Mon. Apr 21st, 2025

ଧାରା ୩୭୦ର ଉଚ୍ଛେଦ ବିରୋଧରେ ଆଗତ ମାମଲାର ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

By amfnews Aug 8, 2019 #Featured
255 Views

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଜରୁରୀ ଶୁଣାଣି କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଏକ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ପ୍ରାଥମିକ ଶୁଣାଣି କଲାପରେ ଆଗତ ମାମଲାର ଜରୁରୀ ଶୁଣାଣି ପାଇଁ କୌଣସି ଆବଶ୍ୟକତା ନଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅତ୍ୟନ୍ତ ତରବରିଆ ଭାବେ ରାଷ୍ଟ୍ରପତିଙ୍କ ଏକ ଆଦେଶ ଭିତ୍ତିରେ ଜମ୍ମୁ- କଶ୍ମୀରରୁ କେନ୍ଦ୍ର ସରକାର ଯେଉଁ ଢ଼ଙ୍ଗରେ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିଦେଲେ ତାହା ସଂପୂର୍ଣ୍ଣ ‘ବେଆଇନ୍‌’ ଥିବା ଅଭିଯୋଗ କରି ମନୋହାର ଲାଲ ଶର୍ମା ନାମକ ଜନୈକ ଆଇନ୍‌ଜୀବୀ ସୁପ୍ରିମ୍‌ କୋର୍ଟରେ ଏହି ମାମଲା ଆଗତ କରିଥିଲେ। ୩୭୦ ଧାରାର ଉଚ୍ଛେଦ ପୂର୍ବରୁ କେନ୍ଦ୍ର ସରକାର ଜମ୍ମୁ- କଶ୍ମୀର ବିଧାନସଭା ସହ କୌଣସି ଆଲୋଚନା ନକରି ଏକତରଫା ଭାବେ ଏହି ନିଷ୍ପତ୍ତି ନେଇ ଥିବାରୁ ଏହାକୁ ଅସିଦ୍ଧ ଘୋଷଣା କରିବା ସହ ଏହାର ବିଜ୍ଞପ୍ତି ପ୍ରକାଶ ଉପରେ ରୋକ୍‌ ଲଗାଇବା ପାଇଁ ଆଗତ ଯାଚିକାରେ ଅଦାଲତଙ୍କୁ ଅନୁରୋଧ କରା ଯାଇଥିଲା।

By amfnews

Related Post