Sun. Jun 8th, 2025

ପିଉସୀକୁ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବାରୁ ଗଳାକାଟି ହତ୍ୟା କଲା ସମ୍ପର୍କୀୟ ପୁତୁରା

By amfnews Jul 1, 2019 #Featured
228 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଆଶ୍ରେଗାଁରେ ସମ୍ପର୍କୀୟ ପିଉସୀକୁ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବାରୁ ଅଭିଯୁକ୍ତ ପୁତୁରା ଗଳା କାଟି ହତ୍ୟା କରିଛି। ଏଭଳି ଏକ ଜଘନ୍ୟ ଅପରାଧ ଘଟଣା ସୋମବାର ପ୍ରଘଟ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ ରବିବାର ରାତିରେ ନାବାଳିକା କବିତା ଦୀପ(୧୭) ଶୋଇଥିବା ବେଳେ ପଡ଼ିଶାରେ ରହୁଥିବା ସମ୍ପର୍କୀୟ ପୁତୁରା ବିନୋଦ ଦୀପ(୨୨) ରାତି ପ୍ରାୟ ୨ଟା ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା। କବିତା ତାର ବିରୋଧ କରିବାରୁ ଏକ ଧାରୁଆ ଅସ୍ତ୍ରରେ ତାର ଗଳା କାଟି ଗୁରୁତର ଅବସ୍ଥାରେ ଫେରାର ହୋଇଯାଇଥିଲା।

କବିତାର ଚିତ୍କାର ଶୁଣି ଘରଲୋକ ତୁରନ୍ତ ସୋନପୁର ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପୂର୍ବରୁ ସେ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସବୁ କଥା କହିଥିବା ତାଙ୍କ ପିତା  ଶିବ ଦୀପ ଓ ଅନ୍ୟମାନେ କହିଛନ୍ତି। ସେମାନଙ୍କ କହିବା ଅନୁସାରେ ରବିବାର ଅପରାହ୍ନରେ ମଧ୍ୟ କବିତାକୁ ବଳପୂର୍ବକ ଟଣାଓଟରା କରିଥିଲା।

ସେ ବିରୋଧ କରିବାରୁ ତାର ହାତକୁ ମୋଡି ଦେଇଥିଲା। ରାତିରେ ପୁଣି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଖବର ପାଇ କଣ୍ଟାମାଲ ଥାନାଧିକାରୀ ଏସ କେ ସେଠୀ, ଘଣ୍ଟାପଡା ଏସଆଇ ବଳଭଦ୍ର ଗଣ୍ଡା, ଏଏସଆଇ ଜ୍ୟୋତି ରଞ୍ଜନ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ କେସ ନମ୍ବର ୧୧୫/୧୯ ଆଇପିସି ୩୦୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ବିନୋଦ ଫେରାର ଥିବା କୁହାଯାଉଛି। ଅଭିଯୁକ୍ତ ତିନି ମାସ ତଳେ ବାହା ହୋଇଛି। ତାର ସ୍ତ୍ରୀ ବାପଘରକୁ ଯାଇଥିବା ଜଣାପଡିଛି।

By amfnews

Related Post