Thu. Dec 26th, 2024

ଧର୍ମେନ୍ଦ୍ରଙ୍କ ଦୁଇ ଦିନିଆ ଋଷ୍‌ ଗସ୍ତ ଶେଷ : ଭାରତ-ଋଷ୍‌ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବ

By amfnews Sep 1, 2019 #Featured
210 Views

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଋଷ୍‌ ଗସ୍ତ ‌େଶଷ କରି ଆଜି ଭାରତ ଫେରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଉର୍ଜ୍ଜା, ଇସ୍ପାତ, ତୈଳ ଓ ଗ୍ୟାସ୍‌ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଋଷ୍‌ ସରକାର ଓ ବେସରକାରୀ କମ୍ପାନିଗୁଡ଼ିକର ଅଧିକାରୀଙ୍କ ସହ ମାରାଥନ୍ ବୈଠକ କରିଥିଲେ। ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଋଷ୍‌ ଗସ୍ତର ସପ୍ତାହକ ପୂର୍ବରୁ ଶ୍ରୀ ପ୍ରଧାନଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କେନ୍ଦ୍ର ମନ୍ତ୍ରୀଙ୍କ ସହ ୨୫ ଜଣିଆ ପ୍ରତିନିଧି ଗସ୍ତରେ ସାମିଲ୍‌ ହୋଇଥିଲେ।

ଗସ୍ତ ସମୟରେ ଶ୍ରୀ ପ୍ରଧାନ ଋଷିଆନ୍ ଫେଡେରେସନ୍‌ର ଉପ ପ୍ରଧାନମନ୍ତ୍ରୀ ୟୁରି ତ୍ରୁଟନେଭ୍, ଶକ୍ତି ମନ୍ତ୍ରୀ ଆଲେକ୍‌ଜାଣ୍ଡର୍ ନୋଭାକ୍ ଏବଂ ଶିଳ୍ପ ଓ ବାଣିଜ୍ୟର ଉପମୁଖ୍ୟମନ୍ତ୍ରୀ ଭିକ୍ଟର୍ ଏଭତୁକୋଭଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଋଷ୍‌ ସହିତ ମିଶି ଭାରତ ଉର୍ଜ୍ଜା କ୍ଷେତ୍ରକୁ ବଢ଼ାଇବା ଏବଂ ଋଷ୍‌ର କୋଇଲା କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗୀ ହେବା ପାଇଁ ଭାରତ ଇଚ୍ଛା ପ୍ରକାଶ କରିଛି। ଋଷ୍‌ ଶକ୍ତି ମନ୍ତ୍ରୀଙ୍କ ସହ ବୈଠକ ବେଳେ ନିଜ ନିଜ ଦେଶର ତୈଳ ଓ ଗ୍ୟାସ୍‌ କ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା।

କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତୀୟ ପ୍ରତିନିଧି ଦଳ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଋଷ୍‌ର ପ୍ରାୟ ୪୦ଟି ବଡ଼ କମ୍ପାନିର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଫଳରେ ଭାରତ ଓ ଋଷ୍‌ର କମ୍ପାନି ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନାର ସୁଯୋଗ ମିଳିଥିଲା। ଋଷ୍‌ରେ ଭାରତୀୟ କମ୍ପାନି ପକ୍ଷରୁ ହେବାକୁ ଥିବା ପ୍ରକଳ୍ପରେ ସରକାରୀ ସମର୍ଥନ ମିଳିବ ବୋଲି ଫାର୍‌ ଇଷ୍ଟ୍‌ ଏଜେନ୍ସିର ସିଇଓ ଲିଇଓନିଡ୍‌ ପେତୁଖୋଭ ସୂଚନା ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଓ ଭାରତୀୟ ପ୍ରତିନିଧି ଦଳ ସ୍କୋ‌ଲଭୋକୋ ବିଜ୍‌ନେସ୍ ସ୍କୁଲ୍‌ ଓ ଇନୋଭେସନ୍ ସେଣ୍ଟର୍ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍‌ଙ୍କ ନିମନ୍ତ୍ରଣକ୍ରମେ ପଞ୍ଚମ ବାର୍ଷିକ ପୂର୍ବାଞ୍ଚଳ ଆର୍ଥିକ ଫୋରମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ପାଇଁ ଶ୍ରୀ ପ୍ରଧାନଙ୍କ ଏହି ଗସ୍ତ ଏକ ପ୍ରସ୍ତୁତି ଥିଲା ବୋଲି କୁହାଯାଉଛି।

By amfnews

Related Post