ରାଉରକେଲା : ରାଜ୍ୟର ସମସ୍ତ ଷ୍ଟେସନରେ ଇଂରାଜୀ, ହିନ୍ଦୀ ସମେତ ଓଡ଼ିଆ ଭାଷାରେ ଆରକ୍ଷଣ/ରଦ୍ଦକରଣ ଆବେଦନ ଫର୍ମ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଗତ ଏପ୍ରିଲ ୧ରୁ ରାଜ୍ୟରେ ସମସ୍ତ ଷ୍ଟେସନରେ ଆରକ୍ଷଣ/ରଦ୍ଦକରଣ ଆବେଦନ ଫର୍ମ କାର୍ଯ୍ୟକାରୀ କରିବାକୁ ରେଳବାଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଓଡ଼ିଶାର ପୂର୍ବତଟ, ଦକ୍ଷିଣପୂର୍ବ ଓ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ଅଧୀନରେ ଆସୁଥିବା ୧୧୭ଟି ଷ୍ଟେସନରେ ଆରକ୍ଷଣ ଓଡ଼ିଆ ଆବେଦନ ଫର୍ମ ଉପଲବ୍ଧ କରିବାକୁ ବାଧ୍ୟତାମୂଳକ କରାଯାଇଛି। ମାତ୍ର ବିଡ଼ମ୍ବନା ହେଲା, ଇସ୍ପାତ ସହର ରାଉରକେଲାରେ ଏହାର ବହୁ ବ୍ୟତିକ୍ରମ ରହିଛି। ଏଠାରେ ରେଳବାଇ ଅଣଓଡ଼ିଆ କର୍ମଚାରୀମାନେ ଓଡ଼ିଆ ଆରକ୍ଷଣ/ରଦ୍ଦକରଣ ଫର୍ମ ଗ୍ରହଣ କରୁନାହାନ୍ତି। ଓଡ଼ିଆ ଭାଷାରେ ପୂରଣ ହୋଇଥିବା ଫର୍ମକୁ ଦେଖି କେବଳ ଅଗ୍ରାହ୍ୟ କରୁ ନାହାନ୍ତି, ‘‘ଏ କି କଦର୍ଯ୍ୟ ଭାଷାରେ ଲେଖିଛ? ଇଂରାଜୀରେ ଲେଖି ଆଣ’’ ବୋଲି ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରେଳବାଇରେ ଓଡ଼ିଆ ଭାଷାକୁ ଯଥାଯୋଗ୍ୟ ସମ୍ମାନ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦାବିର ପୃଷ୍ଠଭୂମିରେ ଏହା ଆଶ୍ଚର୍ଯ୍ୟଜନକ। ତା’ଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ମାଟିରେ ଓଡ଼ିଆକୁ ନେଇ ପ୍ରକାଶ୍ୟରେ ଏଭଳି ମନ୍ତବ୍ୟ ଦେବାର ଦୁଃସାହସ।
ରେଳ ଟିକେଟ୍ ପାଇଁ ରାଉରକେଲା ସହରର ଷ୍ଟେସନ, ଗୋପବନ୍ଧୁପାଲି ଦ୍ବିତୀୟ ପ୍ରବେଶ ପଥ ଏବଂ ସେକ୍ଟର-୧୯ ସୁପର୍ ମାର୍କେଟ୍ରେ କମ୍ପୁଟରୀକୃତ ଆରକ୍ଷଣ କେନ୍ଦ୍ର ରହିଛି। ଏସବୁ ଆରକ୍ଷଣ କେନ୍ଦ୍ରରେ ପ୍ରତ୍ୟେକ ଦିନ ଶହ ଶହ ଆରକ୍ଷଣ/ରଦ୍ଦକରଣ ଟିକେଟ ବୁକିଂ ହେଉଛି। କିନ୍ତୁ ଟିକେଟ୍ ପାଇଁ ଓଡ଼ିଆ ଫର୍ମରେ ଓଡ଼ିଆରେ ଆବେଦନ କରୁଥିବା ଯାତ୍ରୀଙ୍କୁ ଟିକେଟ ବୁକିଂ ଦାୟିତ୍ବରେ ଥିବା ରେଳବାଇ କର୍ମଚାରୀ ଇଂରାଜୀରେ ଆବେଦନ କରିବାକୁ ବାଧ୍ୟ କରୁଛନ୍ତି। ଇଂରାଜୀ ଆବେଦନ ଫର୍ମ ନଦେଲେ ଟିକେଟ୍ ମିଳିବ ନାହିଁ ବୋଲି ସିଧାସଳଖ ମନା କରି ଫେରାଇ ଦେଉଛନ୍ତି। ଯାତ୍ରୀମାନେ ପ୍ରତିବାଦ କଲେ କିଛି ଫଳ ମିଳୁନାହିଁ। ଏସବୁ ମୂଳରୁ ଚାଲିଥିବାବେଳେ ଆଜି ଏ ବିଷୟ ଆଗକୁ ଆସିଛି।
ଆଜି ସେକ୍ଟର-୧୯ ସୁପର୍ ମାର୍କେଟ୍ କମ୍ପୁଟରୀକୃତ ଆରକ୍ଷଣ କେନ୍ଦ୍ରରେ ଭାସ୍କର ନନ୍ଦ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଟିକେଟ୍ ପାଇଁ ଆରକ୍ଷଣ କେନ୍ଦ୍ରରେ ଧାଡ଼ିରେ ଛିଡା ହୋଇଥିଲେ। ବେଶ୍ କିଛି ସମୟ ଲମ୍ବାଧାଡ଼ିରେ ଠିଆ ହେବାପରେ ତାଙ୍କର ପାଳି ଆସିଥିଲା। ସେ ଓଡ଼ିଆ ଫର୍ମଟିକୁ ଟିକେଟ ବୁକିଂ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଆଡ଼କୁ ବଢ଼ାଇ ଦେଇଥିଲେ। କିନ୍ତୁ କର୍ମଚାରୀ ଜଣକ ଓଡ଼ିଆ ଆବେଦନ ଫର୍ମ ଗ୍ରହଣ କରି ନଥିଲେ। ଇଂରାଜୀରେ ଲେଖିବାକୁ ତାଙ୍କୁ ବାଧ୍ୟ କରିଥିଲେ। କହିଥିଲେ, ‘‘ଏ କି କଦର୍ଯ୍ୟ ଭାଷାରେ ଲେଖିଛ! ମୁଁ ପଢ଼ି ପାରୁନାହିଁ। ଇଂରାଜୀରେ ଲେଖ।’ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କର୍ମଚାରୀ ଜଣକ ଯାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅବଶ୍ୟ ଧାଡ଼ି ପଛରେ ଥିବା କିଛି ଲୋକ ଶ୍ରୀ ନନ୍ଦଙ୍କ ପାଇଁ ଇଂରାଜୀରେ ଫର୍ମ ପୂରଣ କରିଦେବାଲାଗି ପ୍ରସ୍ତାବ ଦେଇଥିଲେ। ମାତ୍ର ଶ୍ରୀ ନନ୍ଦ କହିଥିଲେ, ‘‘ମୁଁ ଜଣେ ଶିକ୍ଷକ, ମତେ ଇଂରାଜୀ ଜଣାଅଛି। କିନ୍ତୁ ମୁଁ ଓଡ଼ିଆ ଫର୍ମ ହିଁ ଦାଖଲ କରିବି।’ କିନ୍ତୁ ଶେଷଯାଏ ତାଙ୍କର ଦାବି ପୂରଣ ହୋଇ ନଥିଲା। ସେ ବିନା ଟିକେଟରେ ଫେରିବାକୁ ବାଧ୍ୟ ହୋଇଥିଲେ। ସେ ଫେରିବାପରେ ପରୀକ୍ଷାମୂଳକ ଭାବେ ଆହୁରି ଏକାଧିକ ଲୋକ ଓଡ଼ିଆ ଆରକ୍ଷଣ ଫର୍ମ ନେଇ ସେଠାକୁ ଯାଇ ସମାନ ଫଳ ପାଇଥିଲେ।
କେବଳ ସେକ୍ଟର-୧୯ ଆରକ୍ଷଣ କେନ୍ଦ୍ର ନୁହେଁ, ରାଉରକେଲା ଷ୍ଟେସନରେ ଥିବା ଦୁଇଟି ଆରକ୍ଷଣ କେନ୍ଦ୍ରରେ ମଧ୍ୟ ସେହି ସମାନ ସ୍ଥିତି। ଆରକ୍ଷଣ କେନ୍ଦ୍ରରେ ଅଣଓଡ଼ିଆ କର୍ମଚାରୀଙ୍କୁ ବସା ଯାଉଥିବାରୁ ଦୈନନ୍ଦିନ ଏଭଳି ସମସ୍ୟା ଉପୁଜୁଛି। ଅଣଓଡ଼ିଆ କର୍ମଚାରୀମାନେ ଓଡ଼ିଆ ଭାଷାକୁ କଟାକ୍ଷ କରିବାକୁ ବି ପଛାଉ ନାହାନ୍ତି। କେବଳ ଏତିକି ନୁହେଁ, ରାଉରକେଲା ଷ୍ଟେସନରେ ପ୍ଲାଟଫର୍ମରେ ଲାଗିଥିବା ନାମଫଳକଗୁଡ଼ିକ ଓଡ଼ିଆ ଭାଷାକୁ ଭାରି ବିକୃତ କରି ଲେଖାଯାଇଛି। ଓଡ଼ିଆ ଆରକ୍ଷଣ ଫର୍ମକୁ ଗ୍ରହଣ କରା ଯାଉ ନଥିବା ଘଟଣା ଉପରେ ରାଉରକେଲାର ଓଡ଼ିଆ ଭାଷା ସଙ୍ଗଠନଗୁଡ଼ିକ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ନୀଳଚକ୍ର, ନୀଳଶୈଳ, ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ଭାଷା ବିକାଶମଞ୍ଚ ରେଳବାଇର ଏଭଳି ମନୋଭାବ ବିରୋଧରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଏ ପ୍ରସଙ୍ଗରେ ଦକ୍ଷିଣପୂର୍ବ ରେଳବାଇ ଏଆର୍ଏମ୍ ଏସ୍. ସାମଥଙ୍କୁ ପଚାରିବାରୁ ସେ କହିଲେ, ‘‘ରେଳବାଇ କର୍ମଚାରୀଙ୍କ ଏଭଳି ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶାର ପ୍ରତ୍ୟେକ ଷ୍ଟେସନରେ ଓଡ଼ିଆ ଆବେଦନ ଫର୍ମ ଗ୍ରହଣୀୟ। ଯଦି ଏପରି ହୋଇଥାଏ, ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ମୂଳରୁ ଏମିତି ହୋଇ ଆସୁଥିବାରୁ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷ ଯେ ଏ ସଂପର୍କରେ ଅଜ୍ଞ ଥିବେ, ଏ ଆଶା କମ୍। ରେଳବାଇ ଏ ମାମଲାରେ କି କାର୍ଯ୍ୟାନୁଷ୍ଠାନ ନେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।