Mon. Dec 30th, 2024
324 Views

ପ୍ରଶାନ୍ତ ପଟ୍ଟନାୟକ

ରାଜ୍ୟର ଦକ୍ଷିଣ ପଶ୍ଚିମ ମାତ୍ର ଅଳ୍ପ କେତେଗୋଟି ଜିଲ୍ଲାରେ ନକ୍ସଲବାଦୀମାନେ ଦୀର୍ଘଦିନ ଧରି ସକ୍ରିୟ ଥିଲେ ମଧ୍ୟ ଓଡ଼ିଶାରେ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ହୋଇପାରିନାହିଁ । ପଶ୍ଚିମ ବଙ୍ଗଳାର ନକ୍ସଲବାଦିରୁ ଆରମ୍ଭ ହୋଇଥିବା କାହ୍ନୁ ସାନ୍ୟାଲ, ଚାରୁ ମଜ୍ୟୁମଦାର ଓ ଜଙ୍ଗଲି ସାନ୍ତାର ପ୍ରମୁଖ ନେତାମାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ନକ୍ସଲବାଦି ଆନ୍ଦୋଳନରେ ଓଡ଼ିଶାର ନାଗଭୂଷଣ ପଟ୍ଟନାୟକ, ରବି ଦାସ ପ୍ରମୁଖ ନେତାମାନେ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରୁଥିଲେ ସୁଦ୍ଧା ବିଭିନ୍ନ ଭୌଗୋଳିକ ଓ ରାଜନୈତିକ କାରଣରୁ ଏହା ବିଶେଷ ଆଗେଇ ପାରିନଥିଲା ।

ଆନ୍ତର୍ଜାତୀୟ କମ୍ୟୁନିଷ୍ଟ ଆନ୍ଦୋଳନର ଜନକଭାବେ ପରିଚିତ କାର୍ଲମାକ୍ସ ଲେନିନ୍ ଏବଂ ମାଓ ସେତୁଙ୍ଗଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ଯେଉଁମାନେ ଆନ୍ଦୋଳନରେ ଯୋଗଦେଇଥିଲେ ସେମାନେ ସଶସ୍ତ୍ର ବିପ୍ଳବ ଦ୍ୱାରା ସାମାଜିକ ଓ ଅର୍ଥନୌତିକ ବିଷମତା ଦୂର କରିବା ପାଇଁ ଚେଷ୍ଟିତ ଥିଲେ । ଭାରତ ଭଳି ୧୩୦କୋଟି ଜନସଂଖ୍ୟା ବିଶିଷ୍ଟ ୩୨ଲକ୍ଷ ୮୭ହଜାର ୨୬୩ ବର୍ଗ କିଲୋମିଟର ପରିମିତ ଭୌଗୋଳିକ ଅଞ୍ଚଳ ଭିତରେ ସଶସ୍ତ୍ର ବିପ୍ଳବ ଦ୍ୱାରା ସାମାଜିକ ଓ ଅର୍ଥନୌତିକ ପରିବର୍ତ୍ତନ ଅସମ୍ଭବ ହୃଦୟଙ୍ଗମ କରି ନକ୍ସଲ ଆନ୍ଦୋଳନର ତୁଙ୍ଗ ନେତାମାନେ ଅସ୍ତ୍ର ସମ୍ବରଣ କରିବା ପାଇଁ ବାଧ୍ୟ ହୋଇଥିଲେ ମାତ୍ର ସ୍ୱଳ୍ପ କେତେଜଣ ନେତା ଓ ସେମାନଙ୍କ ଅନୁଗମୀମାନେ ଏବେମଧ୍ୟ ସଶସ୍ତ୍ର ବିପ୍ଳବରେ ବିଶ୍ୱାସ କରି ସାମାମଜିକ ଓ ଅର୍ଥନୈତିକ ଶୋଷଣ ବିରୁଦ୍ଧ୍ୱରେ ଯୁନ୍ଧ ଘୋଷଣା କରି ହିଂସା କାଣ୍ଡମାନ ଘଟାଇ ଚାଲିଛନ୍ତି ।

