Sun. Mar 8th, 2026

ଜାତୀୟ ରଜପଥରେ କଳା ପଲ୍‌ସର ଆତଙ୍କ : ଲୁଟ୍‌ବେଳେ ବାଇକ୍‌ରୁ ଖସି ମହିଳା ମୃତ

218 Views

ବାଣପୁର/ବାଲୁଗାଁ : ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ନାଭାଲ୍‌ ଛକ ନିକଟରେ ଜଣେ ମହିଳା ଦୁର୍ବୃତ୍ତଙ୍କ ଲୁଟ୍‌ ବେଳେ ବାଇକ୍‌ରୁ ଖସି ମୃତ୍ୟୁବରଣ କରିଛନ୍ତି। ନିଜର ଜଣେ ସମ୍ପର୍କୀୟଙ୍କ ସହିତ ମହିଳା ଜଣକ ବାଇକ୍‌ରେ ଯାଉଥିବା ବେଳେ କଳା ପଲସ୍‌ରରେ ଆସି ଦୁର୍ବୃତ୍ତମାନେ ତାଙ୍କ ଭ୍ୟାନିଟସ ବ୍ୟାଗ ଛଡ଼ାଇ ନେବା ବେଳେ ମହିଳାଜଣକ ଭାରସାମ୍ୟ ହରାଇ ତଳେ ପଡ଼ିଯିବା ସହିତ ପ୍ରାଣ ହରାଇଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶ, ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଚିକିଲି ଗ୍ରାମର ମୋଚିରାମ ମହାନ୍ତିଙ୍କ ପତ୍ନୀ ମଞ୍ଜୁବାଳା ମହାନ୍ତି (୩୫) ନିଜର ସଂପର୍କୀୟ କୈଳାସ ମଲ୍ଲିକଙ୍କ ସହ ବାଣପୁର ଅଞ୍ଚଳରେ ଥିବା ବଉଳାବନ୍ଧସ୍ଥିତ ନିଜ ଭଉଣୀ ଘରକୁ ଆସୁଥିଲେ। ବାଲୁଗାଁ ଥାନା ନାଭାଲ ଛକର ଛତ୍ରଗଡ଼ ଓଭର୍‌ବ୍ରିଜ୍‌ ନିକଟରେ ସେମାନେ ଆସୁଥିବା ବେଳେ ଏକ କଳା ପଲ୍‌ସର୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ମଞ୍ଜୁବାଳାଙ୍କ ଭ୍ୟାନିଟି ବ୍ୟାଗ୍‌ଟି ଝାମ୍ପି ନେଇଥିଲେ। ଏହି ସମୟରେ କୈଳାସ ବାଇକ୍‌ ଉପରେ ନିୟନ୍ତ୍ରଣ ହରାଇବାରୁ କୈଳାସ ଓ ମଞ୍ଜୁବାଳା ବାଇକ୍‌ରୁ ଛିଟିକି ପଡ଼ି ରାସ୍ତାରେ ପଡ଼ିଯାଇଥିଲେ। ତେବେ ମଞ୍ଜୁବାଳାଙ୍କ ମୁଣ୍ତ ରାସ୍ତାରେ ପିଟି ହୋଇଯିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଣପୁର ଡାକ୍ତରଖାନାକୁ ପଠା ଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଙ୍କଠାରୁ ସୂଚନା ପାଇ ବାଣପୁର ଓ ବାଲୁଗାଁ ପୁଲିସ ମଞ୍ଜୁବାଳାଙ୍କ ପରିବାରକୁ ଖବର ଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ପହ‌ଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାରେ ପୁଲିସ୍‌ ଲୁଟେରାଙ୍କ ଟେର୍‌ ପାଇ ପାରି ନାହିଁ। ଅନ୍ୟପକ୍ଷରେ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ କହିଛନ୍ତି ଯେ କୈଳାସଙ୍କ କଥାରେ ତାଳମେଳ ରହୁ ନଥିବାରୁ ତାଙ୍କୁ ଅଧିକ ପଚରାଉଚୁରା କରାଯାଉଛି।

By amfnews

Related Post