Mon. Apr 21st, 2025

‘କିଲ୍ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି, ଅଭିନନ୍ଦନ ଜଣାଉଛି ’

By amfnews Jul 26, 2019 #Featured
174 Views

ଭୁବନେଶ୍ୱର : ପାଟକୁରା ନିର୍ବାଚନରେ ହାରିବା ପରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଟାର୍ଗେଟ୍ କରିଛନ୍ତି।  ସେ କହିଛନ୍ତି,“ପୂର୍ବରୁ ଏପରି ନିର୍ବାଚନ କେବେ ଦେଖି ନଥିଲି, ନା ଆଗକୁ ଦେଖିବି। ଏପରି ଘେରାବନ୍ଦୀ କଲେ, ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି। କିଲ୍ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି, ସେଥିପାଇଁ ଅଭିନନ୍ଦନ ଜଣାଉଛି। ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡ଼େ। ତାଙ୍କ ପାଇଁ ଆସିବ ଓ ମୋ ପାଇଁ ମଧ୍ୟ ପୂର୍ଣ୍ଣଚ୍ଛେଦ ସମୟ ଆସିବ। ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ମୁଁ ଥିବି, ମୋ ପୂର୍ଣ୍ଣଚ୍ଛେଦ ବେଳେ ସେ ନ ଥିବେ। ରାଜନୀତିରେ କେହି ଅଜେୟ, ଅମର ହୋଇ ରହିପାରିବେ ନାହିଁ।’

ସେ ଆହୁରି କହିଛନ୍ତି,“ଘେରାବନ୍ଦୀ କରିଥିବା ନବୀନଙ୍କ ସେନାବାହିନୀ ସହ କଥା ହୋଇଛି। ମୋ ସହ ଆଲୋଚନା ବେଳେ ସେମାନେ ଅନ୍ତରରୁ ସମର୍ଥନ ଜଣାଇଛନ୍ତି। ସେମାନେ ଜାଣି ନାହାନ୍ତି ସେମାନଙ୍କର ଭବିଷ୍ୟତ କ’ଣ ହେବ। ଦଳ ସମ୍ପୂର୍ଣ୍ଣ ଭାବେ ମୁଷ୍ଟିମେୟ ବ୍ୟୁରୋକ୍ରାଟ୍ସଙ୍କ ଦ୍ୱାରା ପରିଚାଳିତ।’ ବିଜୟ କହିଛନ୍ତି,“ସାଧାରଣ ନିର୍ବାଚନ ବେଳେ ଭୋଟ୍ ହୋଇଥିଲେ ଫଳ ଅଲଗା ହୋଇଥା’ନ୍ତା। ଉଦ୍ଦେଶ୍ୟମୂଳକ ଭାବେ ନିର୍ବାଚନକୁ ବିଳମ୍ବ କରାଗଲା।”

ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ବିଜେଡି ନେତା ପ୍ରତାପ ଦେବ ପ୍ରତିକ୍ରିୟା ରଖି କହିଛନ୍ତି, ଘେରାବନ୍ଦୀ ରାଜନୀତି ବିଜୁ ବାବୁଙ୍କ ଅମଳରୁ ଆରମ୍ଭ ହୋଇଛି। ରାଇରଙ୍ଗପୁର ଉପନିର୍ବାଚନରେ ଏମିତି ହୋଇଥିଲା। ସେଥିରେ ବିଜୟ ମହାପାତ୍ର ସେନାପତି ଥିଲେ। ଘେରାବନ୍ଦୀ ଅଭିଯୋଗ ଭୁଲ୍‌। ଆମେ ମୋଟ ୨୧ ବିଧାୟକ ଓ ମନ୍ତ୍ରୀ ଥିଲୁ। ଆଉ ଏ ‘କିଲ୍ ବିଜୟ’ ଉକ୍ତି ଗଣମାଧ୍ୟମର ମନଗଢ଼ା କାହାଣୀ।

ଗତ ୨୦ ତାରିଖରେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ମଇଦାନରେ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ହୋଇଥିଲା। ତେବେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶାସକ ବିଜେଡି ନିଜର ପୂରା ତାକତ୍ ଲଗାଇ ଦେଇଥିଲା। ଦଳର ମନ୍ତ୍ରୀ-ବିଧାୟକ ଓ ହେଭିୱେଟ୍ ନେତା ପାଟକୁରାରେ ଡେରା ପକାଇ ବସିଥିଲେ। ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିବାକୁ ଯାଇଥିଲେ।

By amfnews

Related Post