Sat. Mar 7th, 2026

ଜାତିସଂଘ ଦେୟ ପୈଠ କରିଥିବା ୩୫ ଦେଶ ମଧ୍ୟରେ ଭାରତ ଅନ୍ୟତମ

276 Views

ନୂଆଦିଲ୍ଲୀ: ଜାତିସଂଘର ଦେୟ ପୈଠ କରିଥିବା ୩୫ଟି ଦେଶ ମଧ୍ୟରେ ଭାରତ ଅନ୍ୟତମ ବୋଲି ଜାତିସଂଘକୁ ଭାରତର ରାଷ୍ଟ୍ରଦୂତ ଏବଂ ସ୍ଥାୟୀ ପ୍ରତିନିଧି ସୟେଦ ଆକବରୁଦ୍ଦିନ ଟୁଇଟ୍‌ କରିଛନ୍ତି। ଜାତିସଂଘ ୨୦୦ ନିୟୁତରୁ ଊର୍ଦ୍ଧ୍ୱ ନିଅଣ୍ଟର ସମ୍ମୁଖୀନ ହୋଇଥିବା ଖବର ପ୍ରକାଶ ପାଇଛି।

ଏପର୍ଯ୍ୟନ୍ତ ଦେୟ ପୈଠ କରିଥିବା ଦେଶଗୁଡ଼ିକର ତାଲିକା ମଧ୍ୟ ଆକବରୁଦ୍ଦିନ ଟୁଇଟ୍‌ କରିଛନ୍ତି। ତାଲିକାଭୁକ୍ତ ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି- ଅଷ୍ଟ୍ରେଲିଆ, ଭୁଟାନ୍‌, କାନାଡା, ଡେନ୍‌ମାର୍କ, ଫିନ୍‌ଲାଣ୍ଡ୍‌, ଜର୍ମାନୀ, ଆୟର୍ଲାଣ୍ଡ୍‌, ନେଦରଲାଣ୍ଡସ୍‌, ନିଉଜିଲାଣ୍ଡ୍‌, ସିଙ୍ଗାପୁର ଓ ସ୍ୱିଜର୍‌ଲାଣ୍ଡ୍‌

ଦେୟ ପୈଠ କରି ନ ଥିବା ଦେଶଗୁଡ଼ିକର ତାଲିକା ଯାଏଁ ଜାତିସଂଘ ପ୍ରକାଶ କରିନାହିଁ। କିନ୍ତୁ, ଯାହା ଜଣାପଡ଼ିଛି ୬୪ଟି ଦେଶ ଉପରେ ଜାତିସଂଘର ଅର୍ଥ ବକେୟା ପଡ଼ିଛି। ସେଥିରେ ଅଛନ୍ତି- ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍‌, ଆର୍ଜେଣ୍ଟିନା, ମେକ୍‌ସିକୋ, ଇରାନ, ଭେନିଜୁଏଲା, ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ଇସ୍ରାଏଲ୍‌ ଏବଂ ସାଉଦି ଆରବ।

ଜାତିସଂଘର ସେକ୍ରେଟେରି ଜେନେରାଲ୍‌ ଆଣ୍ଟୋନିଓ ଗୁଟେରେସ୍‌ ଦେୟ ପୈଠ କରିଥିବା ୧୨୯ ସଦସ୍ୟ-ଦେଶଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ ଦେୟ ପୈଠ କରିବାକୁ ବାକି ଦେଶମାନଙ୍କୁ ନିବେଦନ କରିଛନ୍ତି।

By amfnews

Related Post