ସେମାନଙ୍କୁ ଦମନ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ସଶସ୍ତ୍ର ବାହୀନି ଜାଗ୍ରତ ରହିଛନ୍ତି ଯେଉଁଥି ପାଇଁ କି ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି । କେତେକ ଅଗମ୍ୟ ଅଞ୍ଚଳରେ ଆତ୍ମଗୋପନ କରୁଥିବା ନକ୍ସଲମାନେ ସମୟେ ସମୟେ ବିଷ୍ପୋରଣ ଘଟାଇ ଅଥବା ଆକ୍ରମଣ କରି ଲୋମହର୍ଷଣ କାରୀ କାଣ୍ଡମାନ କରୁଥିବା ଦେଖାଯାଉଛି । ସେମାନଙ୍କ ଦର୍ଶନ ବା ନୀତି ଦ୍ୱାରା ଆଦିବାସୀ, ହରିଜନ, ଦରିଦ୍ର , ନିଷ୍ପେଶିତ ଓ ଶୋଷିତମାନଙ୍କୁ ଜାଗ୍ରତ କରିବା ପରିବର୍ତ୍ତେ କେବଳ ହିଂସାକାଣ୍ଡ ଦ୍ୱାରା ଆତଙ୍କ ସୃଷ୍ଟି କରୁଥିବାରୁ ବହୁ ସମୟରେ ସଶସ୍ତ୍ର ପୋଲିସ ଓ ପ୍ରତିରକ୍ଷା ବାହୀନିର ଗୁଳିଗୋଳା ଆକ୍ରମଣରେ ଶିକାର ହେବାକୁ ବାଧ୍ୟ ହେଉଛନ୍ତି ।

ସେମାନଙ୍କର ସଂଗ୍ରାମ ମୁଖ୍ୟତଃ ଶୋଷଣର ଅବସାନ ପାଇଁ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଯେଉଁ ପୁଞ୍ଜିପତି, ଶିଳ୍ପପତି, ଜମିମାଲିକମାନେ ଗରିବ ଖଟିଖିଆମାନଙ୍କୁ ଶୋଷଣ କରି ନିଜର ଆୟ ଓ ସାମ୍ରାଜ୍ୟ ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି ସେମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧ୍ୱରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନକ୍ସଲପନ୍ଥିମାନେ ବହୁ ସମୟରେ ଗରିବ ଗ୍ରାମରକ୍ଷି, ସରପଞ୍ଚ, ସ୍କୁଲ ଶିକ୍ଷକମାନଙ୍କୁ ପୋଲିସର ଖବରଦାତା ଭାବେ ଘୋଷଣା କରି ଅତ୍ୟନ୍ତ ନିର୍ମମ ଓ ବିଭତ୍ସ ଭାବରେ ହତ୍ୟା କରୁଥିବାରୁ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ ହୋଇଯାଇଛି ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବିମାନେ ମତ ଦେବା ସାଧାରଣ ଘଟଣାରେ ପରିଣତ ହୋଇଛି ।

ସମ୍ପ୍ରତି ଓଡ଼ିଶା ଓ ଏହାର ପ୍ରତିବେଶି ରାଜ୍ୟମାନଙ୍କରେ ବିଧାନ ସଭା ଏବଂ ଲୋକସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ନକ୍ସଲମାନେ ଭୋଟ ବର୍ଜନର ଡ଼ାକରା ଦେଇ ଏଥିରେ ଜନସହଯୋଗ ନପାଇବାରୁ ସେମାନଙ୍କୁ ଭୟ ଦେଖାଇ ନିର୍ବାଚନରୁ କ୍ଷାନ୍ତ ହେବା ପାଇଁ ବାଧ୍ୟ କରୁଛନ୍ତି । ଫଳରେ ଅପ୍ରେଲ ୧୧ତାରିଖ ଦିନ ରାଜ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ମାଲକାନାଗିରି ଓ ଆଖପାଖ ଅଞ୍ଚଳରେ ୧୫ଗୋଟି ଭୋଟ ଗଣନା କେନ୍ଦ୍ରରେ ଜଣେହେଲେ ଭୋଟଦାତା ଭୋଟ ଦେଇନାହେନ୍ତି ।

