ଯାଜପୁର,୨୯/୦୯ :ଜଳସେଚନ ବିଭାଗର ବିଭିନ୍ନ ପ୍ରକାର ଦୁର୍ନିତିକୁ ଖୋଦ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଚାପୁଛନ୍ତି । ଏଥିନେଇ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନଥିବା ବେଳେ ଯାଜପୁର ନିର୍ବାହୀ ଯନ୍ତ୍ରୀ ବିଭିନ୍ନ ଘଟଣାରେ ସଚିବଙ୍କୁ ଭୁଆଁ ବୁଲାଇବାରେ ସଫଳ ହେଉଛନ୍ତି । ଏହା ସରକାରଙ୍କ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଏଥିନେଇ ସଚିବଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି ।
ଖବରରୁ ପ୍ରକାଶ, ଯାଜପୁର ଡ୍ରେନେଜ ଡିଭିଜନ ଅନ୍ତର୍ଗତ ବିଂଝାରପୁର ସବଡିଭିଜନ ଅଧୀନରେ ଥିବା ଖରିଆ ନାଳ ପ୍ରକଳ୍ପର ଠିକାଦାରୀ କାର୍ଯ୍ୟ ପାଇଁ ବିଭାଗ ନିକଟରେ ଜାଲ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରାଯାଇ ଥିଲା । ଏହି ଠିକାଦାର ଏପିଏସ ବାବଦକୁ ତାଉଁତରା ସ୍ଥିତ ୟୁନାଇଟେଡ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲେ । ହେଲେ ଏହା ଜାଲ ବ୍ୟାଙ୍କ ଗ୍ୟାରେଣ୍ଟି ବୋଲି ଅଭିଯୋଗ ହୋଇଥିଲା । ଜମା ହୋଇଥିବା ବ୍ୟାଙ୍କ ଗ୍ୟାରେଣ୍ଟିରେ ରେଫରେନ୍ସ ନଂବର ଓ ତାରିଖ ଉଳ୍ଲେଖ ନଥିବାରୁ ଏହା ଅଧିକ ସନ୍ଦେହ ଘେରକୁ ଆସିଥିଲା ।
ତାଉଁତରା ୟୁନାଇଟେଡ ବ୍ୟାଙ୍କ ଶାଖା ପରିଚାଳକ ଭାବେ ପ୍ରମୋଦ କୁମାର ମିଶ୍ର ୨୦୧୫ ମସିହା ଜୁଲାଇ ମାସରେ ଯୋଗଦେଇ ଥିବା ବେଳେ ଅକ୍ଟୋବର ମାସରେ ଆବେଦନ ହୋଇଥିବା ଟେଣ୍ଡର ପାଇଁ ଦିଆଯାଇ ଥିବା ବ୍ୟାଙ୍କ ଗ୍ୟାରେଣ୍ଟିରେ ଶ୍ରୀ ମିଶ୍ରଙ୍କ ଦସ୍ତଖତ ପରିବର୍ତ୍ତେ ପୂର୍ବ ଶାଖା ପରିଚାଳକ ପି.ଭୋଇଙ୍କ ଦସ୍ତଖତ ଦେଖିବାକୁ ମିଳିଛି । ଏପରିକି ଶାଖା ପରିଚାଳକ ପି.ଭୋଇଙ୍କ ଦସ୍ତଖତକୁ ମଧ୍ୟ ଏହି ବ୍ୟାଙ୍କ ଗ୍ୟାରେଣ୍ଟିରେ ଜାଲିଆତି କରାଯାଇଛି । ଗତ ୨୦୧୫ ମସିହା ଅକ୍ଟୋବର ମାସରେ ସଂପୃକ୍ତ ଠିକାଦାରଙ୍କ ନାମରେ ଉକ୍ତ ବ୍ୟାଙ୍କରେ ୫ ହଜାରରୁ କମ ଟଙ୍କା ଜମା ଥିବାବେଳେ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ତାଙ୍କୁ କିପରି ଦିଆଗଲା ବୋଲି ମଧ୍ୟ ପ୍ରଶ୍ନବାଚୀ ଠିଆ ହୋଇଥିଲା ।
ଏଥିନେଇ ସେ ସମୟରେ ସମଗ୍ର ରାଜ୍ୟରେ ଏହା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟରେ ଅନ୍ୟ ଜଣେ ଠିକାଦାର ମଧ୍ୟ ଏହିଭଳି ଜାଲ ବ୍ୟାଙ୍କ ଗ୍ୟାରେଣ୍ଟି ନେଇ ଦଣ୍ଡ ପାଇଥିଲେ । ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଳସେଚନ ସଚିବଙ୍କ ନିକଟରେ ବିଦ୍ଧିବଦ୍ଧ ଭାବେ ଅଭିଯୋଗ ପରେ ଗତ ତା୧୦.୦୩.୧୮ ରିଖରେ ଉପରୋକ୍ତ ସମସ୍ତଙ୍କ କାର୍ଯ୍ୟାଳୟରୁ ଏଥିନେଇ ତଦନ୍ତ ନିର୍ଦ୍ଦେଶ ଯାଜପୁର ଡ୍ରେନଜ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ଏହାପରେ ବି ଏଥିନେଇ କୌଣସି ପ୍ରକାର ତଦନ୍ତ ନିର୍ଦ୍ଦେଶ ବିଭାଗୀୟ ସଚିବଙ୍କ ତରଫରୁ ଦିଆଯାଇ ନାହିଁ ବୋଲି ଯାଜପୁର ନିର୍ବାହୀଯନ୍ତ୍ରୀଙ୍କ ତରଫରୁ ସୂଚନା ଦିଆଯାଇଛି । ଏକ ସୂଚନା ଅଧିକାରରେ ନିର୍ବାହୀଯନ୍ତ୍ରୀ ଦେଇଥିବା ସୂଚନାରେ ପ୍ରକାଶ କରିଛନ୍ତି ଯେ, ଭି.ଡି.ଓ କନଫେରେନ୍ସିରେ ଜଳସେଚନ ସଚିବ ନିର୍ଦ୍ଦେଶରେ ଜଳସେଚନ ସର୍ବୋଚ୍ଚ ଯନ୍ତ୍ରୀ ଏ ବିଷୟରେ ପଚାରିଥିଲେ ।
