Sun. Mar 8th, 2026

କଳାହାଣ୍ଡିରେ ଚାଞ୍ଚଲ୍ୟ, ଏଥର ଧର୍ମଗଡ଼ : ସପ୍ତମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ବା, ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

240 Views

ଧର୍ମଗଡ , ଜାନୁଆରୀ ୨୦ : କଳାହାଣ୍ଡି ଜିଲ୍ଲାରେ ଛାତ୍ରୀମାନେ ଅସୁରକ୍ଷିତ। ଶିରିମସ୍କା ଓ ନର୍ଲାରେ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଚର୍ଚ୍ଚା ଥମି ନାହିଁ, ଜିଲ୍ଲାର ଧର୍ମଗଡ଼ ଅଞ୍ଚଳରୁ ବି ଆସିଛି ଅନୁରୂପ ଖବର। ଜଣେ କାମାନ୍ଧଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଛନ୍ତି ଧର୍ମଗଡ଼ ଅଞ୍ଚଳର ଜଣେ ସ୍କୁଲ ଛାତ୍ରୀ। ଉଦ୍‌ବେଗର ବିଷୟ ହେଉଛି, ଏହି ନାବାଳିକା ଛାତ୍ରୀଜଣକ ହାଇସ୍କୁଲ ପର୍ଯ୍ୟନ୍ତ ବି ଯାଇନାହାନ୍ତି। ୭ମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ବେଳେ ପରିବାର ଲୋକେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ଧର୍ମଗଡ଼ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଧର୍ମଗଡ ଥାନା ଅନ୍ତର୍ଗତ ରଙ୍କାବାହାଲ ଗ୍ରାମର ସୁଗ୍ରୀବ ଜାଲ (୨୬) ନାମକ ଏହି ଯୁବକ ସପ୍ତମ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକାଙ୍କୁ ବାହାନା କରି ନିଜ ଘରକୁ ଡାକିନେଇଥିଲା ଓ ସେଠାରେ ଦୁଷ୍କର୍ମ କରିଥିଲା। ତେବେ ନାବାଳିକା ଜଣକ ଲଜ୍ଜା ଓ ଭୟରେ କାହାକୁ କିଛି କହି ନଥିଲେ। ତେବେ ସେ ଗର୍ଭବତୀ ହୋଇଥିବା ପରିବାର ଲୋକ ଜାଣିପାରିବାରୁ ତା’କୁ ସବୁ କଥା ପଚାରିଥିଲେ। ଝିଅଠାରୁ ସବୁ ଜାଣିବା ପରେ ପରିବ‌ାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରିଥିଲା। ପୀଡ଼ିତା ଓ ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବଲାଙ୍ଗୀର ମେଡିକାଲ କଲେଜକୁ ପଠାଇଥିଲା। ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଅଭିଯୁକ୍ତ ସୁଗ୍ରୀବର ଜାମିନ ନାମଂଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଯାଇଛି ବୋଲି ପୁଲିସ ଅଧକାରୀ ଡମୁ ପରଜା ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଏଭଳି ଛାତ୍ରୀ ଦୁଷ୍କର୍ମ ଘଟଣା ବଢ଼ି ଚାଲିଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସ୍କୁଲ ଓ ହଷ୍ଟେଲଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

By amfnews

Related Post