Sun. Mar 8th, 2026

ନିଖୋଜର ୪ ଦିନ ପରେ ଉଦ୍ଧାର ହେଲା ଅଢେଇ ମାସର ଶିଶୁପୁତ୍ର

205 Views

ପାରାଦୀପ :  ୪ ଦିନ ତଳୁ ନିଖୋଜ ହୋଇଯାଇଥିଲା ଅଢେଇ ମାସର ଶିଶୁ ପୁତ୍ର। ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ୱାରସ୍ତ ହେଲେ। ପୁଲିସ୍‌ ବିଭିନ୍ନ ଆଡ଼େ ଚଢ଼ାଉ ପରେ ଗତ କାଲି ବିଳମ୍ବିତ ରାତିରେ ଶିଶୁପୁତ୍ରଟିକୁ ଉଦ୍ଧାର କରିଛି। ଶିଶୁ ଅପହରଣ ଅଭିଯୋଗରେ ପୁଲିସ୍‌ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ପାରାଦୀପରେ।

ନିଖୋଜ ଛୁଆଟି ହେଉଛି ବାଲିକୁଦା ଥାନା ତିତିରା ଗ୍ରାମର ଶତ୍ରୁଘ୍ନ ସାମଲଙ୍କ ପୁଅ । ଗତ ୧୭ ତାରିଖରେ ପାରାଦୀପ ଲକ୍‌ପଡ଼ାରେ ରହୁଥିବା ନିଜ ସମ୍ପର୍କୀୟ ଭିଣୋଇ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ଶତ୍ରୁଘ୍ନ ନିଜ ପରିବାର ସହ ବୁଲି ଆସିଥିଲେ। ଶତ୍ରୁଘ୍ନଙ୍କ ସହ ତାଙ୍କ ଅଢେଇ ମାସର ପୁଅ ଓ ପତ୍ନୀ ମଧ୍ୟ ଆସିଥିଲେ।

ଘରେ ଗହଳି ଥିବା ବେଳେ ଏହାର ସୁଯୋଗ ଉଠାଇଥିଲେ କୃଷ୍ଣଚନ୍ଦ୍ରଙ୍କ ଘରେ କାମ କରୁଥିବା ମହିଳାଜଣକ। ସେ ପୁଅ ସହ କିଛି ସମୟ ଖେଳିଥିଲେ। ଏହାପରେ ପରିବାର ସଦସ୍ୟଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପୁଅକୁ ଚୋରି କରି ନେଇ ଯାଇଥିଲେ। ବିଭିନ୍ନ ଆଡୁ ପୁଅକୁ ଖୋଜି ନିରାଶ ହେବା ପରେ ଏ ନେଇ ପାରାଦୀପ ଥାନାରେ ଅଭିଯୋଗ କରିଥିଲେ ଶତ୍ରୁଘ୍ନ ।

ଏହାପରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଗତ ରାତିରେ ପୁଲିସ୍‌ ଶିଶୁପୁତ୍ରକୁ ଉଦ୍ଧାର ସହ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପଛରେ ଆଉ କାହାର ହାତ ଅଛି, ସେ ନେଇ ପୁଲିସ୍‌ ଆରମ୍ଭ କରିଛି ତଦନ୍ତ।

By amfnews

Related Post