ୍ରଶ୍ନ କରିବାରୁ ପାର୍ଥ ଅବିଚଳିତ ଭାବେ ହସିହସି ଜଣେ ଡ୍ରାଇଭର ଆଡ଼କୁ ଆଙ୍ଗୁଳି ଦେଖାଇ କହିଥିଲେ, ଏହି ଲୋକ ଆମ ପାଇଁ ଗାଡ଼ି ଆଣିକି ଆସିଛନ୍ତି । ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖେତ ସେଠାରେ ଉପସ୍ଥିତ ଥିବା ସମସ୍ତ ଡ୍ରାଇଭର ହିନ୍ଦି ଓ ଇଂରାଜୀରେ ପ୍ଲାକାର୍ଡ଼ ଧରି ଛିଡ଼ା ହୋଇଥିବା ସମୟରେ ମାତ୍ର ଜଣେ ଡ୍ରାଇଭର ଓଡ଼ିଆରେ ପ୍ରଶାନ୍ତ ପଟ୍ଟନାୟକ ଲେଖାଥିବା ପ୍ଲାକାର୍ଡ଼ଟେ ଧରି ଛିଡ଼ା ହୋଇଛନ୍ତି ।
ଏଥର ଆମେ ସେହି କାରରେ ବସିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଜଣେ ଫକିର ଆମ କାର ନିକଟରେ ଆସି ହସିହସି ଚନ୍ଦ୍ରପ୍ରଭାଙ୍କୁ ଚାହିଁଲେ ଏବଂ ଆର୍ଶିବାଦ କରିବା ଭଙ୍ଗିରେ ହାତକୁ ଟେକି ଆର୍ଶିବାଦ କଲେ । ଫକିରଙ୍କୁ ଦେଖି ଚନ୍ଦ୍ରପ୍ରଭା ତାଙ୍କୁ କିଛି ଟଙ୍କା ଦେବା ଉଦ୍ଧେଶ୍ୟରେ ତାଙ୍କ ପର୍ସଟି ଖୋଲିବା ପାଇଁ ଉଦ୍ୟତ ହେଉଥିବା ସମୟରେ ମୁଁ ତାଙ୍କୁ ବାଧା ଦେଇ କହିଥିଲି, ଭିକାରୀମାନେ ସବୁବେଳେ କାତଟାକୁ ଓଲଟାଇ ଦେଖାଇଥାନ୍ତି ମାତ୍ର ଏହି ଫକିର ତାଙ୍କ ହାତକୁ ଆର୍ଶିବାଦ କରିବା ଢ଼ଙ୍ଗରେ ରଖିଛନ୍ତି । ମୋ ଠାରୁ ଏତକ ଶୁଣିବା ପରେ ଚନ୍ଦ୍ରପ୍ରଭା ସେହି ଫକିରଙ୍କ ପାଦ ଛୁଇଁ ନମସ୍କାର କଲେ ଓ ଆମ ସହ କାରରେ ବସିଲେ । ସେହି କାରର ଡ୍ରାଇଭର ଥିଲେ ଜଣେ ଶିଖ୍ ସମ୍ପ୍ରଦାୟର ପଗଡ଼ି ପିନ୍ଧା ବ୍ୟକ୍ତି । ସାଧାରଣତଃ ଶିଖମାନେ ସେମାନଙ୍କ ଗାଡ଼ିରେ ଗୁରୁ ନାନକ ଅଥବା କୌଣସି ଧର୍ମ ଗୁରୁଙ୍କ ଫଟୋ ଓ ଶତ୍ ଶ୍ରୀ ଅକାଲ ଲେଖାଥିବା ଚିତ୍ର ରଖିଥାନ୍ତି । ମାତ୍ର ଏହି ଶୁଳ୍କକେଶା ଶିଖ ଡ୍ରାଇଭର ତାଙ୍କ ଟ୍ୟାକ୍ସିରେ ଶିରିଡ଼ି ସାଇ ବାବାଙ୍କ ଫଟୋଟିଏ ରଖିଥିଲେ ।
ଆମେ ଏଥର ନିର୍ମଳ ଆମ ପାଇଁ ବୁଝିଥିବା ଦୁଇ ତିନୋଟି ସ୍ଥାନ ଆମକୁ ବୁଲାଇ ଦେଖାଇଥିଲେ । ଓଡ଼ିଶାରୁ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସଂପର୍କିୟ ମାନେ ଯେଉଁସବୁ ହୋଟେଲ ବା ଅନ୍ୟାନ୍ୟ ସ୍ଥାନମାନଙ୍କରେ ରହୁଥିଲେ ସେଭଳି କିଛି ସ୍ଥାନ ଦେଖିବା ପରେ ସେଠାର ପରିବେଶ ଓ ପରିସ୍ଥିତି ଆମମାନଙ୍କ ମନକୁ ଯାଇନଥିଲା । ଏହି ସମୟରେ ଏକ ଅଜଣା ନମ୍ବରରୁ ମୁଁ ଫୋନ କଲଟିଏ ପାଇଥିଲି ନମ୍ବର ଦେଖି କିଏ ଫୋନ କରିଛନ୍ତି ଜାଣିବା ମୋ ପକ୍ଷରେ ସମ୍ଭବ ନଥିବାରୁ ଅପର ପାଶ୍ୱର୍ରେ ଫୋନ କରିଥିବା ବ୍ୟକ୍ତି କହିଲେ ‘ପ୍ରଶାନ୍ତ ଭାଇ ମୁଁ କାବୁନି କହୁଛି, ବାଣୀବିହାରରେ ପଢ଼ିବା ସମୟରେ ଆପଣଙ୍କ ଘରେ ଚନ୍ଦ୍ରା ଅପାଙ୍କ ହାତରନ୍ଧା ବହୁତ ଥର ଖାଇଚି ଏବଂ ଆପଣଙ୍କ ପରିବାରକୁ ମୁଁ ଗୋଟିଏ ମୁହୂର୍ତ୍ତବି ଭୁଲିପାରିନି । ଆପଣ ଚନ୍ଦ୍ରାଅପା ଓ ବାପି ବମ୍ବେ ଆସିଛନ୍ତି ଖବର ପାଇଲି ମୁଁ ଏବେ ବମ୍ବେର ନାଭି ମୁମ୍ବାଇରେ ରହୁଛି ପିଲାମାନେ ଭୁବନେଶ୍ୱରରେ ପଢ଼ାପଢ଼ି କରୁଥିବାରୁ ମୁଁ ଏଠି ଏକୁଟିଆ ଅଛି ଆପଣମାନେ ଯଦି ମୋ ଘରେ ରହିପାରନ୍ତେ ମୁଁ ବହୁତ ଖୁସି ହୁଅନ୍ତି । ଅବଶ୍ୟ ଟାଟା ମେମୋରିଆଲ୍ ଠାରୁ ମୋ ଘରର ଦୂରତା ପ୍ରାୟ ୨୮ କିଲୋମିଟରରୁ ଅଧିକା ହେବ ଆପଣମାନେ ଯଦି ମ୍ୟାନେଜ କରିପାରିବେ ତେବେ ମୁଁ ବହୁତ ଖୁସିହେବି ।
ଏହି ଫୋନଟି ପାଇବା ପେ ସୌଜନ୍ୟତା ଦୃଷ୍ଟିରୁ ତାଙ୍କ ସହ କେଇପଦ କଥାବାର୍ତ୍ତା ହୋଇ ନାଭି ମୁମ୍ବାଇରେ ସେ ରହୁଥିବା ଘରର ଠିକଣା ବୁଝିନେଲି ଓ ତା ପରେ ଆମେ ସବୁ ସେହି ଘରଟି ଦେଖିବା ପାଇଁ ବାହାରି ପଡ଼ିଲୁ ।
ଶିଖ୍ ଡ୍ରାଇଭର ଜଣଙ୍କ ବିନା ଦ୍ୱିଧାରେ ଆମ୍ଭମାନଙ୍କୁ ନେଇ ସେହିସ୍ଥାନରେ ପହଞ୍ଚାଇ ଦେଇଥିଲେ । କୁବୁନି ଆମମାନଙ୍କୁ ଦେଖି ଆନନ୍ଦରେ ଆତ୍ମହରା ହୋଇପଡ଼ିଥିଲେ ଏବଂ ତାଙ୍କ ଘରକୁ ପାଛୋଟି ନେଇ ପ୍ରତିଟି କୋଠରୀ ବୁଲାଇ ଦେଖାଇଥିଲେ । ସେ ଏକ ରାଷ୍ଟ୍ରାୟତ ବ୍ୟାଙ୍କର ଉଚ୍ଚ ପଦବିରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କୁ ୪ବଖରା ବିଶିଷ୍ଟ ସୁସଜ୍ଜିତ ଘରଟିଏ ବ୍ୟାଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା । ସେ ଏକାକି ରହୁଥିବାରୁ ଜଣେ ପରିଚାରିକା ଆସି ସକାଳୁ ଘରଦ୍ୱାର ପରିସ୍କାର କରିବା ସହ ଚା’ଜଳଖିଆ ପ୍ରସ୍ତୁତ କରିଯାଉଥିଲା । ରାତିପାଇଁ ସେ ଫ୍ରିଜ୍‌ରେ ରଖିଥିବା ଖାଦ୍ୟ ପଦାର୍ଥକୁ ମାଇକ୍ରୋୱେଭରେ ଗରମ କରି ଖାଇଦେଉଥିଲା ।