ବ୍ୟାଙ୍କ ଗ୍ୟାରେଣ୍ଟିର ସତ୍ୟତା ତକ୍ରାଳୀନ ଅଧୀକ୍ଷଣଯନ୍ତ୍ରୀ ବ୍ୟାଙ୍କ ଶାଖା ପରିଚାଳକଙ୍କ ଠାରୁ ଆଣି ନିର୍ଦ୍ଧିଷ୍ଟ ଫାଇଲରେ ରଖିଛନ୍ତି । ଉକ୍ତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଚ୍ୟାଲେଞ୍ଜ କରି ଜିତେନ୍ଦ୍ର ପରିଡା ନାମକ ଠିକାଦାର ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଡବଲ୍ୟୁ ପି ସି ନଂ- ୩୧୧୫/୧୬ ଫାଇଲ କରିଛନ୍ତି । ଯାହାର ପାରାୱାଇଜ କମିଟି ଡି.ଓ.ଡବଲ୍ୟୁ.ଆର ରୁ ଅନୁମୋଦନ କରାଯାଇ କୋର୍ଟରେ ଦାଖଲ କରାଯାଇଛି । ତେବେ ଏପିଏସ ମହାଦର୍ନିିତି ନେଇ ବ୍ୟାଙ୍କ ଗ୍ୟାରେଣ୍ଟି ନେଇ ବିଭିନ୍ନ ବ୍ୟାଙ୍କରୁ ତଥ୍ୟ ସଂଗ୍ରହ କଲାପରେ ଏହାର ରିପୋର୍ଟ ପତ୍ର ସଂଖ୍ୟା ୧୨୬୨ ତା୩୦.୧୦.୧୭ ଏବଂ ୨୪୩୯ ତା୧୬ .୧୧.୧୭ ରିଖରେ ମୁଖ୍ୟଯନ୍ତ୍ରୀଙ୍କ ଜଣାଇ ଦିଆଯାଇଛି । ହେଲେ ଏହି ସୂଚନା ଆବେଦନରେ ଏଥିନେଇ ଆଦାନ ପ୍ରଦାନ ହୋଇଥିବା ପତ୍ରର ନକଲ ପ୍ରଦାନ ନକରି କେବଳ ଗୋଟିଏ କାଗଜରେ ସୂଚନା ପ୍ରଦାନ କରି ଏଥିରେ ହୋଇଥିବା ବଡ ଧରଣର ଦୁର୍ନିତିକୁ ସ୍ପଷ୍ଟ କରିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ପ୍ରକୃତ ଘଟଣାକୁ ଚାପିଦେବା ପାଇଁ ହାଇକୋର୍ଟରେ ଏମ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ମାନ୍ୟବର ହାଇକୋର୍ଟ ଅଦ୍ୟାବଧି ଏଥିନେଇ ଜଳସେଚନ ବିଭାଗକୁ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି । ଏହାସତ୍ୱେ ଏଭଳି ଏକ ବଡ ଧରଣର ଦୁର୍ନିତି ନେଇ ବିଭାଗ କାହିଁକି ଚୁପ ହୋଇ ବସିଛି? ଗତ ତା୧୦.୦୩.୨୦୧୮ ରିଖରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଜଳସେଚନ ସଚିବଙ୍କ ନିକଟରେ ହୋଇଥିବା ଅଭିଯୋଗରେ ନିର୍ବାହୀଯନ୍ତ୍ରୀ ସିଧାସଳଖ ଏଥିନେଇ ବ୍ୟାଙ୍କରୁ ତଥ୍ୟ ସଂଗ୍ରହ କରି ଜାଲ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଥାନାରେ ଏତଲା ଦେବାକୁ ଅନୁରୋଧ କରାଯାଇଥିଲା । ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ସଚିବଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିବା ବେଳେ ଏବେ ସୂଚନା ଅଧିକାରରେ ମିଳିଥିବା ଉତରରେ ନିର୍ବାହୀଯନ୍ତ୍ରୀ ପରୋକ୍ଷରେ ଏଥିନେଇ ମୁଖ୍ୟଯନ୍ତ୍ରୀଙ୍କୁ ସବୁ ବିଷୟ ଜଣାଯାଇଥିବା ପ୍ରକାଶ କରି ଉଭୟ ମୁଖ୍ୟଯନ୍ତ୍ରୀ ଏବଂ ସଚିବଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛନ୍ତି ।