Sat. Mar 7th, 2026

ଟ୍ରଷ୍ଟ୍‌ ମେମ୍ବରଙ୍କୁ ପାନେ ଦେବା ଲାଗି କର୍ଣ୍ଣାଟକ ମନ୍ଦିର ପ୍ରସାଦରେ ବିଷ ମିଶାଇଥିଲେ ମହନ୍ତ: ପୁଲିସ

356 Views

ବେଙ୍ଗାଲୁରୁ: ଜଣେ ସ୍ଥାନୀୟ ମହନ୍ତଙ୍କୁ ଗିରଫ କରିବା ପରେ ଚମରାଜନଗର ଜିଲ୍ଲାର ସୁଲାଓ୍ଵାଡ଼ି ଗାଁ’ରେ ଥିବା ମାରାମ୍ମା ମନ୍ଦିର ପ୍ରସାଦ ବିଷାକ୍ତ ହେବାର ରହସ୍ୟ ଜଣାପଡ଼ିଛି ବୋଲି ବୁଧବାର ଦିନ କର୍ଣ୍ଣାଟକ ପୁଲିସ କହିଛି। ଏହି ପ୍ରସାଦ ପାଇ ଏ ଯାବତ୍‌ ୧୫ ଜଣ ଲୋକ ପ୍ରାଣ ହରାଇଲେଣି।

ପ୍ରସାଦ ବିଷାକ୍ତ କରାଇବାରେ ସାଲୁରୁ ମଠର କନିଷ୍ଠ ମହନ୍ତ ଇମ୍ମାଡ଼ି ମହାଦେବସ୍ୱାମୀ ଏବଂ କୁଚୁଚୁଗୁଟ୍ଟି ମାରମ୍ମା ମନ୍ଦିର ଟ୍ରଷ୍ଟ୍‍ର ଅଧ୍ୟକ୍ଷ ସମ୍ପୃକ୍ତ। ପୁଲିସ କହିଛି ମହନ୍ତ ଏବଂ ଟ୍ରଷ୍ଟ୍‍ର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଥିବା କଥା ପୁଲିସ ଆଇଜି କେଭି ଶରତ ଚନ୍ଦ୍ର କହିଛନ୍ତି।

ଟ୍ରଷ୍ଟ୍‍ର ଅନ୍ୟ ସଦସ୍ୟମାନଙ୍କୁ ପାନେ ଦେବା ଲାଗି ମନ୍ଦିର ଟ୍ରଷ୍ଟ୍‍ର ମ୍ୟାନେଜର୍‌ ମଦେଶଙ୍କ ପତ୍ନୀ ଅମ୍ବିକାଙ୍କୁ ମହନ୍ତ ନିର୍ଦେଶ ଦେଇଥିଲେ। ପୁଲିସ କହିବା ଅନୁସାରେ ମହନ୍ତଙ୍କ ସହ ଅମ୍ବିକାଙ୍କର ଅନୈତିକ ସମ୍ପର୍କ ରହିଛି। ତେଣୁ ସେ ହିଁ ସହଜରେ ଉପଲବ୍ଧ ଏବଂ ଖୁବ୍‌ ମାରାତ୍ମକ କୀଟନାଶକ ‘ମୋନୋକ୍ରୋଟୋଫସ୍‌’ ପ୍ରସାଦରେ ମିଶାଇବାକୁ ପାଞ୍ଚିଥିଲେ।

ତାଙ୍କର ସ୍ୱାମୀ ମଦେଶ ମନ୍ଦିରର ସହକାରୀ ରୋଷେୟା ଦୋଦ୍ଦିହାଙ୍କ ଦ୍ୱାରା ବିଲାତିମିଶା ଭାତ ଏବଂ ପଞ୍ଚାମୃତରେ କୀଟନାଶକ ମିଶାଇ ଥିଲେ। ଗୋପୁରମ୍‌ ନିର୍ମାଣ ପାଇଁ ଭୂମିପୂଜନ ଦିନ ଆଖପାଖ ଗାଁ’ରୁ ଅନେକ ଲୋକ ଆସି ମନ୍ଦିରରେ ଗହଳି କରିଥିଲେ। ସେମାନଙ୍କୁ ଏହି ବିଶାକ୍ତ ପ୍ରସାଦ ବଣ୍ଟନ କରାଯାଇଥିଲା।

ଆଉ ଏକ ନୂଆ ଏଫ୍‌ଆଇଆର୍‌ରେ ପୁଲିସ ୧ ନମ୍ବର ଅଭିଯୁକ୍ତ ଭାବେ ମହାଦେବସ୍ୱାମୀ, ୨ ନମ୍ବର ଅଭିଯୁକ୍ତ ଭାବେ ଅମ୍ବିକା ଏବଂ ୩ ନମ୍ବର ଅଭିଯୁକ୍ତ ଭାବେ ତାଙ୍କ ସ୍ୱାମୀ ମଦେଶଙ୍କ ନାମ ଉଲ୍ଲେଖ କରିଛି।

ବିଷାକ୍ତ ପ୍ରସାଦ ଖାଇବା ଅସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଏବେ ଆହୁରି ୧୦୭ ଜଣ ମହୀଶୂର ଏବଂ ଚମରାଜନଗରର ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

By amfnews

Related Post