ବମ୍ବେ ସହରରେ ଏତେ ବଡ଼ ଘର ଓ ଚଳିବା ଲାଗି ସମସ୍ତ ସୁବିଧା ଥିବା ଦେଖି ଆମେ ସମସ୍ତେ ବେଶ ଖୁସି ହୋଇଥିଲୁ । ଟାଟା ଇନଷ୍ଟିଚ୍ୟୁଟ ଠାରୁ ନାଭି ମୁମ୍ବାଇର ଦୂରତା ସମ୍ପର୍କରେ ଆମ୍ଭେମାନେ ଆଲୋଚନା କରିବା ସମୟରେ ସେଠାରେ ଉପସ୍ଥିତ ଥିବା ପୂର୍ବକ୍ତୋ ଶିଖ୍ ଟ୍ୟକ୍ସି ମାଲିକ ଆମ୍ଭମାନଙ୍କୁ ଆସ୍ୱାସନା ଦେଇ କହିଥିଲେ ‘ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ପ୍ରତିଦିନ ଏଠାରୁ ଟାଟା ମେମୋରିଆଲକୁ ଆପଣମାନଙ୍କୁ ନବା ଆଣିବା କରିବାର ବ୍ୟବସ୍ଥା କରିବି । ଏଥିପାଇଁ ଅଧିକ କିଛି ଅର୍ଥ ଆପଣଙ୍କୁ ପଡ଼ିବ ନାହିଁ ।’
ରହିବା ଲାଗି ଏକ ନିରାପଦ ଓ ସମ୍ମାନ ଜନକ ସ୍ଥାନ ମିଳିଯିବା ପରେ ପରଦିନ ଠିକ୍ ସମୟରେ ଶିଖ ଡ୍ରାଇଭର ଆସି ଆମ୍ଭମାନଙ୍କୁ ନେଇ ଟାଟା ମେମୋରିଆଲ ହସ୍ପିଟାଲରେ ପହଞ୍ଚାଇ ଦେଇଥିଲେ । ସେଠାରେ ଚନ୍ଦ୍ରପ୍ରଭାଙ୍କ ଚିକିତ୍ସା ପାଇଁ ପରୀକ୍ଷା ନିରୀକ୍ଷା ଆରମ୍ଭ ହେବା ପୂର୍ବରୁ ଉକ୍ତ ଅନୁଷ୍ଠାନରେ କ୍ୟାନ୍ସର ବିଭାଗରେ କାର୍ଯ୍ୟରତ ଡ଼ାକ୍ତର ସଂଜୟ ଶର୍ମାଙ୍କ ସହ ନିର୍ମଳ ଆମଙ୍କୁ ପରିଚିତ କରାଇଦେଇଥିଲେ । ବିଦେଶରୁ ଟାଟା ମେମୋରିଆଲ ହସ୍ପିଟାଲ ପାଇଁ ଆମଦାନି କରାଯାଉଥିବା ମୂଲ୍ୟବାନ ଯନ୍ତ୍ରପାତି ଗୁଡିକର କଷ୍ଟମକ୍ଲିୟରାନ୍ସ ପାଇଁ ନିର୍ମଳ ଡ଼.ଶର୍ମାଙ୍କୁ ପୂର୍ବରୁ ସହଯୋଗ କରୁଥିବା ଦୃଷ୍ଟିରୁ ଡ଼.ଶର୍ମାଙ୍କ ସହ ତାଙ୍କର ସୁସଂପର୍କ ଥିଲା । ମୁଁ ଓଡ଼ିଶାର ଜଣେ ସାମ୍ବାଦିକ ବୋଲି ପରିଚୟ ପାଇବା ପରେ ଡ଼.ଶର୍ମା ଆନନ୍ଦିତ ହୋଇ କହିଥିଲେ ଯେ, ଓଡ଼ିଶା ସହ ତାଙ୍କର ସଂପର୍କ ଅତି ଘନିଷ୍ଟ ଏବଂ ତାଙ୍କ ମାମୁଁ ଘର ସମ୍ବଲପୁରରେ । ସେ ମୋ ସହ ଓଡ଼ିଆରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ ।
ଟାଟା ମେମୋରିଆଲର ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଜଣେ ରୋଗୀଙ୍କ ସହ ଏକାଧିକ ସଂପର୍କିୟ ନଥିଲେ ସେଠାରେ ଚିକିତ୍ସିତ ହେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥାଏ । କାରଣ ଆଉଟ ପେସେଣ୍ଟ ଡ଼ିପାର୍ଟମେଣ୍ଟ ପାଇଁ ନାମ ପଞ୍ଜିକରଣ କରିବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଆବଶ୍ୟକୀୟ ଅର୍ଥ ଜମା କରିବା ନିମନ୍ତେ ପ୍ରତିଟି କାଉଂଟରରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିଥାଏ । ସେତେବେଳକୁ ମୁଁ ପାର୍ଥ ଅମରଜିତ ଓ ଶଶିଅପାଙ୍କ ସହିତ ସୁରେନ୍ଦ୍ର ମହାପାତ୍ର ମଧ୍ୟ ଆମ ସହ ଯୋଡ଼ି ହୋଇଯାଇଥିଲେ । ତେଣୁ ବିଭିନ୍ନ କାଉଂଟରରେ ଆବଶ୍ୟକୀୟ ଅର୍ଥ ଜମାଦେବା ଏବଂ ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିବା ଦିଗରେ ବିଶେଷ କିଛି ଅସୁବିଧା ହେଉନଥାଏ ।
ବିଭିନ୍ନ ପରୀକ୍ଷା ପାଇଁ ନମୁନା ଦେବା ପରେ ଏବଂ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଏକ୍ସରେ ଓ ସ୍କାନିଙ୍ଗ ପ୍ରଭୃତି ଶେଷ ହେବା ପରେ ରିପୋର୍ଟ ଗୁଡ଼ିକ ସନ୍ଧ୍ୟାପରେ ମିଳିଥାଏ ।ଚନ୍ଦ୍ରପ୍ରଭାଙ୍କ ଠାରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ନମୁନା ସଂକ୍ରାନ୍ତିୟ ରିପୋର୍ଟ ଆସିବା ପାଇଁ ଆମେ ସବୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଉ ସେତେବେଳେ ଆମେ ସମସ୍ତେ ପାଖା ପାଖି ବସିଥିଲେ ସୁଦ୍ଧା କେହିକାହାରି ସହିତ କଥାବାର୍ତ୍ତା ହେବାପାଇଁ ଭରସା ପାଉନଥିଲୁ । ଏଭଳି ଉତ୍କଣ୍ଠିତ ଅବସ୍ଥାରେ ଥିବା ସମୟରେ ମୁଁ ପ୍ରକୃତିର ତାଡ଼ନାରେ ଦୁଇଥର ପରିଶ୍ରାଗାରାକୁ ଯାଇଥିଲେ ମଧ୍ୟ ଉପଯୁକ୍ତଭାବେ କାର୍ଯ୍ୟସମାପନ ନକରି ପ୍ୟାଣ୍ଟର ଚେନ୍ ନଖୋଲି ପରିଶ୍ରା କରିଦେଇଥିବା ଭଳି ଅଭାବନୀୟ ଅନୁଭୂତି ଅଙ୍ଗେନିଭାଇଥିଲି ।
ଚନ୍ଦ୍ରପ୍ରଭାଙ୍କର ବିଭିନ୍ନ ପରିକ୍ଷାର ଗୋଟିକ ପରେ ଗୋଟିଏ ରିପୋର୍ଟ ଆସିବାକୁ ଆରମ୍ଭ କଲା ଉତ୍କଣ୍ଠିତ ହୋଇ ଆମ୍ଭେମାନେ ଦେଖିଥିଲୁଯେ, ଅଧିକାଂଶ ରିପୋର୍ଟ ସନ୍ଧେହରୁ ଉର୍ଦ୍ଧରେ ଥିଲା । ପରିକ୍ଷା ଗୁଡ଼ିକ ମଧ୍ୟରୁ କେତେଗୁଡ଼ିଏ ଯନ୍ତ୍ରଣା ଦାୟକ ଥିଲେ ମଧ୍ୟ ଚନ୍ଦ୍ରପ୍ରଭା ସହଯୋଗ କରିବା ପାଇଁ କୁଣ୍ଠିତ ହେଉନଥିଲେ ।
