Fri. Dec 27th, 2024

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟାବସ୍ଥା ଖରାପ, ମୋବାଇଲ ଲାଇଟ୍‌ରେ ହେଲା ଜରୁରୀ ଅସ୍ତ୍ରୋପଚାର

By amfnews Oct 7, 2018 #Featured
144 Views

କେନ୍ଦୁଝର, ଅକ୍ଟୋବର ୭ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ । ମେଡ଼ିକାଲରେ ସବୁ ଅଛି କିନ୍ତୁ ଉପଯୁକ୍ତ ସମୟରେ କାର୍ଯ୍ୟରେ ଲାଗିପାରୁ ନାହିଁ । ଫଳରେ ମୋବାଇଲ ଲାଇଟ୍‌ରେ କରାଯାଉଛି ଜରୁରୀ କାଳୀନ ଅସ୍ତ୍ରୋପଚାର । ଏଭଳି ଏକ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି । କିଏ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରୁଥିବାବେଳେ ଆଉ କିଏ ବିଦ୍ୟୁତ ବିଭାଗ ଉପରେ ଦୋଷ ଲଦିଛି । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଭଳି ଦୟନୀୟ ଅବସ୍ଥାର କୌଣସି ଖବର ସିଡିଏମ୍‌ଓଙ୍କ ପାଖରେ ନ ଥିବା ସମସ୍ତଙ୍କୁ ଆଚମ୍ବିତ କରିଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବଡ଼ବିଲ୍‌ ଓଏମ୍‌ସି ବସ୍ତି ନିକଟରେ ଜଣେ ମହିଳାଙ୍କୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଏକ ଧାରୁଆ ଛୁରୀରେ ତାଙ୍କ ବେକ କାଟି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ବିଲ୍‌ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେତେବେଳେ ମେଡ଼ିକାଲରେ ବିଦ୍ୟୁତ ନ ଥିଲା । ମାତ୍ର ମହିଳାଙ୍କର ତୁରନ୍ତ ଅପରେସନ୍‌ ମଧ୍ୟ ଜରୁରୀ ଥିଲା । ଫଳରେ ଡାକ୍ତର ମୋବାଇଲ ଲାଇଟ୍‌ ଯୋଗେ ଅପରେସନ୍‌ କରିବାକୁ ବାଧ୍ୟ ହୋଇଥିଲେ । ପରେ ମହିଳାଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଙ୍କୁ ବି ଏଠାରେ ସାବାସୀ ଦେବାକୁ ପଡ଼ିବ । ଯିଏ ଏତେ ବଡ଼ ବିପଦକୁ ମୁଣ୍ଡ ଉପରେ ନେଇ ମହିଳାଙ୍କ ଜୀବନ ବଞ୍ଚାଇ ଦେଇଥିଲେ । କିନ୍ତୁ ଏଭଳି ଘଟଣାର କୌଣସି ସୂଚନା ସିଡିଏମ୍‌ଓଙ୍କ ନିକଟରେ ନାହିଁ ।

ସେପଟେ ହସ୍ପିଟାଲରେ ଜେନେରେଟ୍‌ର ଅଛି ଯାହା ଅକାମୀ ହୋଇପଡ଼ିଛି । ସେହିପରି ଅଘୋଷିତ ବିଦ୍ୟୁତ କାଟ୍‌ ଯୋଗୁଁ ଇନ୍‌ଭୋଟର୍‌ ମଧ୍ୟ ଚାର୍ଜ ହୋଇପାରୁନାହିଁ । ସେଠାରେ ପ୍ରାୟ ୧୮ ଘଣ୍ଟା ପାଖାପାଖି ବିଦ୍ୟୁତ କାଟ୍‌ ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ବିଦ୍ୟୁତ କାଟ୍‌ ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ ବୋଲି ଅଭିଯୋଗ ହୋଇଛି । ସେମାନେ ଆସନ୍ତାକାଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

By amfnews

Related Post