Mon. Nov 25th, 2024

କୁମାରସ୍ୱାମୀ ଆଉଟ୍‌, ବିଜେପି କହିଲା ଭାଗ୍ୟର ଖେଳ

By amfnews Jul 24, 2019 #Featured
203 Views

ବେଙ୍ଗାଲୁରୁ  : ମଙ୍ଗଳବାର କର୍ଣ୍ଣାଟକା ବିଧାନସଭାରେ ଜେଡିଏସ୍‌-କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ସହ ବେଶ୍‌ କିଛି ଦିନ ଧରି ଚାଲିଥିବା ନାଟକରେ ଯବନିକା ପଡ଼ିଛି। ମେଣ୍ଟ ସରକାର ପ୍ରାୟ ଏକ ସପ୍ତାହ ଯାଏ ଫ୍ଲୋର ଟେଷ୍ଟ ଟାଳିବାରେ ସମର୍ଥ ହୋଇଥିଲେ ମଧ୍ୟ ଆଜି ଏଥିରେ ଅନ୍ତ ଘଟିଛି। ଏହି ଫ୍ଲୋର ଟେଷ୍ଟରେ ବିଜେପି ୧୦୫ଟି ଭୋଟ୍ ପାଇଥିବାବେଳେ ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ମାତ୍ର ୯୯ଟି ଭୋଟ୍‌ ମିଳିଥିଲା। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନାଟକ ପରେ କର୍ଣ୍ଣାଟକା ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୧୦୩କୁ ଖସିଆସିଥିବାରୁ ବିଜେପି ଏକରକମ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବାବେଳେ ଏହାକୁ ରାଜ୍ୟପାଳ ଗ୍ରହଣ କରିଥିବା ସୂଚନା ମିଳିଛି।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଯୋଗୁ କର୍ଣ୍ଣାଟକାରେ ଆଜି ଏବଂ ଆସନ୍ତାକାଲି ପାଇଁ ୧୪୪ ଧାରା ଲାଗୁ ହୋଇଛି। ଅନ୍ୟପଟେ କଂଗ୍ରେସ ଏହି ପରାଜୟକୁ ସହଜରେ ହଜମ କରିପାରୁନଥିବାବେଳେ ବିଜେପିର ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଦଳ ସାରା ଦେଶରେ ବିକ୍ଷୋଭ କରିବ ବୋଲି କହିଛି।

ତେବେ ବିଧାନସଭାରେ ପରାଜୟ ପରେ କୁମାରସ୍ୱାମୀ କହିଛନ୍ତି, “ମୁଁ ସରକାର ବଞ୍ଚାଇବାକୁ ବହୁତ ପ୍ରୟାସ କରିଥିଲି। ମୁଁ ଏବେ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତ ଏବଂ ଦୁନିଆର ସବୁଠାରୁ ସୁଖୀ ମଣିଷ। ମୁଁ ଅବସର ନେବିନି, ପୁଣି ଲଢ଼େଇ କରିବି। ଦେଖାଯାଉ କ’ଣ ହେଉଛି।”

ଆଜି ଆସ୍ଥା ଭୋଟ୍‌ରେ ବିଜେପିର ବିଜୟ ପରେ ଦଳ ପକ୍ଷରୁ ‘ଏହା ଭାଗ୍ୟର ଫଳ’ ବୋଲି କୁହାଯାଇଥିଲା। “ଏହା ଗୋଟିଏ ଦୁର୍ନୀତିଗ୍ରସ୍ତ ଏବଂ ଅପବିତ୍ର ମେଣ୍ଟ ଥିଲା। ଆମେ କର୍ଣ୍ଣାଟକାବାସୀଙ୍କୁ ସ୍ଥିର ଏବଂ ଯୋଗ୍ୟ ଶାସନ ଦେବୁ। ଆମେ ମିଳିମିଶି ପୁଣି ସମୃଦ୍ଧି ପାଇଁ କାମ କରିବା। ଲୋକେ ଆମକୁ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବାଛିଛନ୍ତି। ଆମେ ସରକାର ଗଠନ କରି ଆମ ମାଟିର ମର୍ଯ୍ୟାଦା ଏବଂ ପବିତ୍ରତା ରକ୍ଷା କରିବୁ।”