ନାଭି ମୁମ୍ବାଇରେ ରହିବା ଲାଗି ଭଲ ଘରଟେ ମିଳିଯାଇଥିବାରୁ ସେଠାରେ ରୋଷେଇବାସ କରି ଖିଆପିଆ କରିବା ପାଇଁ ବ୍ୟବସ୍ଥା କରିଥିଲୁ । ସକାଳୁ ସକାଳୁ ବାପି ଓ ଜୁବୁଲି ନିକଟସ୍ଥ ମାର୍କେଟକୁ ଯାଇ ମାଛ ପରିବାପତ୍ର ପ୍ରଭୃତି ନେଇଆସୁଥିଲେ । ଚନ୍ଦ୍ରପ୍ରଭା ସକାଳର ଚା’ପିଇବା ଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଆମ ସହ ଯୋଗ ଦେଉଥିବାରୁ ତାଙ୍କର ଅସୁସ୍ଥତାକୁ ସେ ଆପାତ୍ତିତ ପାସୋରି ଯିବା ପାଇଁ ଆମେ ସମସ୍ତେ ଜପ୍ତରନାସ୍ତି ଚେଷ୍ଠା କରୁଥିଲୁ ।
ପ୍ରାୟ ସବୁ ପରିକ୍ଷାର ରିପୋର୍ଟ ଦେଖିବାପେରେ ଡ଼. ଶର୍ମା ଆନନ୍ଦ ପ୍ରକାଶ କରିବା ସହ କଟକଠାରେ ଡ଼. ଆଚାର୍ଯ୍ୟ ଦେଇଥିବା ରିପୋର୍ଟଟିର ସତ୍ୟାସତ୍ୟ ଜଣାଇବା ପାଇଁ ସେ ନିଜେ ଚନ୍ଦ୍ରପ୍ରଭାଙ୍କ ଗୋଡ଼ ବୁଢ଼ା ଆଙ୍ଗୁଠି ନିକଟରୁ ରକ୍ତ ପ୍ରଭୃତି ନେଇ ପରୀକ୍ଷା କରିବା ପାଇଁ ପଠାଇଥିଲେ । ତା’ସହ ତାଙ୍କର ଥାଇରୋଗ୍ଲୋବିଲିନ୍ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର କ୍ଷମତା ପ୍ରାପ୍ତ ପରିକ୍ଷାଗାରକୁ ମଧ୍ୟ ପଠାଯାଇଥିଲା । ସେହି ରିପୋର୍ଟଟି ଆସିବା ନିମନ୍ତେ ଆମେ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ମଧ୍ୟ ପରଦିନ ରିପୋର୍ଟ ମିଳିବା ଲାଗି ନିର୍ଭର ପ୍ରତିଶୃତି ମିଳିବା ପରେ ଆମେ ସମସ୍ତେ ନାଭି ମୁମ୍ବାଇ ଫେରିଆସି ଖାଇ ପିଇ ଶୋଇଯାଇଥିଲୁ ।
ଅତିମାତ୍ରାରେ ଉତ୍କଣ୍ଠିତ ଭାବେ ରାତ୍ରୀଟି କଟିଯିବା ପରେ ସକାଳୁ ଉଠି ଏକତ୍ର ଚା’ପିଉଥିବା ସମୟରେ ପାର୍ଥ ମୋତେ କହିଥିଲା ଗତକାଲି ପାହାନ୍ତାରୁ ସେ ସାଇବାବାଙ୍କୁ ସ୍ୱୋପ୍ନ ଦେଖିଛି ଏବଂ ମାମାର ଆଦୌ କ୍ୟାନ୍ସର ନୁହେଁବୋଲି ସାଇବାବା ତାକୁ ଶାନ୍ତ୍ୱନା ଦେଇଛନ୍ତି ।
ପାର୍ଥ କଥା ଶୁଣି ମୁଁ ସ୍ୱଭାବ ସୁଲଭ ଭଙ୍ଗିରେ କହିଥିଲି, ତୁ ଯାହା ଦଖିଛୁ ତାହା ସ୍ୱପ୍ନ ତେଣୁ ତାକୁ ସତ ବୋଲି କିଭଳି ଗ୍ରହଣ କରିବା । ମୋ କଥା ଶୁଣି ପାର୍ଥ କହିଲା ‘ବାବା ମୋ ସ୍ୱପ୍ନ ଯଦି ସତ ହୋଇଥାଏ ତେବେ ଆମେ ଏଠୁ ସିଧା ସଳଖ ଶିରିଡ଼ି ଯାଇ ସାଇବାବାଙ୍କ ଦର୍ଶନ କରିବାର ବ୍ୟବସ୍ଥା କରିବ କି?’
ମୁଁ କାଳ ବିଳମ୍ବ ନକରି ତାକଥାରେ ସହମତ ହୋଇଥିଲି ଏବଂ ସବୁଦିନ ଭଳି ନିତ୍ୟକ୍ରମ ସାରି ଆମେ ସମସ୍ତେ ଟାଟା ମେମୋରିଆଲକୁ ଯାଇଥିଲୁ ।
ସେଠାରେ ଅନେକ ସମୟ ଆପେକ୍ଷା କରିବା ପରେ ପ୍ରତିକ୍ଷାର ଅନ୍ତ ଘଟିଥିଲା । ଡ଼. ସଂଜୟ ଶର୍ମା ତାଙ୍କ କୋଠରିକୁ ଡ଼କାଇ ଚନ୍ଦ୍ରପ୍ରଭା କ୍ୟାନ୍ସରରେ ପିଡ଼ିତ ନୁହଁତି ବୋଲି ଦୃଢ଼ ଭାବରେ କହିବା ସଂଗେସଂଗେ ଆମ ହାତକୁ ରିପୋର୍ଟଟି ବଢ଼ାଇ ଦେଇଥିଲେ ।
କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନର ବରିଷ୍ଠ ଡ଼ାକ୍ତର ଦିଲିପ ଅଗ୍ରୱାଲ ସ୍ୱତନ୍ତ୍ର ଭାବରେ ଡ଼. ସଂଜୟ ଶର୍ମାଙ୍କ ନିକଟକୁ ଚନ୍ଦ୍ରପ୍ରଭାଙ୍କୁ ପରୀକ୍ଷା ଓ ଚିକିତ୍ସା ପାଇଁ ପଠାଇଥିବାରୁ ଡ଼. ଶର୍ମା ତାଙ୍କ ନିକଟକୁ ଅପ୍ରେଲ ୨ତାରିଖ ଦିନ ଡ଼. ଦିଲିପ ଅଗ୍ରୱାଲଙ୍କ ନିକଟକୁ ନିମ୍ନ ଲିଖିତ ଚିଠି ଲେଖି ଉଲ୍ଲେଖ କରିଥିଲେ ଯେ, ଚନ୍ଦ୍ରପ୍ରଭାଙ୍କର ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ସେ ଆଦୌ କ୍ୟନ୍ସରେ ଆକ୍ରାନ୍ତ ନୁହନ୍ତି ବୋଲି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । 

Dr. Sanjay Sharma
Consuling surgeon & Oncologist
Tata Memorial Hospital,
Dr. Emest Borges Road Parel, Mumbai – 400012
Apirl 2, 2001

To
Dr. Dillip Agarwala,
Oncologist,
Cuttack.
Writing in connection with mrs.chandra patnaik, 57 years old female, presented to me with pain and swelling inf lwft foot of three yreas duration. Outside investigation shows osteolytic lesion in left 1st metatasal and FNAC metastasis follicukar carcinoma. However here investigation including outside slide review, our repeat FNAC, ultra sound neck, mammogram, ultra sound abdomen, pelvis and all blood studies including the thyroglobulin assay shows on evidence of malignancy. Seeing the same i would advice for her to be observed and come for a follow up after four months.
Thanking You
(Dr. Sanjay Sharma)
Onco Surgeon.

