Fri. Jan 10th, 2025

ଇଣ୍ଡୋନେସିଆରେ ସୁନାମି: ୨୨୨ ମୃତ, ୧,୦୦୦ ଆହତ

By amfnews Dec 24, 2018 #Featured
311 Views

ଜାକର୍ତ୍ତା, ଡିସେମ୍ବର ୨୪ : ଶନିବାର ରାତିରେ ଇଣ୍ଡୋନେସିଆର ଜାଭା ଓ ସୁମାତ୍ରା ଦ୍ବୀପରେ ସୁନାମି ଭୟଙ୍କର ବିପର୍ଯ୍ୟୟ ଘଟାଇଛି। ସମୁଦ୍ରର ଆଭ୍ୟନ୍ତରୀଣ ଭାଗରେ ଭୂସ୍ଖଳନ ଘଟିବା ଯୋଗୁ ସଂଘଟିତ ଏହି ସୁନାମିରେ ପ୍ରାୟ ୨୨୨ ଜଣ ପ୍ରାଣ ହରାଇଛନ୍ତି। ୧,୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୁନାମି ସ୍ରୋତରେ ଭାସିଯାଇ ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଆଗ୍ନେୟଗିରିରେ ବିସ୍ଫୋରଣ ଯୋଗୁ ସମୁଦ୍ର ମଧ୍ୟରେ ଭୂସ୍ଖଳନ ଘଟିଥିବା ଜଣାପଡ଼ିଛି। ଇଣ୍ଡୋନେସିଆର ସରକାରୀ ରିପୋର୍ଟ ମୁତାବକ ଶନିବାର ବିଳମ୍ବିତ ରାତ୍ରିରେ ଆସିଥିବା ସୁନାମି ଯୋଗୁ ତଟବର୍ତ୍ତୀ ଅଞ୍ଚଳରେ ଥିବା ଅନେକ କୋଠା ମାଟିରେ ମିଶି ଧୂଳିସାତ୍‌ ହୋଇଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସୁନାମି ଯୋଗୁ ସମୁଦ୍ରରୁ ୧୫ରୁ ୨୦ ମିଟର ଉଚ୍ଚତାର ଜୁଆର ମାଡ଼ିଆସିଥିଲା। ଏହାର ଗତି ଏତେ ପ୍ରଖର ଥିଲା ଯେ ଏଥିରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସମୟ ମିଳିନଥିଲା। ତେବେ ନିମିଷକ ମଧ୍ୟରେ ସବୁ ଛାରଖାର ହୋଇଯାଇଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଚଳିତବର୍ଷ ସୁଲବେସୁ ଦ୍ବୀପରେ ସଂଘଟିତ ଭୂକମ୍ପ ଯୋଗୁ ସୁନାମି ଆସିଥିଲା। ଫଳରେ ୮୦୦ ‌ଲୋକ ପ୍ରାଣ ହରାଇଥିଲେ। ଶନିବାର‌ ସଂଘଟିତ ସୁନାମି ଯୋଗୁ ଦେଶର ଏକ ଜଣାଶୁଣା ପପ୍‌ ବ୍ୟାଣ୍ଡ୍‌ର କିଛି ସଦସ୍ୟ ସୁନାମି ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି। ସେମାନେ ସମୁଦ୍ର ନିକଟରେ ଏକ କାର୍ଯ୍ୟକ୍ରମ କରୁଥିବା ବେଳେ ଅନେକ ଲୋକ ସେମାନଙ୍କ ସଙ୍ଗୀତର ମଜା ନେଉଥିଲେ। ଏହି ସମୟରେ ହଠାତ୍‌ ସୁନାମି ‌ଆସିଥିଲା। ‌ଲୋକମାନେ ଭୟରେ ଚିତ୍କାର କରି ଏଣେତେଣେ ଦୌଡ଼ିଥିଲେ।

