Sun. Mar 8th, 2026

ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ରାଉରକେଲା ବନ୍ଦ

247 Views

ରାଉରକେଲା, ୨୮ା୧୧ : ରାଉରାକେଲାକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଓ ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ବନ୍ଦ ୧୨ ଘଣ୍ଟିଆ ରାଉରକେଲା ବନ୍ଦ କରାଯାଇଛି । ଦୀର୍ଘ ୧୦ ବର୍ଷ ଧରି ସଂଘର କର୍ମକର୍ତ୍ତାମାନେ ଏନେଇ ଆନ୍ଦୋଳନ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସଂଘ ପକ୍ଷରୁ ଏହି ଚରମ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ବିଭିନ୍ନ ରାଜନୈତିକ ଦଳ ସମେତ ସ୍ୱେଚ୍ଛାସେବୀ ସଂଗଠନମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ଓକିଲ ସଂଘର ଶତାଧିକ କର୍ମକର୍ତ୍ତା ପାନପୋଷ ଓ ବିଶ୍ରା ଛକରେ ଟାୟାର ଜାଳି ଓ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଥିଲେ । ସହରର ମୁଖ୍ୟମାର୍ଗରେ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।

ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ରେ ବନ୍ଦ କରାଯିବା ଫଳରେ ଯାତ୍ରୀମାନେ ସମସ୍ୟାରେ ପଡ଼ିଥିବା ଦେଖାଯାଇଥିଲା । ସେହିଭଳି ଡେଲିମାର୍କେଟ, ଆମ୍ବଗାନ, ପାନପୋଷ ମାର୍କେଟ, ଷ୍ଟେସନରୋଡ୍ ଆଦି ଅଞ୍ଚଳରେ ମଧ୍ୟ ଦୋକାନ ବଜାର ସମେତ ସ୍କୁଲ୍-କଲେଜ ଗୁଡିକରେ ତାଲା ପଡିଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରାଯାଇଥିଲା । କଂଗ୍ରେସ ଜିଲ୍ଲା ସଭାପତି ରବି ରାୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଶ୍ରାଛକ, ପାନପୋଷ ଛକ, ରିଙ୍ଗରୋଡ୍ ଟେଲିଭବନ ପଡ଼ିଆ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କଂଗ୍ରେସର ସାଧାରଣ ସମ୍ପାଦକ ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କାର୍ତ୍ତନ ଦାସ, ଅଜିତ ସାମଲ, ବୁଲା ମାଇତି, ପ୍ରଭାତି ମିଶ୍ର, ରଞ୍ଜିତା ସିଂ, ଶିବୁ ଦୀପ, ପ୍ରବୋଦ ଦାସ, ବନମାଳି ଧୂପାଳ, ଦେବବ୍ରତ୍ତ ବିହାରୀ ପ୍ରମୁଖ ସାମିଲ୍ ହୋଇଥିଲେ । ସେହିଭଳି ଜିଲ୍ଲା ବିଜେପି ସଭାପତି ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ ଉଦିତ୍ନଗର ଆମ୍ବେଦକର ଛକ ଓ ବାସନ୍ତୀ ଓଭରବ୍ରିଜ୍ ଛକରେ ରାସ୍ତା ଅବରୋଧ କରାଯାଇଥିଲା । ଦଳର ବରିଷ୍ଠ ନେତା ନିହାର ରାୟ, ବିଜେପି ମୁଖପାତ୍ର ଭଗବାନ ରାଉତ, ବାବୁ ସାହୁ, ବିନ୍ଦର ସିଂ, କେଦାର ମହାନ୍ତି, ଶୁଶାନ୍ତ ବିଶ୍ୱାଳ, ଜଶି ସିଂ, ବାବୁ ଅଗ୍ରୱାଲଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅନୁରୂପ ଭାବେ ବେଦବ୍ୟାସ ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା ।

ଓକିଲ ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ସବାର୍ଧିକ ରାଜସ୍ୱ ଏହି ଜିଲ୍ଲାରୁ ଆଦାୟ କରାଯାଉଥିବା ବେଳେ ଏଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାର ଯଥାର୍ଥତା ରହିଛି । ଏଥିସହ ବେଞ୍ଚ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଉଭୟ ସରକାରଙ୍କ ଆରୋପ-ପ୍ରତ୍ୟାରୋପରେ ଜିଲ୍ଲାବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ରାଉରକେଲାବାସୀଙ୍କ ଦାବିଗୁଡ଼ିକ ପୂରଣ କରାନଗଲେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ସଂଘ ସଭାପତି ସତ୍ୟପଦ ଶର୍ମା, ପୂର୍ବତନ ସଭାପତି ରମେଶ ବଳ, ସାଧାରଣ ସମ୍ପାଦକ ଅକ୍ଷୟ ସାହୁ, ବିଜୟ କୁମାର ଦାସ, ଶୁଶାନ୍ତ ଦାସ, ନିହାର ରଂଜନ ସିଂ, ଏସ୍. ଆର୍. ମହାପାତ୍ର, ସୁବେନ୍ଧୁ ଧଳ, ନୃସିଂହ ଚରଣ ଜେନା, ଗାର୍ଗୀ ପଣ୍ଡା, ଏସ୍. ପ୍ରଜାପତି, ପ୍ରଦୀପ ଯାଦବ, ମୁନା ତ୍ରିପାଠୀ, ସଞ୍ଜୟ ମିଶ୍ର, ସାଗରିକା ମହାନ୍ତି, ମାଧବୀ ଝାଙ୍କ ସହ ବହୁ ଆଇନଜୀବୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।

By amfnews

Related Post