ଡ଼. ଶର୍ମା ମୋ ହାତକୁ ଚିଠିଟି ବଢ଼ାଇ ଦେବା ପରେ ଆନନ୍ଦରେ ମୋ ସହ କରମର୍ଦ୍ଧନ କରି କହିଥିଲେ ବର୍ତ୍ତମାନ ଆପଣମାନେ ଆନନ୍ଦରେ ଓଡ଼ିଶାକୁ ଫେରିଯାଇପାରନ୍ତି । କିନ୍ତୁ ମୁଁ ମୋର ମନର ଆବେଗ ରୋକି ନପାରି ଡ଼. ଶର୍ମାଙ୍କୁ ପାର୍ଥର ସ୍ୱପ୍ନ ସଂପର୍କରେ ବର୍ଣ୍ଣନା କରିବା ସହ ପ୍ରତିଶୃତି ରକ୍ଷା କରି ଆମେ ସମସ୍ତେ ଶିରିଡ଼ି ଯିବା ପାଇଁ ବ୍ୟବସ୍ଥା କରିବା ଉଚିତ୍ ହେବ ବୋଲି କହିଥିଲି । ଡ଼. ଶର୍ମା ମୋ କଥାରେ ଏକ ମତ ହୋଇଥିଲେ । ଏଥି ମଧ୍ୟରେ ପାର୍ଥ ନିକଟସ୍ଥ ଏକ ମିଠା ଦୋକାନକୁ ଯାଇ କିଛି ସୁସ୍ୱାଦୁ ମିଠା ଏବଂ ନିକଟରେ ଥିବା ଏକ କଲମ ଦୋକାନରୁ ଦାମିକା ଡ଼ଟ୍ ପେନଟିଏ କିଣି ଆଣିଥିଲା । ତେଣୁ ଡ଼. ଶର୍ମା ଓ ତାଙ୍କ ସହ ସଂପୃକ୍ତ ପ୍ରତେକଙ୍କ ପାଇଁ ମିଠା ଓ ତାଙ୍କ ପାଇଁ ଆଣିଥିବା ଡ଼ଟ୍ ପେନଟି କୃତଜ୍ଞତାର ଉପହାର ସ୍ୱରୁପ ଦେଇ ବିଦାୟ ନେଇ ଆସିଥିଲୁ ।
ଶିରିଡ଼ି ସାଇବାବାଙ୍କ ସଂପର୍କରେ ବାପି ଦେଖିଥିବା ସ୍ୱପ୍ନ ସଫଳ ହେବା ପରେ ଚନ୍ଦ୍ରପ୍ରଭାଙ୍କ ସମେତ ଆମ ସମସ୍ତଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ । ଆଉ ସମୟ ନଷ୍ଟ ନକରି ତୁରନ୍ତ ଶିରିଡ଼ି ଯାତ୍ରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲୁ । ବମ୍ବେ ଠାରୁ ଶିରିଡ଼ିର ଦୂରତା ପ୍ରାୟ ୨୩୮ କିଲୋମିଟର ହୋଇଥିବାରୁ ଗୋଟିଏ ଟ୍ୟାକ୍ସି ନେଇ ଆମେ ସମସ୍ତେ ଶିରିଡ଼ି ଅଭିମୁଖେ ଯିବା ପାଇଁ ଆଲୋଚନା କରୁଥିବା ସମୟରେ ସୁରେନ୍ଦ୍ର ମହାପାତ୍ର ପ୍ରସ୍ତାବ ଦେଇଥିଲେ ଯେ, ଟ୍ୟାକ୍ସି ଟିଏ ଭଡ଼ା ନକରି ତାଙ୍କର ନିଜସ୍ୱ ଆମ୍ବାସଡ଼ର ଗାଡିଟି ନେଇ ଶିରିଡ଼ି ଗଲେ ସେ ମଧ୍ୟ ଆମମାନଙ୍କ ସହ ଶିରିଡ଼ି ଯାଇପାରନ୍ତେ ଓ ବାବାଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିପାରନ୍ତେ । ସେତେବେଳେ ଆମମାନଙ୍କ ନିକଟରେ ଉପସ୍ଥିତ ଥିବା ଅମର ମହାନ୍ତି ମଧ୍ୟ ଆମ ସହ ଶିରିଡ଼ି ଯିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ।
ଅମର ହେଉଛନ୍ତି ମୋ ଜଣେ ଘନିଷ୍ଠ ସାମ୍ବାଦିକ ବନ୍ଧୁ ଶିରିସ ମହାନ୍ତିଙ୍କ ଦ୍ୱିତୀୟ ପୁତ୍ର । ସେ କେନ୍ଦୁଝରର ଯୋଡ଼ାଠାରେ ବସବାସ କରିବା ସହ ମାଟ୍ରିକ ପରୀକ୍ଷା ଦେଇଥିଲେ । ମାତ୍ର ପରୀକ୍ଷାରେ କୃତକାର୍ଯ୍ୟ ହେବା ନେଇ ଘୋର ସନ୍ଦେହ ଥିବାରୁ ବାପା ମା’ଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଘର ଛାଡ଼ି ଚାଲିଆସିଥିଲେ । ଅମର ନିରୁଧିଷ୍ଟ ହେବା ପରେ ଶିରିସ ଅତିମାତ୍ରାରେ ବିଚଳିତ ହୋଇପଡ଼ିଥିଲେ ଏବଂ ତାଙ୍କର ସନ୍ଧାନ ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଥିଲେ । ଏହି ସମୟରେ ଶିରିସ ଅମରର ସନ୍ଧାନ ପାଇଁ ବିଭିନ୍ନ ଦେବା ଦେବୀ ଓ ଜୋତିଷମାନଙ୍କର ଦ୍ୱାରସ୍ତ ହୋଇ ବହୁ ଅର୍ଥ ବ୍ୟୟ କରିଥିଲେ ସୁଦ୍ଧା କୌଣସି ସୁଫଳ ପାଇପାରିନଥିଲେ । ଶିରିସଙ୍କ ଠାରୁ ଏ ସଂପର୍କିତ କଥା ଶୁଣିବା ପରେ ଚନ୍ଦପ୍ରଭା ପ୍ରସ୍ତାବ ଦେଇଥିଲେ ଯେ, ପୁରୀଠାରେ ଥିବା କାମାକ୍ଷା ଠାକୁରାଣୀଙ୍କ ମନ୍ଦିରର ପ୍ରତିଷ୍ଠାତା ହରିହର ମହାନ୍ତିଙ୍କ ନିକଟକୁ ଯାଇ ପୂଜାକଲେ କିଛି ସୁଫଳ ହୁଏତ ମିଳିପାରେ । ଚନ୍ଦ୍ରପ୍ରଭାଙ୍କ ପ୍ରସ୍ତାବ ଅନୁଯାୟୀ ଆମେ ସମସ୍ତେ ପୁରୀ ଯାଇଥିଲୁ ଓ କାମାକ୍ଷାଙ୍କ ନିକଟରେ ଗୁଆ ନଡିଆ ବସାଇ ହରି ଭାଇଙ୍କୁ ଅମର ଫେରିବା ଲାଗି ପ୍ରାର୍ଥନା କରିବା ନିମନ୍ତେ ଅନୁରୋଧ କରିଥିଲୁ ।
ହରି ଭାଇଙ୍କୁ ମୋର ଶାଶୁ ପୁରୀର ଜଣାଶୁଣା ସମାଜସେବୀ ସରଶ୍ୱତି ଦେବୀ ଧରମ ପୁଅ ଭାବେ ସ୍ୱୀକୃତି ଦେଇଥିବାରୁ ହରିଭାଇ ଓ ଭାଉଜ ଆମମାନଙ୍କୁ ଯଥେଷ୍ଟ ଭଲପାଉଥିଲେ । ପ୍ରତିଦିନ ସନ୍ଧ୍ୟା ୬ଟା ସମୟରେ ହରିଭାଇ କାମାକ୍ଷାଙ୍କ ନିକଟରେ ସନ୍ଧ୍ୟାଧୂପ ସମାପ୍ତ କରିବା ସମୟରେ ଭାଉଜ ମନ୍ଦିରର ଛାତ ଉପରେ ବସି ତପସ୍ୟା କରିଥାନ୍ତି । ଏହି ସମୟରେ ଅନେକ ଲୋକ ବିଭିନ୍ନ ସମସ୍ୟା ସପଂର୍କରେ ଭାଉଜଙ୍କୁ ଗୁହାରି କରିଥାନ୍ତି । ଭାଉଜ ଧର୍ଯ୍ୟର ସହ ସେମାନଙ୍କୁ ସମସ୍ୟା ସମାଧାନର ଉପାୟ ମଧ୍ୟ ବତାଇ ଦେଇଥାନ୍ତି ।
ଚନ୍ଦ୍ରପ୍ରଭାଙ୍କ ସହ ଶିରିସ ଓ ମୁଁ କାମାକ୍ଷା ମନ୍ଦିରରେ ପହଞ୍ଚି ଭାଉଜ ଧ୍ୟାନରୁ ଉଠିବା ପରେ ତାଙ୍କୁ ଶିରିସ ତା’ପୁଅ ସଂପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଭାଉଜ କହିଥିଲେ ସେ ଧ୍ୟାନରେ ବସିଥିବା ସମୟରେ ପଶ୍ଚିମ ଦିଗର ଏକ ସମୁଦ୍ର କୁଳିଆ ସ୍ଥାନରୁ ଖଣ୍ଡେ କାଗଜ ଆସି କାମାକ୍ଷାଙ୍କ ପାଦ ତଳେ ପଡ଼ିବାର ଦୃଶ୍ୟ ଦେଖିଥିଲେ । ତେଣୁ ଅମର ସମ୍ଭବତଃ ବମ୍ବେରେ ଥାଇପାରେ ଓ ଖୁବ୍ ଶିଘ୍ର ସେ ଚିଠିଦେଇ ତା’ର ଭଲମନ୍ଦ ଜଣାଇପାରେ ।