କିନ୍ତୁ ପେଣ୍ଡାଲରେ ସଙ୍ଗୀତ ପରି‌ବେଷଣ କରୁଥିବା ପପ୍‌ ବ୍ୟାଣ୍ଡ୍‌ ‘ସେଭେଣ୍ଟିନ୍‌’ର ସମସ୍ତ ସଦସ୍ୟ ଆଖିପିଛୁଳାକେ ସୁନାମି ଢେଉରେ ଭାସିଯାଇଥିଲେ। ଏବେସୁଦ୍ଧା ସେମାନଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କୁ ଠାବ କରାଯାଇ ପାରିନାହିଁ। ତେବେ ବ୍ୟାସ୍‌ ପ୍ଲେୟର୍‌ ଏବଂ ରୋଡ୍‌ ମ୍ୟାନେଜରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସେମାନଙ୍କୁ ସୁନାମି ଟାଣିନେଉଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟାଣ୍ଡ୍‌ର ୪ ଜଣ ସଦସ୍ୟ ଏ ପର୍ଯ୍ୟନ୍ତ ନିଖୋଜ ଥିବା ବେଳେ ଗାୟକ ରିଫିୟନ୍‌ଙ୍କ ପତ୍ନୀଙ୍କର କୌଣସି ଖୋଜଖବର ମିଳୁନାହିଁ। ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ସୁନାମି ଯୋଗୁ ପ୍ରାୟ ୨୦ ମିଟର ଉଚ୍ଚତାର ଲହରି ମାଡ଼ିଆସିଥିଲା। ଏହାଦ୍ବାରା ହୋଟେଲ୍‌ ଏବଂ ଶତାଧିକ କୋଠା ଭୁଶୁଡ଼ିପଡ଼ିଥିଲା। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନାକ କ୍ରେକାଟାଓ ଆଗ୍ନେୟଗିରି ଫାଟିବା ଯୋଗୁ ସମୁଦ୍ର ମଧ୍ୟଭାଗରେ ଭୂସ୍ଖଳନ ଘଟିଥିଲା। ତେବେ ପ୍ରଭାବିତ ଅଞ୍ଚଳରେ ଜରୁରୀ ସ୍ଥିତି ଘୋଷଣା କରାଯାଇ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି।

ବିନା ଭୂକମ୍ପରେ ସୁନାମି ଆସିଲା କେମିତି?

 

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଉ ଏକ ପ୍ରଳୟଙ୍କରୀ ସୁନାମି ବଡ଼ଧରଣର ବିପର୍ଯ୍ୟୟ ଘଟାଇଥିବା ବେଳେ ବିନା ଭୂକମ୍ପରେ ଏତେ ବଡ଼ ସୁନାମି କିଭଳି ଆସିଲା, ସେ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଚାଲିଛି। ଏଥର ସୁନାମି ପୂର୍ବରୁ ଭୂକମ୍ପ ଆସିନଥିଲା। ତେଣୁ ପ୍ରଶାସନ ସୁନାମି ସମ୍ପର୍କିତ କୌଣସି ସତର୍କ ସୂଚନା ଜାରି କରିନଥିଲା। କ୍ରେକାଟୋଆ ଆଗ୍ନେୟଗିରିରେ ଶନିବାର କେତେକ ସିରିଜ୍‌ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ତଟବର୍ତ୍ତୀ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା ଏବଂ ଏହା ଯୋଗୁ ବିଶାଳକାୟ ଲହରି ମାଡ଼ିଆସିଲା। ଇଣ୍ଡୋନେସିଆର ବିପର୍ଯ୍ୟୟ ନିୟନ୍ତ୍ରଣ ସଂସ୍ଥା ମୁଖ୍ୟ ସୁତୋପୋ ନୁଗ୍ରାହୋ ସୁନାମି ଆସିବା ପୂର୍ବରୁ ଭୂଗର୍ଭରେ ଘଟିଥିବା କେତେକ ଗତିବିଧି ଅନୁଧ୍ୟାନ କରିବା ପରେ କହିଛନ୍ତି ଯେ ଆଗ୍ନେୟଗିରିରେ ଏକ ବଡ଼ ବିସ୍ଫୋରଣ ପରେ ଭୂସ୍ଖଳନ ହୋଇଥିଲା ଏବଂ ଏହାର ପ୍ରଭାବରେ ସୁନାମି ଆସିଲା। ସମୁଦ୍ର ଭିତରେ ଅଚାନକ ଅସ୍ଥିରତା ଯୋଗୁ ହଠାତ୍‌ ଆସିଥିବା ସୁନାମି ସମ୍ପର୍କରେ ଆଗୁଆ ସୂଚନା ମିଳିପାରିନଥିଲା ବୋଲି ସେ କହିଛନ୍ତି। ଶାନ୍ତ ସମୁଦ୍ରରେ ସୁନାମି ଆସିବାର କୌଣସି ଆଶଙ୍କା ନଥିଲା। ତେଣୁ ଆଗ୍ନେୟଗିରି ବିସ୍ଫୋରଣ ହିଁ ସୁନାମିର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ସମୁଦ୍ରର ଭିତର ଚଟାଣରେ ଫାଟ ଯୋଗୁ ସୁନାମି ସୃଷ୍ଟି ହେଲା ବୋଲି ଆଗ୍ନେୟଗିରି ବିଶେଷଜ୍ଞ ଜେସ୍‌ ଫିନିସ୍‌ କହିଛନ୍ତି।

By amfnews

Related Post