Sat. Jan 18th, 2025

ଜାନୁଆରୀ ୧୨ରେ ମିତ୍ର, ଜୁନ ୨୪ରେ ପୁଣି ଶତ୍ରୁ

By amfnews Jun 24, 2019 #Featured
206 Views

ଲକ୍ଷ୍ନୌ : ଜାନୁଆରୀରେ ମିତ୍ର ହେଲେ ଜୁନରେ ପୁଣି ଶତ୍ରୁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି। ଇଏ ହେଉଛି ଆଜିର ଉତ୍ତର ପ୍ରଦେଶ ରାଜନୀତିର ଚିତ୍ର। ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମୋଦି ହାଓ୍ୱାରେ ବ୍ରେକ୍ ଲଗାଇବା ପାଇଁ ଭତିଜା ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ବୁଆ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏକାଠି ହୋଇଥିଲେ। ଏବେ ନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟିର ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବା ସଙ୍ଗେସଙ୍ଗେ ଅଖେଲଶଙ୍କ ନେତୃତ୍ୱକୁ ଦାୟୀ କରି ମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଥିବା ମାୟାବତୀ ଟ୍ୱିଟ୍ କରି କହିଛନ୍ତି।
ଆଗାମୀ ଦିନରେ ସମସ୍ତ ନିର୍ବାଚନ ବିଏସପି ଏକାକୀ ଲଢ଼ିବ ବୋଲି ମାୟାବତୀ ଘୋଷଣା କରିଛନ୍ତି। ଏହି ମେଣ୍ଟ ଭାଙ୍ଗୁଛି ବୋଲି ଜଣା ଥିଲା, ଆଜି କିନ୍ତୁ ବିଧିବଦ୍ଧ ଭାବେ ମାୟାବତୀ ଏହା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବହୁଜନ ସମାଜ ପାର୍ଟିର ସର୍ବଭାରତୀୟ ନେତାଙ୍କୁ ନେଇ ଅଢ଼େଇ ଘଣ୍ଟା ଧରି ବୈଠକ ବସିଥିଲା। ଏହି ବୈଠକରେ ବିଏସପି ସୁପ୍ରିମୋ ମାୟାବତୀ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦ ଦେଇଛନ୍ତି।
ସେହିପରି ଗତକାଲି ବିଳମ୍ୱିତ ରାତ୍ରୀ ଯାଏ ବୈଠକ ବସିଥିଲା ବୋଲି ଆଜି ଟ୍ୱିଟ୍ କରି ମାୟାବତୀ ଉଲ୍ଲେଖ କରିଛନ୍ତି। ଏହି ବୈଠକରେ ମିଡିଆ ଉପସ୍ଥିତ ନଥିବା ସେ କହିଛନ୍ତି। ଗତକାଲି ତାଙ୍କୁ ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ସମ୍ପୂର୍ଣ୍ଣ ମିଛ ବୋଲି ମାୟାବତୀ ଟ୍ୱିଟ୍ କରି କହିଛନ୍ତି।
ଜାନୁଆରୀ ୧୨ରେ ଉଭୟ ମିଳିତ ସାମ୍ୱାଦିକ ସମ୍ମିଳନୀ କରି ମେଣ୍ଟ ଘୋଷଣା କରିଥିଲେ। ଏହି ମେଣ୍ଟରେ ଅନ୍ୟ ଏକ ଦଳ ଆରଏଲଡି ମଧ୍ୟ ସାମିଲ ହୋଇଥିଲା। ନିର୍ବାଚନ ପରେ ବିଏସପି ୨୦୧୪ରେ ଶୂନ ଥିବା ବେଳେ ଚଳିତଥର ୧୦ଟି ଆସନ ହାତେଇବାରେ ସଫଳ ହୋଇଛି। ହେଲେ ଏସପି ମାତ୍ର ୫ଟି ଆସନରେ ବିଜୟୀ ହୋଇଛି। ଆଜି ବିଏସପି ସୁପ୍ରିମୋ ଟ୍ୱିଟ୍ କରି ମେଣ୍ଟ ଭାଙ୍ଗିଲା ବୋଲି ସ୍ପଷ୍ଟ କରିଛନ୍ତି।
ତେବେ ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ, ଏସପି ସହ ମହାମେଣ୍ଟ ନିଷ୍ପତ୍ତି ବୁଝିବିଚାରି କରାଯାଇଥିଲା। କିନ୍ତୁ ଯେଉଁ ଆଶା ନେଇ ମହାମେଣ୍ଟ ଗଠନ ହୋଇଥିଲା ତାହା ଫଳପ୍ରଦ ହୋଇ ନାହିଁ। ଆହୁରି ମାୟାବତୀ କହିଛନ୍ତି ଅଖିଲେଶ ଯାଦବ ମହାମେଣ୍ଚ ପାଇଁ ଅପରିପକ୍ୱ। ନିର୍ବାଚନ ପରେ ଅଖିଲେଶଙ୍କ ଫୋନ୍ କଲକୁ ଅପେକ୍ଷା କରିଥିଲି, ହେଲେ ସେ କେବେ ଫୋନଟିଏ ବି କରି ନାହାନ୍ତି ବରଂ ମୁଁ ତାଙ୍କୁ ଫୋନ୍ କରି ପରାଜୟକୁ ନେଇ ଦୁଃଖ ପ୍ରକାଶ କରିଥିଲି ବୋଲି ମାୟାବତୀ କହିଛନ୍ତି। ଏଭଳି ସ୍ଥିତିରେ ଆଗକୁ ଯିବା ପାଇଁ ହେଲେ ଏସପି ସହ ଆଉ ମେଣ୍ଟ ହେବ ନାହିଁ ବୋଲି ସେ କହିଛନ୍ତି।
ମୁସଲମାନଙ୍କୁ ଟିକେଟ ଦେଲେ ଭୋଟ୍ ମିଳିବ ନାହିଁ ଅଖିଲେଶ ତାଙ୍କୁ କହିଥିଲେ ବୋଲି ମାୟାବତୀ କହିଛନ୍ତି। ପରିଣାମସ୍ୱରୂପ ଏସପିର ଭୋଟ ବିଜେପିକୁ ଯାଇଛି ବୋଲି ସେ କହିଛନ୍ତି। ମୁଲାୟମ ସିଂହ ଯାଦବଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ମାୟାବତୀ। ସେ କହିଛନ୍ତି ତାଜ କରିଡର ମାମଲାରେ ବିଜେପି ସହିତ ମୁଲାୟମ ମୋତେ ଫସାଇ ଥିଲେ। କିନ୍ତୁ ମେଣ୍ଟ ବେଳେ ଏସବୁକୁ ସେ ଭୁଲି ଯାଇଥିଲେ ବୋଲି ମାୟାବତୀ କହିଛନ୍ତି।

By amfnews

Related Post