କାମାକ୍ଷାଙ୍କ ମନ୍ଦିରରୁ ଫେରିବାର ପରଦିନ ହିଁ ଶିରିସ ଖବର ପାଇଥିଲା ଯେ ଅମର ବମ୍ବେରେ ରହିଛି ଓ ସୋଲଫ୍ରାଏ ନାମକ ଏକ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରିବା ସହ ପ୍ରକ୍ଷାତ ଅଭିନେତା ଓ ପ୍ରଯୋଜକ ଜ୍ୟାକି ସର୍ଫଙ୍କ ଦ୍ୱାରା ସୋନି ଟିଭି ପାଇଁ ପ୍ରଯୋଜିତ ‘ମିସିଙ୍ଗ୍‌’ ଧାରାବାହିକରେ ମଧ୍ୟ ଅଂଶ ଗ୍ରହଣ କରୁଥିଲା ।
ଉପରୋକ୍ତ ପରିପ୍ରେକ୍ଷିରେ ଶିରିଡ଼ି ସାଇବାବାଙ୍କୁ ଦର୍ଶନପାଇଁ ଅମରର ଉତ୍କଣ୍ଠାକୁ ଏଡ଼ାଇ ଦେବା ସମ୍ଭବ ନଥିଲା । ତା’ଛଡ଼ା ବମ୍ବେରୁ ଶିରିଡ଼ି ରାସ୍ତାର କେତେକ ଅଞ୍ଚଳ ନିଛାଟିଆ ଘାଟି ହୋଇଥିବାରୁ ଅଧିକ ସଂଖ୍ୟକ ବ୍ୟକ୍ତି ଯିବା ନିରାପଦ ବୋଲି ମନେ କରି ଆମେ ମାନେ ଯାତ୍ରା ଆରମ୍ଭ କରିଥିଲୁ ।
ଶିରିଡ଼ି ଦର୍ଶନ ପାଇଁ ଆମେମାନେ ମନସ୍ତ କରିଥିବା ବିଷୟ ବମ୍ବେଠାରେ କୁବୁନି (ରଞ୍ଜନ ପଟ୍ଟନାୟକ)ଙ୍କ ନିକଟରେ ଆଲୋଚନା କରୁଥିବା ସମୟରେ ସେ କହିଥିଲେ, ସେ ବହୁବାର ଚେଷ୍ଟା କରି ମଧ୍ୟ ସାଇବାବାଙ୍କ (କାକଟ ଆଳତୀ) ଦେଖିବାର ସୁଯୋଗ ପାଇପାରିନାହାନ୍ତି । ତେଣୁ ଆମମାନଙ୍କ ଭାଗ୍ୟରେ ହୁଏତ ସେହି ଆଳତୀ ଦେଖିବାର ସୁଯୋଗ ମିଳିନପାରେ ।
ପାର୍ଥର ସ୍ୱପ୍ନ ଏବଂ ଚନ୍ଦ୍ରପ୍ରଭାଙ୍କ ସ୍ୱାସ୍ଥ୍ୟ ସଂପର୍କିୟ ଉତ୍ସାହ ଜନକ ରିପୋର୍ଟ ପାଇବା ପରେ ମୁଁ ଅତିମାତ୍ରାରେ ଉତ୍ସାହିତ ହେବା ସହ ସାଇବାବାଙ୍କୁ ଦେଖିବା ପାଇଁ ବ୍ୟକୁଳତା ବଢ଼ିଯାଇଥିଲା । ବାବାଙ୍କ ଦର୍ଶନ ନିମନ୍ତେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାର ବ୍ୟବସ୍ଥା ଥିବାରୁ ଏତେ ସମୟ ଧର୍ଯ୍ୟର ସହ ମୁଁ ଠିଆ ହେବା ସମ୍ଭବ ପର ହେବ କି ନାହିଁ ସେ ସଂପର୍କରେ ଚନ୍ଦ୍ରପ୍ରଭା ବିଶେଷ ଭାବେ ସନ୍ଦିହାନ ଥିଲେ । କୁବୁନି କହିଥିଲେ ଯେ, ବାବାଙ୍କ କାକାଟ ଆଳତୀର ଟିକିନିଖି ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଥାଏ । ତେଣୁ ଧାଡ଼ିବାନ୍ଧି ଠିଆ ହୋଇଥିବା ଲୋକମଧ୍ୟ ସିସିଟିଭିରେ କାକଟ ଆଳତୀ ଦୃଶ୍ୟ ଦେଖିପାରିବେ । ଏସବୁ ଶୁଣିବା ପରେ ବି ଆମେମାନେ ବାବାଙ୍କ ଦର୍ଶନ ପାଇଁ ଯିବା ଲାଗି ଦୃଢ଼ ନିଶ୍ଚିତ ଥିଲୁ । ସେଦିନ ଥିଲା ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ପରଦିନ ରାମ ନବମୀ ହୋଇଥିବାରୁ ଶିରିଡ଼ି ଠାରେ ପ୍ରଚଣ୍ଡ ଜନସମାଗମ ହେବାର ସମ୍ଭାବନା ଥିବାରୁ କାକଟ ଆଳତୀ ଦେଖିବା ହୁଏତ ଅସମ୍ଭବହୋଇପାରେ ବୋଲି କେବଳ କୁବୁନି ନୁହନ୍ତି ଅନ୍ୟମାନେ ମଧ୍ୟ ଅନୁରୂପ ମତ ପ୍ରକାଶ କରିଥିଲେ ।
ମାତ୍ର ପାର୍ଥଥିଲା ନଛୋଡ଼ ବନ୍ଧା ଏବଂ ଚନ୍ଦ୍ରପ୍ରଭା ମଧ୍ୟ ଜିଦ୍ ଧରିଥିଲେ ଯେ, ଯେତେକଷ୍ଟ ସାଧ୍ୟ ହେଲେମଧ୍ୟ ଆମେ ଶିରିଡ଼ି ଯାଇ ବାବାଙ୍କୁ ଦର୍ଶନ କରିବା । ମନରେ ଏଭଳି ଆଶା ଆକାଂକ୍ଷା ନେଇ ଆମେ ସମସ୍ତେ ଶିରିଡ଼ି ଅଭିମୁଖେ ଯାଉଥିବା ସମୟରେ ଅଚାନକ ଭାବରେ ଏକ ଜଙ୍ଗଲିଆ ସ୍ଥାନରେ ଆମ କାରଟି ଅଟକି ଯାଇଥିଲା ଶ୍ରୀ ମହାପାତ୍ର ଓ ଅମର ଗାଡ଼ିର ବନେଟ ଖୋଲି ଦେଖିଥିଲେ ଯେ, ସବୁକିଛି ଠିକ ଥିଲେ ମଧ୍ୟ ଗାଡ଼ିରୁ ଡ଼ିଜେଲ ସବୁ ଗୋଟିଏ ଫଟା ପାଇପ ବାଟ ଦେଇ ନିଶେଷ ହୋଇଯାଇଛି । ତେଣୁ ଗାଡ଼ିରେ ଡ଼ିଜେଲ ଭର୍ତ୍ତି ନକଲେ ଆମେମାନେ ଗୋଟିଏ ଇଞ୍ଚବାଟ ଆଗକୁ ଯିବା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ଆମ ଗାଡ଼ିରେ ଥିବା ଗୋଟିଏ ଖାଲି ଜାରିକେନ ନେଇ ଶ୍ରୀ ମହାପାତ୍ର ଓ ଅମର ଶିରିଡ଼ିଯାଇ ଡ଼ିଜେଲ ଆଣିବା ପାଇଁ ସ୍ଥିର କରାଯାଇଥିଲା । ସେତେବେଳେ ସେହି ରାସ୍ତାରେ ଅନେକଗୁଡ଼ିଏ ଯାନବାହାନ ଯାତାୟତ କରୁଥିଲେ ମଧ୍ୟ ଆମ ନିକଟରେ ବହୁ ଚେଷ୍ଟା ସତ୍ତ୍ୱେବି କେହି ଅଟକି ନଥିଲେ । ପରିଶେଷରେ ଗୋଟିଏ ବସ୍ ଅଟକିଥିଲା ଏବଂ ଏହାର ଡ଼୍ରାଇଭର ଶିରିଡ଼ି ପର୍ଯ୍ୟନ୍ତ ମହାପାତ୍ର ଓ ଅମରଙ୍କୁ ନେବା ପାଇଁ ରାଜି ହୋଇଥିଲା । ଏହି ରାସ୍ତାଟିରେ ଅନେକ ସମୟରେ ଡ଼କାୟତମାନେ ଉତ୍ପାତ କରୁଥିବାରୁ ଦୁଇଜଣ ମହିଳା ଓ ଦୁଇଜଣ ବ୍ୟକ୍ତିଙ୍କୁ ଦେଖିଲେ ସେମାନେ ହୁଏତ ଆକ୍ରମଣ କରିପାରନ୍ତି ବୋଲି ବସର ଡ୍ରାଇଭର ସାବଧାନ କରାଇ ଦେଇଥିଲେ ।
