Sun. Mar 8th, 2026

ଦିଲ୍ଲୀ ନିର୍ବାଚନ: ଜେଡିୟୁ ପ୍ରଚାର ତାଲିକାରୁ ପ୍ରଶାନ୍ତ କିଶୋର୍ ଆଉଟ୍

204 Views

ପାଟନା : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ-ଏଲଜେପି ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଷ୍ଟାର ପ୍ରଚାର ତାଲିକାରେ କିନ୍ତୁ ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର ଏବଂ ପବନ ବର୍ମାଙ୍କ ନାମ ହଟାଇ ଦେଇଛି ଜେଡିୟୁ। ନାଗରକିତ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି)କୁ ନେଇ ପ୍ରଶାନ୍ତ କିଶୋର ଏବଂ ପବନ ବର୍ମା ବିଜେପିକୁ ବାରମ୍ବାର ସମାଲୋଚନା କରୁଥିବାରୁ ପ୍ରଚାର ତାଲିକାରୁ ତାଙ୍କୁ ହଟାଇ ଦିଆଯାଇଛି ବୋଲି କୁହାଯାଉଛି। ଏଥିସହ ଅନେକ ଥର ଏହି ଦୁଇ ନେତା ଦଳର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଦଳର ମତ ରଖିବା ପରିବର୍ତ୍ତେ ନିଜର ମତ ଦେଉଥିଲେ। ଯାହାକି ଦଳକୁ ଅଡ଼ୁଆରେ ପକାଉଥିଲା। ତେଣୁ ଏହି କାରଣ ପାଇଁ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କୁ ପ୍ରଚାର ତାଲିକାରୁ ହଟାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ କିନ୍ତୁ ପ୍ରଶାନ୍ତ କିଶୋର ନିର୍ବାଚନ ପ୍ରଚାର ତାଲିକାରେ ଥିଲେ।

ପ୍ରଶାନ୍ତ କିଶୋର ସିଏଏ-ଏନଆରସିକୁ ନେଇ ଦଳ ବିରୋଧୀ ପକ୍ଷ ରଖୁଥିଲେ। ଏହାକୁ ନେଇ କିଛି ଦିନ ତଳେ ନୀତୀଶ କୁମାର କହିଥିଲେ,  ୧୯ ତାରିଖ ଦିନ ମାନବ ଶୃଙ୍ଖଳ ଶେଷ ହେବା ପରେ ସେ କିଛି କହିବେ। ତେଣୁ ଏବେ ପ୍ରଶାନ୍ତ ଏବଂ ପବନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହା ଏକ ପ୍ରକାର ଦଣ୍ଡ ବୋଲି କୁହାଯାଉଛି।

ଅନ୍ୟପଟେ ରାଜନୀତିକ ସମୀକ୍ଷକଙ୍କ ମତରେ ଦିଲ୍ଲୀରେ ବିଜେପି ସହ ମିଶି ଜେଡିୟୁ ନିର୍ବାଚନ ଲଢ଼ୁଛି। ହେଲେ ଶାସକ ଦଳ ଆପର ନିର୍ବାଚନ ଦାୟିତ୍ୱ ନେଇଛି ପ୍ରଶାନ୍ତ କିଶୋରଙ୍କ I-PAC। ତେଣୁ ପ୍ରଶାନ୍ତ କିଶୋର ଯଦି ନିର୍ବାଚନ ପ୍ରଚାର କରିବେ, ତା’ହେଲେ କାହା ବିରୋଧରେ ପ୍ରଚାର କରିବେ? ତେଣୁ ଜେଡିୟୁ ସୁପ୍ରିମୋ ତାଙ୍କୁ ପ୍ରଚାର ତାଲିକାରୁ ବାଦ୍ ଦେଇଛନ୍ତି।

By amfnews

Related Post