Sat. Nov 23rd, 2024

ଦୁଇ ନିୟୁତ କରୋନାଭାଇରସ୍ ଟିକା ପ୍ରୟୋଗ ପାଇଁ ପ୍ରସ୍ତୁତ କରି ରଖିଛି ଆମେରିକା: ଡୋନାଲ୍‌ଡ୍ ଟ୍ରମ୍ପ୍

By amfnews Jun 6, 2020 #Featured
404 Views

ୱାସିଂଟନ୍: ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକା ଦୁଇ ନିୟୁତ କରୋନାଭାଇରସ୍ ପ୍ରତିଷେଧକ ଟିକା ପ୍ରସ୍ତୁତ କରିସାରିଛି। ଏହି ଟିକା କେତେଦୂର ନିରାପଦ ତାହା ପ୍ରୟୋଗ କରି ଦେଖାଯିବ।

ହ୍ବାଇଟ୍ ହାଉସ୍‌ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ କହିଲେ, ଗତକାଲି ଟିକା ସମ୍ବନ୍ଧରେ ଆମର ବୈଠକ ବସିଥିଲା। ଆମେ ଖୁବ୍ ସଫଳତା ହାସଲ କରିଛୁ। ଆମକୁ ଆଶାତୀତ ସୁଫଳ ମିଳିପାରେ। ଟିକା ପ୍ରସ୍ତୁତି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହେଉଛି।

ସତ କହିବାକୁ ଗଲେ ଆମେ ଏହି ଟିକା ସବୁ ପଠାପଠି କରିବା ପାଇଁ ଆୟୋଜନ କରୁଛୁ। ଆମେ ଦୁଇ ନିୟୁତରୁ ଅଧିକ ଟିକା ପ୍ରସ୍ତୁତ କରି ରଖିଛୁ। ଏହା ରୋଗ ସଂକ୍ରମଣରୁ କେତେଦୂର ସୁରକ୍ଷା ଦେବ ତାହା ପ୍ରୟୋଗ କରି ଦେଖାଯିବ।

ଟ୍ରମ୍ପ୍ ଆହୁରି କହିଲେ କି, ଚିକିତ୍ସା କ୍ଷେତ୍ରରେ ମଧ୍ୟ ଆମେ ଖୁବ୍ ଭଲ କାମ କରୁଛୁ। ଆରୋଗ୍ୟ ହାର ବି ଭଲ ରହିଛି।

‘ଦ ନ୍ୟୁୟର୍କ ଟାଇମ୍‌ସ୍’ ଖବରକାଗଜ କହିବା ଅନୁସାରେ, କରୋନାଭାଇରସ୍ ପ୍ର‌ତିଷେଧକ ଟିକା ପ୍ରସ୍ତୁତ କରିବାକୁ ଟ୍ରମ୍ପ୍ ପ୍ରଶାସନ ପାଞ୍ଚୋଟି କମ୍ପାନିଙ୍କୁ ମନୋନୀତ କରିଥିଲା।

ଏହି ପ୍ରସଙ୍ଗରେ ଟ୍ରମ୍ପ୍ କହିଛନ୍ତି, ଭଲ କଥାଟି ହେଲା ସାତ ଆଠଟି କମ୍ପାନିରୁ କେତେକ ଗୋଟିଏ ପ୍ରକାରର ଟିକା ପ୍ରସ୍ତୁତ କରିଥିବା ବେଳେ ଅନ୍ୟ କେତେକ ଭିନ୍ନ ପ୍ରକାରର ଟିକା ପ୍ରସ୍ତୁତ କରିଛନ୍ତି। ଚିକିତ୍ସା କ୍ଷେତ୍ରରେ ମଧ୍ୟ ସେହିଭଳି ଉନ୍ନତି ହୋଇଛି। କିନ୍ତୁ, କେଉଁ କମ୍ପାନି ଟିକା ପ୍ରସ୍ତୁତ କରିଛି, ତାହା ମୁଁ କହିବି ନାହିଁ।

By amfnews

Related Post