Tue. Apr 22nd, 2025

ଛାତ୍ରାବାସରେ ଅନ୍ତେବାସୀଙ୍କୁ ମାଡ଼ ମାମଲା, ୱାର୍ଡେନ୍‌ ଗିରଫ

By amfnews Aug 21, 2019 #Featured
159 Views

ଖଣ୍ଡଗିରି  : ସ୍ଥାନୀୟ ଗାନ୍ଧୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରାବାସରେ ଛାତ୍ରମାନଙ୍କୁ ମାଡ଼ ମାରିବା ମାମଲାରେ ଆଜି ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ୱାର୍ଡେନ୍‌ ବିଶ୍ବରଞ୍ଜନ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭିଡିଓ ଭାଇରାଲ୍‌ରୁ ଘଟଣା ପ୍ରଘଟ ହେବା ପରେ ଖୋଦ୍ କଲେଜର ଅଧ୍ୟକ୍ଷଙ୍କ ଅଭିଯୋଗ ଭିତ୍ତିରେ ତାଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଖଣ୍ଡଗିରିସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରାବାସରୁ ଏହି ଭିଡିଓ ଭାଇରାଲ୍ ହୋଇଥିଲା। ଫେସ୍ ବୁକ୍‌ ଓ ହ୍ବାଟ୍ସ ଅପ୍‌ରେ ଘୂରି ବୁଲୁଥିବା ଏହି ଭିଡିଓରେ ୱାର୍ଡେନ୍‌ ବିଶ୍ବରଞ୍ଜନ ରଣା ଓରଫ ପପୁନ୍‌ ୨ ଜଣ ଛାତ୍ରଙ୍କୁ ବାଡ଼ିରେ ନିର୍ଧୁମ୍‌ ପିଟୁଥିବା ଦେଖିବାକୁ ମିଳିଥିଲା। ଛାତ୍ରାବାସରେ ଜଣେ ୱାର୍ଡେନ୍‌ଙ୍କ ଦ୍ବାରା ପିଲାଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ଘଟଣାକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା ଓ ୱାର୍ଡେନ୍‌ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଥିଲା। ତେଣୁ କଲେଜ ପକ୍ଷରୁ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାରଣା ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଆଜି ପୁଲିସ ଅଭିଯୁକ୍ତ ବିଶ୍ବଙ୍କୁ ଥାନାକୁ ଡକାଇଥିଲେ ଓ ପଚରାଉଚରା କରିବା ପରେ ସେ ମାଡ଼ ମାରିଥିବା କଥାକୁ ସ୍ବୀକାର କରିଥିଲେ। ପିଲାମାନଙ୍କୁ ଆକଟ କରିବାକୁ ଯାଇ ସେ ଏଭଳି କରିଥିଲେ ବୋଲି ସଫେଇ ଦେଇଥିଲେ।

By amfnews

Related Post