ଶ୍ରୀ ମହାପାତ୍ର ଓ ଅମର ଡ଼ିଜେଲ ଆଣିବା ଲାଗି ବସରେ ଚାଲିଯିବା ପରେ ଆମେମାନେ ଅର୍ଥାତ୍ ଚନ୍ଦ୍ରପ୍ରଭା ମୁଁ ପାର୍ଥ ଓ ଶଶୀଅପା ଭାଗ୍ୟକୁ ଆଦରି କାର ନିକଟରେ ରହିଥିଲୁ । ପ୍ରାୟ ୪୫ମିନିଟ ପରେ ବିପରିତ ଦିଗରୁ ଗୋଟିଏ ପୋଲିସ ଜିପ୍ ଆସି ଆମ ନିକଟରେ ଅଟକିଥିଲା, ଏବଂ ସେଥିରୁ ଜଣେ ପୋଲିସ କର୍ମଚାରୀ ଓଲ୍ଲାଇ ଆସି କହିଥିଲେ, ‘ଆପଣଙ୍କ ସାଙ୍ଗମାନେ ଶିରିଡ଼ିରେ ପହଞ୍ଚି ଡ଼ିଜେଲ ଆଣି ଫେରିବା ପାଇଁ ବିଳମ୍ବ ହୋଇପାରେ ତେଣୁ ଆପଣମାନେ ମୋ ଗାଡ଼ିରେ ଶିରିଡ଼ି ପର୍ଯ୍ୟନ୍ତ ଚାଲନ୍ତୁ ସେଠାରେ ଥାନା ନିକଟସ୍ଥ ଗୋଟିଏ ହୋଟେଲରେ ପହଞ୍ଚି ଆପଣମାନେ ବିଶ୍ରାମ ନେଉଥିବା ସମୟରେ ଆପଣଙ୍କ ବନ୍ଧୁମାନେ ଥାନାରେ ପହଞ୍ଚି ଆପଣମାନଙ୍କ ଠିକଣା ବୁଝି ସାକ୍ଷାତ କରିପାରିବେ । ଇନ୍‌ସ୍ପେକ୍ଟରଙ୍କର ସୁହୃଦୟତାରେ ମୁଗ୍ଧହୋଇ ଆମେ ସମସ୍ତେ ତାଙ୍କ ଗାଡ଼ିରେ ବସି ଶିରିଡ଼ି ଅଭିମୁଖେ ଯାତ୍ରାକଲୁ । ଶ୍ରୀ ମହାପାତ୍ର ଓ ଅମର ଶିରିଡ଼ିରେ ପହଞ୍ଚି ଥାନାଠାରେ ଆମାମନଙ୍କ ଖବର ନେଇ ସାକ୍ଷାତ କରିବା ଲାଗି ପରାମର୍ଶ ଦେଇଥିଲୁ ।
ସେଦିନ ଥିଲା ଅଷୋକାଷ୍ଟମୀର ରାତି ପରଦିନ ରାମ ନବମୀ ତେଣୁ ଶିରିଡ଼ି ସହରଟି ଶ୍ରଦ୍ଧାଳୁମାନଙ୍କ ଭିଡ଼ରେ ଉଚ୍ଛୁଳି ପଡ଼ୁଥାଏ ଅଳ୍ପ ସମୟ ମଧ୍ୟରେ ଆମେ ଚାରିଜଣ ନିତ୍ୟକର୍ମ ଶେଷ କରି ବାବାଙ୍କ ଦର୍ଶନପାଇଁ ବାହାରିପଡ଼ିଥିଲୁ । ପାର୍ଥ ଦେଖିଥିବା ସ୍ୱପ୍ନ ସାକାର ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦର ସୀମା ନଥାଏ । ତଥାପି ଶ୍ରଦ୍ଧାଳୁମାନଙ୍କର ଏହି ପ୍ରଚଣ୍ଡ ଭିଡ଼ମଧ୍ୟରେ ଆମେ ସମସ୍ତେ କାକଟ ଆଳତୀ ଦେଖିପାରିବୁ କି ନା ସେ ସମ୍ପର୍କରେ ମନରେ ଘୋର ସନ୍ଧେହ ଥାଏ । ବାବାଙ୍କ ଦର୍ଶନ ଲାଗି ମନ୍ଦିର ମଧ୍ୟରେ ପ୍ରଚଣ୍ଡ ଭିଡ଼ ଲମ୍ବା ଧାଡ଼ି ଅତିକ୍ରମ କରି ଆମେମାନେ ବାବାଙ୍କୁ ଦର୍ଶନ ପାଇପାରିବୁ କି ନା ସେ ସମ୍ପର୍କରେ କେହି ହେଲେ ନିଶ୍ଚିତ ନଥିଲୁ । ଦୀର୍ଘ ସମୟ ଧରି ଚାଲିବା ଦିଗରେ ମତେକଷ୍ଟ ହେଉଥିବାରୁ ସିସିଟିଭିରେ କାକଟ ଆଳତୀ ଦେଖି ମୁଁ ଆତ୍ମ ସନ୍ତୋଷ ପାଇପାରିବି ଓ ଅନ୍ୟମାନେ ମନ୍ଦିର ଭିତରକୁ ଯାଇ ବାବାଙ୍କୁ ଦର୍ଶନ କରିପାରିବେ ବୋଲି ମନେମନେ ସ୍ଥିର କରିଥିଲୁ । ସେହି ସୁଦୀର୍ଘ ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ଚନ୍ଦ୍ରପ୍ରଭା ତାଙ୍କ ସାମ୍ନାରେ ସେହି ଧାଡ଼ିରେ ଠିଆ ହୋଇଥିବା ଜୈନେକ ଫକିରଙ୍କ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରି କହିଥିଲା, ‘ହେଇ ଦେଖ ବାବା ଆମ ଆଗେଆଗେ ଚାଲିଛନ୍ତି’ । ତାଙ୍କ କଥାକୁ ମୁଁ ବିଶେଷ ଗୁରୁତ୍ୱ ନଦେଇ କହିଥିଲି ଅଧିକାଂଶ ଫକିର ବାବାଙ୍କ ଭଳି ବେଶ ହୋଇଥାନ୍ତି ତେଣୁ ତୁମେ ସେଥିପ୍ରତି ଦୃଷ୍ଟି ନଦେଇ ଲାଇନରେ ସିଧା ଚାଲ । ମୋ କଥା ଚନ୍ଦ୍ରପ୍ରଭାଙ୍କୁ ସାମାନ୍ୟ ତମ ସନ୍ତୁଷ୍ଟ କରିପାରିନଥିଲା ସେ ସିସିଟିଭିରେ ଦେଖାଯାଉଥିବା ବାବାଙ୍କ ଚିତ୍ରପ୍ରତି ବାରମ୍ବାର ମୋ ଦୃଷ୍ଟି ଆକର୍ଷଣ କରି କହୁଥିଲେ ଆମ ଆଗେଆଗେ ଯିଏ ଚାଲିଛନ୍ତି ସିଏ ଆଉକେହି ନୁହନ୍ତି ସ୍ୱୟଂ ବାବା । ପାର୍ଥ ଓ ଶଶୀଅପା ଆମ ଆଗେଆଗେ ଚାଲୁଥିବାରୁ ସେ ଚନ୍ଦ୍ରପ୍ରଭାଙ୍କ କଥପୋ କଥନକୁ ହୁଏତ ଶୁଣିପାରୁନଥିଲେ କାରଣ ପ୍ରଚଣ୍ଡ ଗହଳି ଓ ସାଇ ଭଜନରେ ସମଗ୍ର ମନ୍ଦିରଟି ମୁଖରିତ ହୋଇଉଠୁଥିଲା ।
କିଛି ସମୟ ପରେ ମୁଖ୍ୟ ଦରଜା ଦେଇ ବାବାଙ୍କ ସିଂହାସନ ଥିବା କୋଠରୀକୁ ଆମେ ସମସ୍ତେ ଆଗପଛ ହୋଇ ପ୍ରବେଶ କରିଥିଲୁ ଫକିର ଜଣଙ୍କ ଆମ ଆଗେଆଗେ ଚାଲିଥାନ୍ତି । ଆମେ ପ୍ରବେଶ କରିବାର ମାତ୍ର କେଇ ସେକେଣ୍ଡ ପରେ ପ୍ରବେଶ ପଥ ଟିକୁ ବନ୍ଦ କରିଦିଆଯାଇଥିଲା ଓ ଆମ ପଛରେ ଥିବା ଶ୍ରଦ୍ଧାଳୁମାନେ ଭିତରକୁ ଯିବାର ସୁଯୋଗ ପାଇନଥିଲେ । ଆମ ପଛରେ ଥିବା ଗୋଟିଏ ମାରୁଆଢ଼ି ପରିବାରର ସଦସ୍ୟମାନେ ଯେ କୌଣସି ମତେ ଭିତରକୁ ଯିବା ଲାଗି କର୍ମଚାରୀମାନଙ୍କୁ ନେହୁରା ହେବା ସହ ହଜାରେ ଟଙ୍କା ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦାଇତ୍ୱରେ ଥିବା କର୍ମଚାରୀମାନେ ସେମାନଙ୍କ କଥାକୁ ସାମାନ୍ୟତମ ଭୃକ୍ଷେପ କରିନଥିଲେ ।
ବାବାଙ୍କ ସିଂହାଶନଥିବା ପ୍ରସସ୍ତ କକ୍ଷଟିରେ ଅନ୍ୟମାନଙ୍କ ସହ ଆମେମାନେ ବସିବାର ସୁଯୋଗ ପାଇଥିଲୁ ଆମେ ଯେଉଁ ଯାଗାରେ ବସିଥିଲୁ ସେଠାରୁ ସେହି କକ୍ଷ ମଧ୍ୟରେ ଥିବା ପ୍ରତେକଙ୍କୁ ଦେଖିହେଉଥିଲା ଚନ୍ଦ୍ରପ୍ରଭା ଚାରିଆଡ଼କୁ ଆଖିବୁଲାଇବା ପରେ ମୋତେ ପ୍ରଶ୍ନକରିଥିଲେ, ‘ ମୋ ଆଗେ ଆଗେ ବାବାଙ୍କ ଭଳି ଦେଖାଯାଉଥିବା ଯେଉଁ ବୁଢ଼ା ଏଠାକୁ ଆସିଲେ ସେ ଅଚାନକ ଭାବେ କୁଆଡ଼େ ଚାଲିଗଲେ?’
