Mon. Jun 9th, 2025

କୋଳାକୋଳି ହେଲେ ଶ୍ରୀକାନ୍ତ-ନିରଞ୍ଜନ, ହେବ କି ଘର ବାହୁଡ଼ା?

By amfnews Sep 29, 2019 #Featured
161 Views

ଭୁବନେଶ୍ୱର : ପ୍ରଚ୍ଛଦରେ ବାଜୁଛି ପଞ୍ଜୁରୀ ଭିତରେ ଶାରୀ, ଶାରୀ କହେ ହରି ହରି। ଏଭଳି ଏକ ପରିବେଶରେ ଲଙ୍କାରେ ହରି ଶବ୍ଦ ପରି ଭେଟ ହୋଇଛନ୍ତି କଂଗ୍ରେସରୁ ବିଦା ହୋଇଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ କଂଗ୍ରେସର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଭେଟକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି। ଏହି ଭେଟ ଏଥିପାଇଁ ଚର୍ଚ୍ଚିତ ଯେ, ଶ୍ରୀକାନ୍ତ ନିରଞ୍ଜନଙ୍କ ନେତୃତ୍ୱକୁ ନେଇ ହିଁ ପ୍ରଶ୍ନ ଉଠାଇ ଆସିଥିଲେ। ଆଉ ‘ପଟ୍ଟନାୟକ’ ପରିବାରର ନାମ ନେଇ ଏପରି ବିରୋଧ କାରଣରୁ ହିଁ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦଳରୁ ବିଦା ହୋଇଥିଲେ।

ପୂର୍ବତନ ବିଧାୟକ ବୃନ୍ଦାବନ ପାତ୍ରଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କର ଏହି ଭେଟ୍‌ଘାଟ୍‌ର ଏକ ଭିଡିଓ ଏବେ ଚର୍ଚ୍ଚାରେ। ନିରଞ୍ଜନ ପିସିସି ସଭାପତି ହେବା ପରେ ଦଳୀୟ ବିଶୃଙ୍ଖଳା କାରଣ ଦର୍ଶାଇ ଶ୍ରୀକାନ୍ତଙ୍କୁ ଦଳରୁ ବିଦା କରାଯାଇଥିଲା। ଏହାପରେ ନିରଞ୍ଜନ ଏବଂ ଶ୍ରୀକାନ୍ତଙ୍କ ଏହା ପ୍ରଥମ ଭେଟ ବୋଲି କୁହାଯାଉଛି। ତେବେ ଏହି କୋଳାକୋଳି ପରେ ରାଜନୀତିର ଅଙ୍କ କୁଆଡ଼କୁ ଯିବ ଚର୍ଚ୍ଚା ଆରମ୍ଭ ହୋଇଛି।

ଏଭଳି ସ୍ଥିତିରେ ଶ୍ରୀକାନ୍ତ ପୁଣି କଂଗ୍ରେସକୁ ଫେରିଲେ କୌଣସି ଆପତ୍ତି ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି। ତେବେ ଶ୍ରୀକାନ୍ତଙ୍କ ସହ ଆଲୋଚନା ବ୍ୟକ୍ତିଗତ ଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି ନିରଞ୍ଜନ। ସେପଟେ ଏନେଇ ଶ୍ରୀକାନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କଥାରେ ଅଛି ରାଜନୀତି ଏବଂ ଯୁଦ୍ଧରେ କିଛି ମଧ୍ୟ ଘଟିପାରେ। ଏହି କ୍ରମରେ ରାଜ୍ୟ ଓ ଦେଶରେ କଂଗ୍ରେସର ସ୍ଥିତି ଯାହା ଶ୍ରୀକାନ୍ତ ଘରବାହୁଡ଼ା କଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

By amfnews

Related Post