ବରଗଡ଼ : ଗତ ୧୫ ତାରିଖରୁ ଦୁଇମାସ ଧରି ହୀରାକୁଦ ଜଳଭଣ୍ଡାରରେ ମାଛମରା ଉପରେ କଟକଣା ଲାଗୁ ହୋଇଛି। ପ୍ରଜନନ ସମୟ ଯୋଗୁଁ ଅଗଷ୍ଟ ୧୫ ତାରିଖ ଯାଏଁ ମତ୍ସ୍ୟଜୀବୀ ମାଛ ମାରିପାରିବେ ନାହିଁ। ଅନ୍ୟପକ୍ଷରେ ମହାନଦୀର ଛତିଶଗଡ଼ ପଟେ ଏଭଳି କଟକଣା ନ ଥିବାରୁ ମତ୍ସ୍ୟଜୀବୀମାନେ ଖୁଲମଖୁଲା ମାଛ ମାରୁଛନ୍ତି। ଦୁଇ ରାଜ୍ୟର ଭିନ୍ନ ଭିନ୍ନ ମାଛମରା ନୀତି ଯୋଗୁଁ ଓଡ଼ିଶାର ମତ୍ସ୍ୟଜୀବୀ ଜୀବିକା ହରାଇ ଦୁର୍ଦ୍ଦିନ ଜୀବନ ବିତାଉଥିବାବେଳେ ଛତିଶଗଡ଼ ମତ୍ସ୍ୟଜୀବୀ ମାଲାମାଲ୍ ହେଉଛନ୍ତି।
ଓଡ଼ିଶା ସରକାରଙ୍କ ଏହି କଟକଣା ଯୋଗୁଁ ବରଗଡ଼ ଜିଲ୍ଲାର ଶହଶହ ମତ୍ସଜୀବୀଙ୍କ ପରିବାର କିଭଳି ଚଳିେବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କଟକଣା ସମୟରେ ସରକାରୀ ସହାୟତା ଦେବାକୁ ବାରମ୍ବାର ମତ୍ସ୍ୟଜୀବୀ ଦାବି କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ କିଛି ବିକଳ୍ପ ରୋଜଗାର କଥା କେହି ଚିନ୍ତା କରିନାହାନ୍ତି। କିମ୍ବା ସରକାରଙ୍କ ତରଫରୁ କିଛି ସହାୟତା ରାଶି ବି ମିଳିନାହିଁ। ଫଳରେ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦିନ ବଢ଼ି ଯାଇଛି। ବିକଳ୍ପ ବ୍ୟବସ୍ଥା ନଥିବାରୁ ମତ୍ସ୍ୟଜୀବୀ ଅଦିନିଆ ଦାଦନ ଖଟିଯିବାକୁ ସଜବାଜ ହେଉଥିବା ଜଣାପଡ଼ିଛି।
ଗୋଟିଏ ପଟେ ଓଡ଼ିଶାର ମତ୍ସ୍ୟଜୀବୀ ପେଟପାଟଣା ପାଇଁ ସଂଘର୍ଷ କରୁଥିବାବେଳେ ଛତିଶଗଡ଼ରେ ଏହାର ବୀପରିତ ଦୃଶ୍ୟ ଦେଖିବାକୁ ମିଳୁଛି। କଲ୍ମା ସମେତ ଅନ୍ୟ ବ୍ୟାରେଜ୍ ଗେଟ୍ ବନ୍ଦ ଯୋଗୁଁ ପଛୁଆ ପାଣିରେ ଛତିଶଗଡ଼ ପରିପୁଷ୍ଟ ରହିଛି। ଅନ୍ୟପକ୍ଷରେ ଓଡ଼ିଶା ପଟେ ମହାନଦୀ ଟାଂଗରା ଦେଖା ଦେଉଛି। ମହାନଦୀର ପର୍ଯ୍ୟାପ୍ତ ପଛୁଆ ପାଣି ଯୋଗୁଁ ଉପରମୁଣ୍ଡରେ ଜୈବ ବିବିଧତା ଭରପୂର ରହୁଛି। ବର୍ଷତମାମ ସେଠାକାର ଲୋକେ ମାଛ ମାରି ବେଶ୍ ଉପାର୍ଜନ କରୁଛନ୍ତି। ସ୍ଥିତି ଏଭଳି ଯେ ସାମାନ୍ୟ ଗୋଟି ଜାଲ ପକାଇ ଲୋକେ ଘଣ୍ଟାକୁ ୫-୬ କିଲୋ ମାଛ ମାରୁଛନ୍ତି। ସେହିପରି ବିରଳ ପ୍ରଜାତିର ଚିଙ୍ଗୁଡ଼ି ମଧ୍ୟ ଉପରମୁଣ୍ଡରେ ଉପଲବ୍ଧ ରହୁଛି। ମାଛଚାଷୀମାନେ ଏ ଗୁଡ଼ିକୁ ରାୟପୁର, ଭିଲାଇ ସମେତ ଓଡ଼ିଶା ସୀମାନ୍ତବତ୍ତୀ ଜିଲ୍ଲାଗୁଡ଼ିକୁ ପଠାଇ ବେଶ୍ ରୋଜଗାର କରୁଛନ୍ତି। କଲମା ଉପରମୁଣ୍ଡରେ ଜଣେ ଲୋକ ଦୈନିକ ହାରାହାରି ୨୦ରୁ ୨୫ କିଲୋ ମାଛ ମାରୁଛନ୍ତି। ହୀରାକୁଦରେ ମାଛମରା ଉପରେ କଟକଣା ଲାଗିଥିବା ବେଳେ ଛତିଶଗଡ଼ର ମତ୍ସ୍ୟଜୀବୀ ଖୁଲମଖୁଲା ମାଛ ମାରୁଛନ୍ତି। ସେମାନେ ଓଡ଼ିଶା ସୀମାରେ ମହାନଦୀରେ ମାଛ ମାରୁଥିବା ମଧ୍ୟ ଦେଖା ଦେଇଛି। ନିଷିଦ୍ଧ ଡୁଲୁଂଗି ଜାଲ ମଧ୍ୟ ବ୍ୟବହାର ହେଉଛି। ତେଣୁ ପ୍ରଜନନ ସମୟରେ ଛତିଶଗଡ଼ର ମତ୍ସ୍ୟଜୀବୀ ମାଛ ମାରୁଥିବାରୁ ହୀରାକୁଦରେ ଆଗାମୀ ଋତୁରେ ମାଛ ଉତ୍ପାଦନ ଢେର କମିଯିବା ଆଶଂକା ରହିଛି।