ଅନ୍ୟ କେତେକ ସ୍ଥାନରେ ନିର୍ବାଚନ କରିବା କାର୍ଯ୍ୟ ପରିଚାଳନା କରିବା ଲାଗିତ ଯାଉଥିବା କର୍ମଚାରୀମାନେ ଅତ୍ୟନ୍ତ ଭୟଭିତ ଅବସ୍ଥାରେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରି ଜଙ୍ଗଲ ରାସ୍ତାରେ ଲୁଚିଲୁଚି ଦୀର୍ଘ ପଥ ଅତିକ୍ରମ କରିଥିବା ସମ୍ପର୍କରେ ସମ୍ବାଦମାନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । କେତେକ ସ୍ଥାନରେ ସେମାନେ ନୌକାଗୁଡ଼ିକୁ ଅଚଳ କରିଦେଇଥିବା ଅଥବା ସେଗୁଡ଼ିକୁ ବ୍ୟବହାର ନକରିବା ପାଇଁ ଚାଳକମାନଙ୍କୁ ଧମକାଇଥିବା ଯୋଗୁଁ ଭୋଟଦାତାମାନେ ନିର୍ବାଚନରେ ଅଂଶଗ୍ରହଣ କରିପାରିନାହେନ୍ତି ।

ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଏଠାରେ ବିନା ଭୟରେ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି । ସେମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ଯେ ନିଶ୍ଚିତ ଭାବେ ଏକ ଗରୁତ୍ୱର ଅପରାଧ ଏଥିରେ ସନ୍ଦେହ ନାହିଁ । ନକ୍ସଲପନ୍ଥିମାନେ ସେମାନଙ୍କର ସ୍ୱାଧିନ ମତାମତ ଦେବା ଓ ସେମାନଙ୍କ ଦର୍ଶନ ଏବଂ ଚିନ୍ତାଧାରାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାର ଅଧିକାର ଥିବା ସତ୍ତେ୍ୱ ସେଭଳି ଅହିଂସାର ମାର୍ଗ ଅନୁସରଣ ନକରି ଆତଙ୍କ ସୃଷ୍ଟି ଦ୍ୱାରା ଜନସାଧାରଣଙ୍କୁ ପ୍ରଭାବିତ କରିବା ଯେ ସମ୍ପୁର୍ଣ୍ଣ ଅସମ୍ଭବ ତାହା ସେମାନେ ଅନୁଭବ ନକରିବା ଘୋର ଦୁଃଖ ଦାୟକ ।

କେବଳ ଆତଙ୍କ ସୃଷ୍ଟି ଦ୍ୱାରା ଜନସାଧାରଣଙ୍କୁ ନିଜର ଚିନ୍ତାଧାରା ଓ ରାଜନୈତିକ ଦର୍ଶନ ଠାରୁ ଦୂରେଇ ଦିଆଯାଇପାରେ ମାତ୍ର ସେମାନଙ୍କୁ ପ୍ରଭାବିତ କରାଯିବ ଯେ ଏକାନ୍ତ ଅସମ୍ଭବ ଏହା ସର୍ବତ୍ର ପ୍ରମାଣିତ ହୋଇଚାଲିଛି । ତେଣୁ ନକ୍ସଲ ପନ୍ଥିମାନେ ଆତଙ୍କର ଅବସାନ୍ନ ଘଟାଇ ଜନସାଧାରଣଙ୍କର ବିଶ୍ୱାସ ଭାଜନ ହେବା ଏକାନ୍ତ ଆବଶ୍ୟକ ତାହା ହେଲେ ହିଁ ସେମାନେ ଦେଶର ସାଧାରଣ ଜନତାମାନଙ୍କ ସହ ସାମିଲ ହୋଇ ସାମାଜିକ ଓ ଅର୍ଥନୈତିକ ବିଷମତା ଦୂର କରି ଏକ ସାମ୍ୟବାଦୀ ସୁନାର ଭାରତ ଗଠନ କରିବା ଦିଗରେ ଅଗ୍ରଣି ଭୂମିକା ନେଇପାରିବେ ।

By amfnews

Related Post