ଏହି ନାଟକରେ ବିଜେପିର ନେତୃତ୍ୱ ନେଉଥିବା ୟେଦ୍ଦୁରପ୍ପା ଆଜି କହିଛନ୍ତି, ଲୋକେ ଏହି ମେଣ୍ଟ ସରକାର ଉପରୁ ଆସ୍ଥା ହରାଇସାରିଥିଲେ। ମୁଁ ଲୋକଙ୍କୁ କହିବାକୁ ଚାହେଁ ଯେ ଏବେ ବିକାଶର ନୂଆ ଯୁଗ ଆରମ୍ଭ ହେଲା। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଆଲୋଚନା କରି ରାଜ୍ୟପାଳଙ୍କୁ ଭେଟିବି। ତା’ଆଗରୁ ବିଧାୟକ ଦଳର ବୈଠକ ହେବାର ଅଛି। ନୂଆ ସରକାର ଚାଷୀଙ୍କ ସରକାର ହେବ।”

ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ ପରେ ଏହା ଘୋଷିତ ହେବ। ଏହାପୂର୍ବରୁ ବିଜେପି ବିଧାୟକ ଆର ଅଶୋକ କହିଛନ୍ତି, “ୟେଦ୍ଦୁରପ୍ପା ଆମ ନେତା। ଆମେ ହାଇକମାଣ୍ଡଙ୍କ ସହ କଥା ହେବାପରେ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବୁ।”

ଆଜି ବିଧାନସଭାର ଦ୍ୱାର ବନ୍ଦ ରଖି ଭୋଟିଂ ଆରମ୍ଭ ହୋଇଥିଲା। ଶାସକ ଦଳର ସମର୍ଥକ ବିଧାୟକମାନଙ୍କୁ ଠିଆ ହେବାକୁ କୁହାଯାଇଥିଲା ଏବଂ ଏହାପରେ ଗଣତି ଆରମ୍ଭ ହୋଇଥିଲା। ବାଚସ୍ପତି ରମେଶ କୁମାର ଅଧିକାରୀମାନଙ୍କୁ ଭୋଟ୍‌ ଗଣତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ବାଚସ୍ପତି ସନ୍ଧ୍ୟା ୬ଟା ସୁଦ୍ଧା ଭୋଟ୍‌ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହି ସମୟ ଭିତରେ ଭାଷଣ ସାରିପାରିନଥିଲେ। ତାଙ୍କ ଭାଷଣ ସରିବା ପରେ କିଛି ବିଧାୟକ ଆହୁରି ଭାଷଣ ଦେଇ ସମୟ ଗଡ଼ାଇବାକୁ ପ୍ରୟାସ କରିଥିଲେ ହେଁ ଶେଷରେ ଭୋଟିଂ ହୋଇଥିଲା ଏବଂ ବହୁଦିନ ଧରି ଚାଲିଆସିଥିବା କଳ୍ପନାଜଳ୍ପନାରେ ଅନ୍ତ ଘଟିଥିଲା।

ଆଜିକୁ ଠିକ୍‌ ୧୪ ମାସ ତଳେ ବା ୨୩ ମେ ୨୦୧୮ରେ କୁମାରସ୍ୱାମୀଙ୍କ ଜେଡିଏସ୍‌ କଂଗ୍ରେସର ମେଣ୍ଟ ସରକାର କ୍ଷମତାକୁ ଆସିଥିଲା। କିନ୍ତୁ ଆକସ୍ମିକ ଭାବେ ବିଧାୟକଙ୍କ ବିଦ୍ରୋହ ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଏହି ସରକାରକୁ ଭୁଶୁଡ଼ାଇଦେବାରେ ସମର୍ଥ ହୋଇଛି।

By amfnews

Related Post