Sun. Nov 24th, 2024

ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର ବିଜେଡି ସରକାରର ପତନ ପାଇଁ ବିଜେପିର ଶପଥ

By amfnews Oct 26, 2018 #Featured
136 Views

ରାଉରକେଲା, ୨୬ା୧୦ : ବିଜେପି ପାନପୋଷ ସାଙ୍ଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସହସଙ୍ଗଠନ ମନ୍ତ୍ରୀ ଅମିତାଭ ଚକ୍ରବର୍ତ୍ତୀ ପ୍ରଦୀପ ପ୍ରଜ୍ୱଳନ କରି ଏହି ସାଙ୍ଗଠନିକ କର୍ମକର୍ତ୍ତା ସମାବେଶକୁ ଉଦ୍ଘାଟନ କରିଥିଲେ । ଛେଣ୍ଡ ମଣ୍ଡଳ ସଭାପତି ଭବାନୀ କବିଙ୍କ ସ୍ୱାଗତ ଭାଷଣ ପରେ ମହାବାତ୍ୟା ତିତ୍ଲି, ରାବଣ ପୋଡି ସମୟରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତଥା ସ୍ୱର୍ଗତ ବିଦ୍ୟାଧର ବାରିକ ଓ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୧୨୦+ ମିଶନକୁ ସାକାର କରିବାକୁ ଶ୍ରୀ ଚକ୍ରବର୍ତ୍ତୀ କର୍ମକର୍ତ୍ତାମାନଙ୍କୁ କେତେକ ସାଙ୍ଗଠନିକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ଆମ ଗାଁ ଆମ ବିକାଶର ଘୋଷଣା ଏକ ପ୍ରହସନ ।

କେନ୍ଦ୍ର ସରକାର ଗରିବ ଲୋକଙ୍କ ବିକାଶ ପାଇଁ ସମସ୍ତ ପ୍ରକାରର ଯୋଜନା ପ୍ରଣୟନ କରୁଥିବା ବେଳେ ରାଜ୍ୟ ସରକାର ଦୁର୍ନୀତି ପରେ ଦୁର୍ନୀତି କରିଚାଲିଛନ୍ତି । ଆସନ୍ତା ନିର୍ବାଚନରେ ଏହି ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ରାବଣ ରୂପୀ ବିଜେଡି ସରକାରର ଦହନ ପାଇଁ ସମସ୍ତେ ନିଜର ଅଧିକାର ପାଇଁ ଲଢେଇ କରିବା ଆବଶ୍ୟକ । କେନ୍ଦ୍ର ଯୋଜନାରେ ଉପକୃତ ହିତାଧିକାରୀମାନଙ୍କ ସହିତ ମୋଦିଜୀଙ୍କ ବିକାଶର ବାର୍ତ୍ତା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ । ରାଉରକେଲା, ରଘୁନାଥପାଲୀ ଓ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ରାଜନୈତିକ ଚିଠା ପାରିତ କରାଯାଇଥିଲା ।

ଏଥିରେ ମହାନଗର ହୋଲ୍ଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧି, ପରିମଳ ବ୍ୟବସ୍ଥା, ଡ୍ରେନେଜ ଓ ଆଲୋକ ସମସ୍ୟା, ସ୍ୱେରେଜ ସିଷ୍ଟମ, ପୌରନିଗମ ନିର୍ବାଚନ, ସ୍ୱାସ୍ଥ୍ୟ ସମସ୍ୟା, ମେଡିକାଲ କଲେଜ ପ୍ରତିଷ୍ଠା, ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା, ରାଉରକେଲାକୁ ସ୍ୱାସ୍ଥ୍ୟ ଜିଲାର ମାନ୍ୟତା, ସ୍କୁଲ କଲେଜରେ ଖାଲି ପଦବୀ ପୂରଣ, ଆର୍ଡିଏର ସ୍ଥାଣୁତା, ପାଣି ଓ ବିଦ୍ୟୁତ୍ ସମସ୍ୟା, ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା, ଥଇଥାନ ସମସ୍ୟା, କୋଏଲ ବ୍ୟାରେଜ୍ ଓ ବ୍ରାହ୍ମଣୀ କୁଳେ କୁଳେ ରିଂ ରୋଡ୍ ନିର୍ମାଣ, ମିନେରାଲ ଡେଭଲପମେଣ୍ଟ ଫଣ୍ଡର ବିନିଯୋଗ, ବେଦବ୍ୟାସ ପୀଠର ଉନ୍ନତି, ଭିଜିଲାନ୍ସ କୋର୍ଟ ସ୍ଥାପନ, ନୂଆଗାଁ, ବିଶ୍ରା, କୁଆଁରମୁଣ୍ଡାରେ କୋଲ୍ଡ ଷ୍ଟୋର ସ୍ଥାପନ, ରାଉରକେଲା-ରାଜାମୁଣ୍ଡା ରାସ୍ତାର ପୁନଃ ନିର୍ମାଣ, ଭୂମିହୀନମାନଙ୍କୁ ବାସଗୃହ ପାଇଁ ପଟ୍ଟା ପ୍ରଦାନ,ଲାଠିକଟା ଓରିଣ୍ଡ କମ୍ପାନୀ କର୍ମଚାରୀଙ୍କ ଥଇଥାନ ଆଦି ୨୫ଟି ପ୍ରସ୍ତାବକୁ କାର୍ଯ୍ୟକାରିଣୀ ବୈଠକରେ ପାରିତ କରାଯାଇଥିଲା ।

ଜିଲା ପ୍ରଭାରୀ ସୁଶ୍ରୀ ସୁକେଶୀ ଓରାମ ତାଙ୍କ ଭାଷଣରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ୱାନ ଦେଇଥିଲେ । ବୈଠକରେ ମୁଖପାତ୍ର ଭଗବାନ ରାଉତ ଏହି ୨୫ଟି ପ୍ରସ୍ତାବକୁ ଆଗତ କରିଥିବା ବେଳେ ଅନ୍ୟତମ ମୁଖପାତ୍ର ଗଙ୍ଗାଧର ଦାଶ ଏହାକୁ ସମର୍ଥନ ଜଣାଇଥିଲେ ଓ ରଘୁନାଥପାଲୀ ପ୍ରଭାରୀ ତଥା ସାଧାରଣ ସମ୍ପାଦକ ଦିଲ୍ଲୀପ ଦାସ ବୈଠକ ପରିଚାଳନା କରିଥିଲେ । ପୂର୍ବତନ ନଗରପାଳ ନିହାର ରାୟ, ରାଜ୍ୟ ସମ୍ପାଦକ ଧିରେନ ସେନାପତି, ପୂର୍ବତନ ବିଧାୟକ ଶଙ୍କର ଓରାମ, ବର୍ଷିୟାନ ନେତୃତ୍ୱ କିଶନ ସାହୁ, ରାଉରକେଲା ପ୍ରଭାରୀ ତପନ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା କେର୍କେଟା, ରଘୁ ବଳ ମଞ୍ଚାସୀନ ଥିବାବେଳେ ଜିଲାର ସମସ୍ତ ମଣ୍ଡଳ ସଭାପତି, ଜିଲା କର୍ମକର୍ତ୍ତା, ବିଭିନ୍ନ ମୋର୍ଚ୍ଚା କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ସମସ୍ତଙ୍କ ସହଯୋଗ ପାଇଁ ସଭାପତି ଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ ।

By amfnews

Related Post