Sat. Mar 7th, 2026

ଖେଳପଡ଼ିଆ ପାଖରେ ଜୀବନ ସହିତ ସଂଗ୍ରାମ କରୁଛି ଦନ୍ତାହାତୀ, ବନବିଭାଗ ସାଜିଛି ନିଦାବିଷ୍ଣୁ

517 Views

ଟାଙ୍ଗୀ, ନଭେମ୍ବର ୧୭: ରାଜ୍ୟରେ ବନ୍ୟଜୀବମାନଙ୍କ ପ୍ରତି ସତେ ଯେମିତି ଅଭିଶାପ ପଡ଼ିଛି। ମଣିଷକୃତ ହେଉ ଅବା ସ୍ୱାଭାବିକ ଭାବେ ହେଉ ପ୍ରତିଦିନ ହାତୀ, ବାଘ ମୃତ୍ୟୁ ଘଟଣା ପରିବେଶପ୍ରେମୀମାନଙ୍କୁ ବିଚଳିତ କରିଛି। ଗତ କିଛି ଦିନ ହେବ ପ୍ରତିଦିନ ହାତୀ ମୃତ୍ୟୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିବା ବେଳେ ହାତୀର ସୁରକ୍ଷା ନେଇ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏଭଳି ପରିସ୍ଥତିରେ ଗତକାଲି ଠାରୁ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦୀବସନ୍ତ ଗ୍ରାମ ଖେଳ ପଡ଼ିଆ ନିକଟରେ ଏକ ଯୁବ ଦନ୍ତାହାତୀ ମୃତ୍ୟୁ ସହିତ ସଂଗ୍ରାମ କରୁଛି।

ଗତକାଲି ଠାରୁ ହାତୀଟି ଗୋଟିଏ ସ୍ଥାନରେ ପଡ଼ି ରହିଥିବା ବେଳେ ସେ ମୁଣ୍ଡ ଉଠାଇ ପାରୁ ନାହିଁ। ମାତ୍ର ଏହାର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା ବନବିଭାଗ କୌଣସି ପଦକ୍ଷେପ ନେଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ୭ଟି ହାତୀ କଟକ ଜିଲ୍ଲା ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଗରୁଡ଼ଗାଁ ପଞ୍ଚାୟତର ହଳଦୀବସନ୍ତ ଗ୍ରାମକୁ ଆସିଥିଲେ। ସେଥିମଧ୍ୟରୁ ୬ଟି ହାତୀ ଜଙ୍ଗଲକୁ ଫେରି ଯାଇଥିବା ବେଳେ ଗୋଟିଏ ହାତୀ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିବାରୁ ହାତୀ ପଲ ସହିତ ଫେରି ପାରି ନ ଥିଲା। ତେବେ ଗତକାଲି ରାତିରେ ସେହି ହାତୀ ପଲ ପୁଣି ଆସି ଅସୁସ୍ଥ ହାତୀଟିକୁ ଜଙ୍ଗଲକୁ ନେବା ପାଇଁ ଉଦ୍ୟମ କରି କିଛି ବାଟ ପେଲାପେଲି କରିବା ପରେ ବିଫଳ ହୋଇ ଜଙ୍ଗଳକୁ ପଳାଇଥିଲେ।

ପରେ ଏହି ଦନ୍ତାହାତୀଟି ସେହି ଖେଳପଡ଼ିଆ ପିକଟରେ ପଡ଼ି ରହିଛି। ତେବେ େଉଁ ପରିସ୍ଥିତିିରେ ହାତୀ ଅସୁସ୍ଥ ହୋଇପଡ଼ିଲା ତାହା ଜଣାପଡ଼ି ନ ଥିବା ବେଳେ ସୂଚନା ପାଇ ଆଜି ସକାଳ ୧୦ଟା ବେଳେ ବବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏହି ଅସୁସ୍ଥ ହାତୀର କିପରି ଚିକିତ୍ସା ହେବ ସେ ନେଇ କୌଣସି ଯୋଜନା ହୋଇ ନ ଥିବା ଜଣାପଡ଼ିଛି।

By amfnews

Related Post