Wed. Nov 27th, 2024

ଟ୍ରାକ ମରାମତି ବେଳେ ଚଢ଼ିଗଲା ଟ୍ରେନ, ୪ ଗ୍ୟାଙ୍ଗମ୍ୟାନଙ୍କ ମୃତ୍ୟୁ

By amfnews Nov 6, 2018 #Featured
148 Views

ଲକ୍ଷ୍ନୌ, ନଭେମ୍ବର, ୬: ଉତ୍ତରପ୍ରଦେଶରେ ଏକ ଦୁଃଖଦ ଘଟଣା ଘଟିଛି। ରେଲେଓ୍ଵ ଟ୍ରାକ୍‌ ସଜାଡ଼ୁଥିବା ବେଳେ ଟ୍ରେନ ମାଡିଯିବାରୁ ୪ ଜଣ ଗ୍ୟାଙ୍ଗମ୍ୟାନଙ୍କର ଟ୍ରେନ୍‌ ଚକାତଳେ ଜୀବନ ଚାଲି ଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଉତ୍ତରପ୍ରଦେଶର ହର୍ଦୋଇ ଜିଲ୍ଲାର ସିଣ୍ଡିଲା ଓ ଉମରତଲାଇ ମଧ୍ୟରେ ରେଲେଓ୍ଵ ଟ୍ରାକ୍‌ ଖରାପ ଥିବାରୁ ଏହାର ମରାମତି ଗ୍ୟାଙ୍ଗମ୍ୟାନ କୌଶଲ, ରାଜେନ୍ଦ୍ର, ରାଜେଶ ଓ ରାମସ୍ୱରୂପ କରୁଥିଲେ। ଏହି ସମୟରେ କୋଲକାତାରୁ ଅମୃତସର ଯାଉଥିବା ଅକଲ ତଖ୍‌ତ ଏକ୍ସପ୍ରେସ ସେହି ଟ୍ରାକ୍‌ରେ ଚାଲିଆସିଥିଲା।

ଫଳରେ ଟ୍ରେନ୍‌ରେ କଟିଯାଇ ଏହି ଚାରିଜଣ ଗ୍ୟାଙ୍ଗମ୍ୟାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଏ ନେଇ ରେଳବାଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମରାମତି କାର୍ଯ୍ୟ ଚାଲିଥିବା ବେଳେ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା, ସେ ନେଇ ମୃତକଙ୍କ ପରିବାର ଅଭିଯୋଗ କରିବା ସହିତ ରେଲେଓ୍ଵ ଟ୍ରାକରେ ବସି ଧାରଣା ଦେଇଥିଲେ। ହର୍ଦୋଇ ଏସ୍‌ପି ଆଲୋକ ପ୍ରୀୟଦର୍ଶୀ ଓ ଅନ୍ୟ ରେଳବାଇ ଅଧିକାରୀମାନେ ପହଞ୍ଚି ମୃତ ଗ୍ୟାଙ୍ଗମ୍ୟାନଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଛନ୍ତି।

ତେବେ ଏହି ମରାମତି କାର୍ଯ୍ୟ ତଦାରଖ କରୁଥିବା ରେଳବାଇ ଟ୍ରାକ୍‌ ନୀରିକ୍ଷକ ଘଟଣାସ୍ଥଳରୁ ବହୁ ଦୂରରେ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଏପରିକି ମରାମତି ଚାଲିଥିଲେ ସୁଦ୍ଧା ଟ୍ରାକ୍‌କୁ ବ୍ଲକ୍‌ କରାଯାଇ ନ ଥିଲା କିମ୍ବା ଲାଲ ପତାକା ଲଗାଯାଇ ନ ଥିଲା ବୋଲି ଜଣାଯାଇଛି। ତେବେ ଏ ନେଇ ଏଡିଆରଏମ ଶରଦ ଶ୍ରୀବାସ୍ତବ କହିଛନ୍ତି ଘଟଣାର ନିରପେକ୍ଷ ତଦନ୍ତ ହେବ ଏବଂ ପ୍ରତ୍ୟେକ ଗ୍ୟାଙ୍ଗମ୍ୟାନ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ।

By amfnews

Related Post