ନୂଆଦିଲ୍ଲୀ: ଖୋଦ୍ ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ ଥିବା ଦେଶର ଅନ୍ୟତମ ପ୍ରମୁଖ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) କ୍ୟାମ୍ପସ୍ରେ ଗତକାଲି (ରବିବାର) ବିଳମ୍ବିତ ସନ୍ଧ୍ୟାରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଯେପରି ଭାବେ ଲାଠି, ରଡ୍, ଏସିଡ୍ ଠାରୁ ଆରମ୍ଭ କରି ଆହୁରି ବହୁ ପ୍ରକାରର ମାରଣାସ୍ତ୍ର ଧରି ପ୍ରବେଶ କରିବା ସହ ଗୁଣ୍ଡାରାଜ ଚଳାଇଲେ ତାକୁ କେନ୍ଦ୍ରକରି ଆଜି ତମାମ୍ ଦେଶରେ ଛାତ୍ର ଅଶାନ୍ତି ତୀବ୍ର ହୋଇଛି। ଏହି ଦୁର୍ବୃତ୍ତମାନଙ୍କ ଅତର୍କିତ ଆକ୍ରମଣରେ କ୍ୟାମ୍ପସରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କୁ ଠାରୁ ଆରମ୍ଭ କରି ଆହୁରି ବହୁ ଛାତ୍ର, ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ଆହତ ହୋଇ ଏବେ ଚିକିତ୍ସାଧୀନ ଥିବା ଜାଣିବାକୁ ମିଳିଛି।
ତେବେ, ଜେଏନ୍ୟୁ କ୍ୟାମ୍ପସ ମଧ୍ୟରେ ହୋଇଥିବା ଏହି ଗୁଣ୍ଡାରାଜରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପିର) କର୍ମକର୍ତ୍ତାମାନେ ସଂପୃକ୍ତ ଥିବା ନେଇ ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ସିଧାସଳଖ ଅଭିଯୋଗ କରିବା ପରେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ଜେଏନ୍ୟୁ କ୍ୟାମ୍ପସ ମଧ୍ୟରେ ହୋଇଥିବା ଗୁଣ୍ଡାରାଜକୁ ବିରୋଧକରି ଆଜି ଦେଶର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ଘଟଣାର ନିନ୍ଦା କରିବା ସହ ଜେଏନ୍ୟୁ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ ଜଣାଇବାକୁ ଯାଇ ଆନ୍ଦୋଳନ ପ୍ରଦର୍ଶନ କରିବାକୁ ସୁଦ୍ଧା କୁଣ୍ଠିତ ହୋଇ ନାହାନ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ, ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ, ଆଲ୍ଲୀଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଘଟଣାର ବିରୋଧ ପ୍ରଦର୍ଶନ କରିବା ସହ ଜେଏନ୍ୟୁ ଛାତ୍ରଛାତ୍ରୀମାନ ପ୍ରତି ସେମାନଙ୍କର ସମର୍ଥନ ଜଣାଇଛନ୍ତି। ଖାଲି ଦେଶ ଭିତରେ ନୁହେଁ ଅକ୍ସଫୋର୍ଡ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଘଟଣାର ନିନ୍ଦା କରି ଜେଏନ୍ୟୁ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ ଜଣାଇଛନ୍ତି।
#WATCH West Bengal CM Mamata Banerjee on #JNUViolence : It is very disturbing, it is a dangerous planted attack on democracy.Anyone who speaks against them is labelled a Pakistani and an enemy of the country. We never saw such a situation in the country before this.
ଅନ୍ୟପକ୍ଷରେ ଏହି ଘଟଣାରେ ଏବିଭିପିର ସଂପୃକ୍ତି ନେଇ ଅଭିଯୋଗ ଉଠିବା ପରେ ଏହା ଏବେ ରାଜନୈତିକ ରୂପ ନେବାକୁ ଆରମ୍ଭ କଲାଣି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଜେଏନ୍ୟୁ ପରିସରରେ ଗତକାଲି ରାତିରେ ଛାତ୍ରମାନଙ୍କ ଉପରେ ହୋଇଥିବା ଆକ୍ରମଣ; ଦେଶରେ ହୋଇଥିବା ୨୬/୧୧ ଆତଙ୍କବାଦୀ ହାମ୍ଲା ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯୁବ ସମାଜର କଣ୍ଠରୋଧ ପାଇଁ ଏ ଉଦ୍ୟମ ଭୟାନକ ବୋଲି କହିଛନ୍ତି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ର ସରକାର ଦିଲ୍ଲୀ ପୁଲିସ୍କୁ ନିରବ ରହିବାକୁ ନିର୍ଦ୍ଦେଶ ଦେଇ ବିଜେପି ଗୁଣ୍ଡାମାନଙ୍କୁ ପଠାଇ ଜେଏନ୍ୟୁ କ୍ୟାମ୍ପସ ମଧ୍ୟରେ ଏହି ଗୁଣ୍ଡାରାଜ ଭିଆଇଛନ୍ତି। ଏହି ଘଟଣାରେ ବିଜେପି ଓ ଏହାର ଛାତ୍ର ସଂଗଠନ ଏବିଭିପି ଛନ୍ଦି ହୋଇ ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସଗୁଡ଼ିକୁ ରାଜନୀତିର ଆଖଡ଼ା ଘର କରା ନଯାଉ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)କ୍ୟାମ୍ପସରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଧ୍ୟ ଆହତ ହୋଇଥିଲେ। ହାତରେ ରଡ୍ ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିଲେ। ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇ ଏମ୍ସରେ ଭର୍ତି ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍ ଅଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିସ୍ଥିିିର ମୁକାବିଲା ଲାଗି ପୁଲିସକୁ କ୍ୟାମ୍ପସ ଭିତରେ ଓ ବାହାରେ ମୁତୟନ କରାଯାଇଛି। ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି।
ମିଳିଥିବା ରିପୋର୍ଟ ଅନୁଯାୟୀ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଶ୍ଚିମ ଗେଟ୍ ଦେଇ ୫୦ରୁ ଊର୍ଦ୍ଧ୍ଵ ଦୁର୍ବୃତ୍ତ ମୁଖା ପିନ୍ଧି କ୍ୟାମ୍ପସ ମଧ୍ୟକୁ ପଶି ଆସି ପ୍ରଥମେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ। କ୍ୟାମ୍ପସେରେ ଥିବା ଅନେକ କାର୍କୁ ମଧ୍ୟ ସେମାନେ ନଷ୍ଟ କରିଦେଇଛନ୍ତି।