Sat. Mar 7th, 2026

ଧରାପଡ଼ିଲେ ୨ ନିଶାଦିଆ ଲୁଟେରା, ୨ ଶହରୁ ଅଧିକ ଯୁବକଙ୍କୁ ଲୁଟିଛନ୍ତି

149 Views

ଖଣ୍ଡଗିରି : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଧରା ପଡ଼ିଛନ୍ତି ଦୁଇ କୁଖ୍ୟାତ ନିଶାଦିଆ ଲୁଟେରାମ। ସେମା‌ନେ ହେଲେ, କଟକ ଟାଙ୍ଗୀ ଥାନା ଘସିସନ୍ଥପୁରର ଅତୁଲ୍ୟ ଗୋଚ୍ଛାୟତ(୫୦) ଓ କଟକ ବୈଦେଶ୍ବର ଥାନା କଳାପଥରର ମନୋଜ ପ୍ରଧାନ ଓରଫ୍ ମାନସ(୪୦)। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜଣେ ଯୁବକଙ୍କୁ ନିଶା ଦେଇ ଲୁଟିଥିବା ୨ହଜାର ଟଙ୍କା ଓ ମୋବାଇଲ୍‌ ସହ କିଛି ନିଶାଯୁକ୍ତ ଥଣ୍ଡାପାନୀୟ ସେମାନଙ୍କ ନିକଟରୁ ଜବତ କରାଯାଇଛି। ଅଭିଯୁକ୍ତଦ୍ବୟ ପେସାଦାର। ସେମାନେ ରାଜଧାନୀରେ ପ୍ରାୟ ୨ଶହରୁ ଅଧିକ ଯୁବକଙ୍କୁ ନିଶା ଦେଇ ଲୁଟିଥିବା ସୂଚନା ମିଳିଛି। ସୂଚନାନୁସାରେ ଗତ ୨୮ ତାରିଖ ସନ୍ଧ୍ୟା‌ରେ ଗଞ୍ଜାମ ତିରିସିଂ ଥାନା ବରପାଲିର ମିଥୁନ୍‌ ନାୟକ(୨୦) ଗାଁକୁ ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ।

ଏହି ସମୟରେ ଅତୁଲ୍ୟ ଓ ମାନସ ତାଙ୍କ ନିକଟରେ ପହଞ୍ଚି ସେମାନେ ବି ଗଞ୍ଜାମ ତିରିସିଂ ଲୋକ ବୋଲି ପରିଚୟ ଦେଇ ଗପସପ ଆରମ୍ଭ କରିଦେଇଥିଲେ। ବସ୍‌ ଛାଡ଼ିବା ପାଇଁ ବେଶ୍ କିଛି ସମୟ ଥିବାରୁ ସେମାନେ ଏକ ମୋବାଇଲ୍ କିଣିବା ପାଇଁ ରୁଚିକା ମାର୍କେଟ୍‌କୁ ଯାଇଥିଲେ। ଆତ୍ମୀୟତା ବଢ଼ି ଯାଇଥିବାରୁ ମିଥୁନ୍ ବି ସେମାନଙ୍କ ସହ ଯାଇଥିଲେ। ଫାୟାର୍ ଷ୍ଟେସନ ଛକ‌ରେ ସେମାନେ ଏକ ଦୋକାନରୁ ଥଣ୍ଡା ପାନୀୟ ପିଇଥିଲେ। କିଛି ସମୟ ପରେ ମିଥୁନ୍‌ଙ୍କ ମୁଣ୍ତ ଘୂରାଇ ଦେଇଥିଲା ଓ ସେ ସେଠାରେ ତଳେ ବସି ପଡ଼ିଥିଲେ। ଏତିକିବେଳେ ଅଭିଯୁକ୍ତଦ୍ବୟ ତାଙ୍କ ବ୍ୟାଗ୍‌ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ମିଥୁନ୍‌ଙ୍କୁ ତଳେ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଯୁବକ ଖଣ୍ଡଗିରି ଥାନାକୁ ଜଣାଇଥିଲେ। ଥଣ୍ଡା ବିକିଥିବା ଦୋକାନୀଜଣକ ଅଭିଯୁକ୍ତଦ୍ବୟଙ୍କ ଚେହେରା ବତାଇ ଦେଇଥିଲେ।

By amfnews

Related Post