ମୁଁ ମଧ୍ୟ ଚର୍ତୁଦିଗକୁ ଆଖି ବୁଲାଇ ସେହି ଫକିରଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ ମଧ୍ୟ ହତାସ ହୋଇଥିଲି । ଚନ୍ଦ୍ରପ୍ରଭାଙ୍କୁ ଭୁଲାଇବା ପାଇଁ କହିଥିଲି ସେହି ଫକିର ହୁଏତ ଏହି ମନ୍ଦିରର ଜଣେ କର୍ମଚାରୀ ତେଣୁ ସେ ମନ୍ଦିର ଭିତରେ ତାଙ୍କୁ ଦିଆଯାଇଥିବା କାମ କରିବା ଲାଗି କେଉଁଠି ବ୍ୟସ୍ଥ ରହିଯାଇଛନ୍ତି । ପାର୍ଥ ଓ ଶଶୀ ଅପା ମଧ୍ୟ ସେହି ଫକିରଙ୍କୁ ଦେଖିବା ପାଇଁ ଚେଷ୍ଟା କରି ନିରାଷ ହୋଇଥିଲେ । ଇତି ମଧ୍ୟରେ ବାବାଙ୍କ ପୂଜକମାନେ କାକଟ ଆଳତୀ ପାଇଁ ବ୍ୟସ୍ଥ ରହିଥାନ୍ତି ଆମେମାନେ ତାହା ଦେଖିବାର ସୌଭାଗ୍ୟ ଲାଭ କରିଥିବାରୁ ମନେମନେ ଆନନ୍ଦିତ ହେଉଥାଉ ମୋ ଗୋଡ଼ର ଯନ୍ତ୍ରଣା ସତ୍ତ୍ୱେ ମୁଁ ଦୀର୍ଘ ପଥ ଅତିକ୍ରମ କରି ମନ୍ତ୍ରମୁଗ୍ଧ ଭଳି ଆକର୍ଷିତ ହୋଇ କାକଟ ଆଳତୀ ଦର୍ଶନ କରିବା ପାଇଁ ସମର୍ଥ ହୋଇଥିବାରୁ ବାବାଙ୍କ ଅଲୌକିକ ଶକ୍ତିକୁ ସ୍ୱିକାର କରିବା ପାଇଁ ବାଧ୍ୟ ହୋଇଥିଲି ।
ଦର୍ଶନପରେ ମନ୍ଦିର ପରିସର ମଧ୍ୟରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଥିଲୁ ଚନ୍ଦ୍ରପ୍ରଭାଙ୍କର ସେହି ଗୋଟିଏ କଥା ତେମେ ବିଶ୍ୱାସ କର ବା ନକର ଆମେ ଏୟାର ପୋର୍ଟରେ ଯାହାଙ୍କୁ ଦେଖିଥିଲେ ସେ ହେଉଛନ୍ତି ସାଇବାବା ଏବଂ ଏହିଠାରେ ହିଁ ମନ୍ଦିର ଭିତରେ କିଭଳି ଅଦୃଶ୍ୟ ହୋଇଗଲେ ସେ ବିଷୟରେ କିଛି କହିପାରିବ କି? ଅନ୍ୟମାନଙ୍କ ମନରେ ସେହି ପ୍ରଶ୍ନ ଥିଲେ ବି କେହି ପ୍ରକାଶ କରୁନଥାନ୍ତି । ପାର୍ଥ ସ୍ୱଭାବତଃ ଧର୍ମ ବିଶ୍ୱାସୀ ସେ ମନ୍ତ୍ରମୁଗ୍ଧ ଭଳି ସାଇବାବାଙ୍କୁ ପ୍ରାର୍ଥନା କରିଚାଲିଥାଏ । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଯଦି ସେହି ଫକିର ବାବାଙ୍କ ଦର୍ଶନ ପାଇଁ ବିମାନ ବନ୍ଦର ଠାରୁ ଏଠାକୁ ଆସିଥାନ୍ତି ତେବେ ଅଚାନକ ଭାବେ କୁଆଡ଼େ ଚାଲିଗଲେ । କାରଣ ଆମେ ସମସ୍ତେ ସେହି ମନ୍ଦିର ପରିସର ମଧ୍ୟରେ ଉକ୍ତ ଫକିରଙ୍କୁ ତନ୍ନତନ୍ନ କରି ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇପାରିନଥିଲେ । ସାଇବାବାଙ୍କ କରୁଣାରୁ ଚନ୍ଦ୍ରପ୍ରଭା କ୍ୟାନ୍ସର ଭଳି ମାରାତ୍ମକ ଓ ଦୂରାରୋଗ୍ୟ ବ୍ୟଧିରେ ପିଡ଼ିତ ନୁହନ୍ତି ବୋଲି ଯାଣିବା ପରେ ବାବାଙ୍କ ପ୍ରତି ସମସ୍ତଙ୍କ ମନରେ ଗଭୀର ବିଶ୍ୱାସ ସୃଷ୍ଟି ହେବା ସହ ସମସ୍ତେ କୃତଜ୍ଞ ହୋଇପଡିଥିଲୁ ।
ଇତି ମଧ୍ୟରେ ଶ୍ରୀ ମହାପାତ୍ର ଓ ଅମର ଶିରିଡ଼ିରେ ପହଞ୍ଚି ଥାନାଠାରେ ଆମ୍ଭମାନଙ୍କ ସ୍ଥିତି ବିଷୟରେ ବୁଝିବା ପରେ ଆମେ ରହୁଥିବା ହୋଟେଲରେ ପହଞ୍ଚି ନିତ୍ୟକର୍ମ ସାରି ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ । ମାତ୍ର ସେମାନେ କାକଟ ଆଳତୀ ଦେଖିବାର ସୁଯୋଗ ପାଇନଥିଲେ । କେବଳ ବାବାଙ୍କୁ ଦର୍ଶନ କରି ସେମାନେ ସନ୍ତୁଷ୍ଟ ହୋଇଥିଲେ ।
ସେଦିନ ଆମେ ସମସ୍ତେ ଶିରିଡ଼ି ଠାରୁ ୬୫ କିଲୋମିଟର ଦୂରରେ ଥିବା ସିଙ୍ଗନାପୁର ଶନି ମନ୍ଦିରକୁ ଦର୍ଶନପାଇଁ ଯାଇଥିଲୁ । ଶନି ଦେବଙ୍କୁ ଦର୍ଶନ କଲେ ବହୁରିଷ୍ଟ ଖଣ୍ଡନ ହୋଇଯାଇଥାଏ ବୋଲି ବିଶ୍ୱାସ ଥାଏ ତେଣୁ ସେଠାରେ ପ୍ରଚଳିତ ବିଧି ଅନୁଯାୟୀ ଶନି ଦେବଙ୍କୁ ଦର୍ଶନ କରି ଶିରିଡ଼ି ଫେରିବା ପରେ ଆମେ ଶ୍ରୀ ମହାପାତ୍ରଙ୍କର ଯେଉଁ ଆମ୍ବାସେଡ଼ର ଗାଡ଼ିଟି ନେଇ ଶିରିଡ଼ି ଯାଇଥିଲୁ ସେହିଗାଡ଼ିରେ ବମ୍ବେ ଫେରିଆସିଥିଲୁ ।
ଇତି ମଧ୍ୟରେ ବମ୍ବେରୁ ଭୁବନେଶ୍ୱର ଫେରିବା ପାଇଁ ଟ୍ରେନରେ ଆମର ରିଜରଭେସନ ହୋଇସାରିଥିଲା ତେଣୁ ନିର୍ଦ୍ଧାରିତ ସମୟରେ ଆମେ ସମସ୍ତେ ମୁମ୍ବାଇ ଷ୍ଟେସନରେ ପହଞ୍ଚିଥିଲୁ । ବମ୍ବେ ବିମାନ ବନ୍ଦର ଓ ଶିରିଡ଼ି ସାଇଙ୍କ ମନ୍ଦିର ଭିତରେ ଯେଉଁ ଫକିରଙ୍କ ସହ ଆମର ଦେଖା ହୋଇଥିଲା ସେ ହୁଏତ ଆମେ ଫେରୁଥିବା ଟ୍ରେନରେ ଫେରୁଥାଇ ପାରନ୍ତି ବୋଲି ଆଶା କରି ଟ୍ରେନର ପ୍ରତିଟି କମ୍ପାଟମେଣ୍ଟକୁ ଦେଖିବାକୁ ଚେଷ୍ଟା କରିଥିଲୁ କିନ୍ତୁ କେଉଁଠାରେ ହେଲେ ତାଙ୍କୁ ଦେଖିପାରିନଥିଲୁ । ଟ୍ରେନ କମ୍ପାଟମେଣ୍ଟର ଝରକା ସଂଲଗ୍ନ ଆସନଟି ଚନ୍ଦ୍ରପ୍ରଭାଙ୍କ ପାଇଁ ଉଧିଷ୍ଟ ଥିଲା ତାଙ୍କ ପାଖରେ ଶଶୀଅପା ଓ ପାର୍ଥ ବସିଥିଲେ । ସାମ୍ନା ସିଟରେ ମୁଁ ବସିଥିଲି । ଏହି ସମୟରେ ଗାଡିଟି ଆସ୍ତେ ଆସ୍ତେ ଆଗକୁ ବଢ଼ିବାକୁ ଆରମ୍ଭ କରିଥିଲା । ସମସ୍ତେ ଆଗ୍ରହରେ ପ୍ଲାଟଫ୍ରମକୁ ଚାହିଁଥିଲୁ । ହଠାତ୍ ଚନ୍ଦ୍ରପ୍ରଭା ଝରକା ବାଟ ଦେଇ ପ୍ଲାଟ ଫ୍ରମ ଆଡ଼େ ଅଙ୍ଗୁଳି ନିର୍ଦ୍ଧେଶ କରି କହିଲେ, ‘ ହେଇ ସମସ୍ତେ ଦେଖ ବାବା’ । ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ବେଳକୁ ସେହି ନିର୍ଦ୍ଧିଷ୍ଟ ଫକିର ପ୍ଲାଟଫ୍ରମ୍ ଉପରେ ଠିଆ ହୋଇ ଆମ ଆଡ଼କୁ ଚାହିଁ ସ୍ମିତ ହସି ଆର୍ଶିବାଦ କରିବା ଢ଼ଙ୍ଗିରେ ହାତକୁ ହଲାଉଛନ୍ତି । ସତେ ଯେମିତି ନିରବରେ କହୁଛନ୍ତି ‘ଏବେ ମୋ କାମ ସରିଯାଇଛି ତୁମେ ସବୁ ଭଲରେ ଫେରିଯାଅ ।’
ସେହି ସମୟରେ ପ୍ଲାଟଫ୍ରମକୁ ଓହ୍ଲାଇ ଯାଇ ବାବାଙ୍କ ପାଦ ଧୂଳି ନେବାଲାଗି ବ୍ୟକୁଳ ହୋଇପଡ଼ିଥିଲେ ମଧ୍ୟ ଟ୍ରେନଟି ପ୍ଲାଟଫ୍ରମରୁ ଅଳ୍ପ ସମୟ ମଧ୍ୟରେ ଅଦୃଶ୍ୟ ହୋଇଯାଇଥିଲା । ଆମେ ସମସ୍ତେ ପରସ୍ପରକୁ ଚାହିଁଲୁ ଆଖିରୁ ଝରିପଡ଼ୁଥିବା କୃତଜ୍ଞତା ଓ ଆନନ୍ଦର ଅଶ୍ରୁକୁ ଲୁଚାଇବା ଲାଗି କାହାର ସାହାସ ନଥିଲା ।
ଚନ୍ଦ୍ରପ୍ରଭାଙ୍କ ଚିକିତ୍ସା ପାଇଁ ଆମେ ସମସ୍ତେ ବମ୍ବେ ଯିବା ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ଆମମାନଙ୍କୁ ବିଦାୟ ଦେବା ପାଇଁ ବାବା ମାମା ଓ ସୁଭେଚ୍ଛୁମାନେ ଆସିଥିଲେ । ମାମା ତାର ବ୍ଲାଉଜ ଭିତରେ ରଖିଥିବା ଛୋଟ ପର୍ସଟିରୁ ଆମ ଇଷ୍ଟ ଦେବତା ରାଧାକାନ୍ତଙ୍କର ଚନ୍ଦନ ଓ ତୁଳସୀ ବାହାର କରି ଚନ୍ଦ୍ରା ପାଟିରେ ଦେବା ସହ ପାଖରେ ସବୁବେଳେ ରଖିବା ପାଇଁ କିଛି ମଧ୍ୟ ଦେଇଥିଲା । ବାପା କହିଥିଲେ ତମେ ସବୁ ଭଲରେ ଫେରିଆସିବା ପେର ଗାଁରେ ସିଦ୍ଧେଶ୍ୱରୀଙ୍କ ପାଖରେ ଭୋଜି କରିବାର ବ୍ୟବସ୍ଥା କରିବା । ଚନ୍ଦ୍ରପ୍ରଭା ବାପାଙ୍କ ପାଦ ଛୁଇଁ ନମସ୍କାର କରିବା ସମୟରେ ବାବା ତା ମୁଣ୍ଡରେ ହାତ ବୁଲାଇ ଦେଇଥିଲେ ଓ ତାଙ୍କ ଆଖିରୁ ଝରିବା ପାଇଁ ଉଦ୍ୟତ ହେଉଥିବା କେଇବୁନ୍ଦା ଲୁହକୁ ଚାପି ରଖିବା ପାଇଁ ଚେଷ୍ଟା କରିଥିଲେ ।
ଆମେ ସବୁ ଭୁବନେଶ୍ୱର ଫେରିଆସି ଚନ୍ଦ୍ରାର ସ୍ୱାସ୍ଥ୍ୟ ସମ୍ପର୍କିତ ଖୁସି ଖବର ଦେବା ପରେ ମୋର ସମସ୍ତ ବନ୍ଧୁ ଓ ଆତ୍ମୀୟ ସୋଜନମାନେ ଅତିମାତ୍ରାରେ ଆନନ୍ଦିତ ହୋଇ ଉଠିଥିଲେ । କଟକର ଯେଉଁ ଡ଼ାକ୍ତରମାନେ ଚନ୍ଦ୍ରପ୍ରଭାଙ୍କୁ କ୍ୟନ୍ସର ହୋଇଛି ବୋଲି ଭୁଲ ରିପୋର୍ଟ ଦେଇଥିଲେ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା କରିବା ଲାଗି କେତେକ ବନ୍ଧୁ ମଧ୍ୟ ପରାମର୍ଶ ଦେଇଥିଲେ । ସାଇ ବାବାଙ୍କ କୃପାରୁ ଚନ୍ଦ୍ରପ୍ରଭା ସୁସ୍ଥଥିବା ଦୃଷ୍ଟିରୁ କୌଣସି ଡ଼ାକ୍ତରଙ୍କ ବିରୁଦ୍ଧରେ ମକଦ୍ଦମା କରିବାର ଆବଶ୍ୟକତା ନାହିଁ ବୋଲି ମୁଁ ସେମାନଙ୍କୁ ବୁଝାଇଦେଇଥିଲି ।

By amfnews

Related Post