Sat. Nov 16th, 2024

ଆର୍ଏସ୍ଏସ୍ ପକ୍ଷରୁ ସେଲ୍ ଅଧ୍ୟକ୍ଷଙ୍କ ସହ ସାକ୍ଷାତ ଆଲୋଚନା ଓ ଦାବିପତ୍ର ପ୍ରଦାନ

By amfnews Nov 13, 2018 #Featured
223 Views

ରାଉରକେଲା, ୧୩/୧୧  : ରାଉରକେଲା ଶ୍ରମିକ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କ ସହ ରାଉରକେଲା ହାଉସ୍ ଠାରେ ସାକ୍ଷାତ ଆଲୋଚନା କରି ଏକ ୧୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ଉପରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସେଲ୍ ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ହରିହର ରାଉତରାୟ, ଦିଲ୍ଲୀପ ମହାପାତ୍ର, ମହିପାଳ ବାଗ, ଅକ୍ଷୟ ଜେନା, ବନମାଳି ରଣବିଡା, ଅଭିମନ୍ୟୁ ରାଉତ, ସୁରେଶ ପାଣିଗ୍ରାହୀ, ବି.କେ. ଶେଖରଦେଓ, ଆର୍.ଏନ୍. ଭୁକ୍ତା, ଦେବାଶିଷ ଜେନା, ନିହାର ଦାସ, ନିହାର ସାମଲ ପ୍ରଭୃତି ଉପସ୍ଥିତ ଥିଲେ ।

ଦାବିଗୁଡିକ ମଧ୍ୟରେ ସେଲ୍ ଶ୍ରମିକ କର୍ମଚାରୀଙ୍କ ନୂତନ ବେତନ ଚୁକ୍ତିନାମା ବୈଠକ ଅଦ୍ୟାବଧି ଆରମ୍ଭ ହୋଇନଥିବାରୁ ତୁରନ୍ତ ଏନ୍ଜେସିଏସ୍ ବୈଠକ କରାଯାଇ ଏହା ସମ୍ପନ୍ନ କରିବା, ପୂର୍ବ ବେତନ ଚୁକ୍ତିନାମା ଯାହା ୧.୭.୨୦୧୪ରେ ସମ୍ପନ୍ନ ହୋଇଥିଲା, ସେଥିରେ ଥିବା ହାଉସ ରେଣ୍ଟ ଆଲାଉନ୍ସ (ଏଚ୍ଆର୍ଏ), ପେ ଆନାମୋଲିଜିର ତାରତମ୍ୟ ଓ ସେଲ୍ ପେନ୍ସନ ସ୍କିମ୍ରେ ଥିବା ମ୍ୟାନେଜମେଣ୍ଟ ଅନୁଦାନ ଶତକଡା ୬% ପ୍ରଦାନ, ଅବସର ପରେ ଖାଲି ପଡିଥିବା ସ୍ଥାନରେ ଆଇଟିଆଇ, ଡିପ୍ଲୋମା, ନର୍ସିଂ, ପାରାମେଡିକାଲ କର୍ମଚାରୀ, ସ୍ଥାନୀୟ ବାସଚ୍ୟୁତ ପରିବାରର ସଦସ୍ୟ (ଏଲ୍ଡିପି), ଶିକ୍ଷକ, ବିଶେଷଜ୍ଞ ଡାକ୍ତରମାନଙ୍କ ନୂତନ ନିଯୁକ୍ତି କରିବା, ଶହୀଦ ବୀର ବିର୍ସାମୁଣ୍ଡାଙ୍କ ନାମରେ ବିର୍ସା ମୁଣ୍ଡା ନଗର ନାମରେ ଏକ ହାଉସିଂ ପ୍ରୋଜେସ୍ଟ କରି ସେଲ୍ର ବରିଷ୍ଠ ଓ ସେବା ନିବୃତ୍ତ କର୍ମଚାରୀଙ୍କୁ ସୁଲକ୍ଷ ମୂଲ୍ୟରେ ଯୋଗାଇ ଦେବା,

୧.୧.୨୦୧୨ ପରେ ଆର୍ଏସ୍ପିରେ ନିଯୁକ୍ତି ପାଇଥିବା ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂ କର୍ମଚାରୀଙ୍କୁ ପୂର୍ବପରି ଯଥାକ୍ରମେ ଏସ୍-୩ ଓ ଏସ୍-୬ ଗ୍ରେଡ୍ରେ ନିଯୁକ୍ତି ଦେବା, ସେଲ୍ର ଘରୋଇକରଣ ଓ ଡିସ୍ ଇନ୍ବେଷ୍ଟମେଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ସ୍ଥାୟୀ କାର୍ଯ୍ୟରେ ଠିକା ଶ୍ରମିକଙ୍କୁ କାମ କରାଇବା ବନ୍ଦ କରିବା, ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ରାଶି ପ୍ରଦାନ କରିବା, ପି.ପି. ସର୍କ୍ୟୁଲାର ୧୦୦୭ରେ ଥିବା ରୋଗ ଗୁଡିକରେ ଅର୍ଥୋପେଡିକ ରୋଗ ଓ ଅସୁସ୍ଥତାକୁ ଯୋଗ କରି ରୋଗୀ କର୍ମଚାରୀଙ୍କୁ ମେଡିକାଲ ଅନ୍ଫିଟ୍ କରିବା

ଏବଂ ୧୦୦% ଅକ୍ଷମତା ବଦଳରେ ୫୦% ଅକ୍ଷମ ରୋଗୀଙ୍କୁ ମେଡିକାଲ ଅନ୍ଫିଟ୍ର ସୁବିଧା ପ୍ରଦାନ, ହଠାତ୍ ହୃଦ୍ଘାତ ରୋଗୀମାନେ ଯେଉଁମାନେ ମେଡିକାଲ ଅନ୍ଫିଟ୍ (ଏମ୍ଆଇ) ପାଇଁ ଆବେଦନ କରିପାରି ନାହାନ୍ତି ସେମାନଙ୍କୁ ଚିହ୍ନଟ କରି ସାନ୍ତ୍ୱନାମୂଳକ ନିଯୁକ୍ତି ଦେବା, ଆର୍ଏସ୍ପିର ସୀମିତ ଲୋକଶକ୍ତି ବଳରେ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ହେତୁ ଶ୍ରମିକ କର୍ମଚାରୀଙ୍କ ଇନ୍ସେନ୍ଟିଭ୍ ରିୱାର୍ଡ, ସିବିଏମ୍ଏସ୍, କ୍ୟୁବିଏମ୍ଏସ୍ର ପରିମାଣ ବୃଦ୍ଧି କରିବା ଓ ଡିପିଆଇଏସ୍ର ପୁନଃ ପ୍ରଚଳନ କରିବା, ଆଇଜିଏଚ୍ରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି କରିବା ଓ ନୂତନ ଡାକ୍ତର ନିଯୁକ୍ତ କରିବା, ବିଦ୍ୟୁତ୍ ଦେୟ ବୃଦ୍ଧିକୁ ପୂର୍ବପରି ଫ୍ଲାଟ୍ ରେଟ୍ରେ କର୍ମଚାରୀଙ୍କ ଠାରୁ ଆଦାୟ କରିବା, ଆଇଓଡବ୍ଲ୍ୟୁ ଓ ଆଇଓଡି ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଦୂର ସ୍ଥାନରେ ଥିବା ବିଭିନ୍ନ ରେଫରାଲ ଓ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ଯିବା ପାଇଁ ଆମ୍ବୁଲାନ୍ସ ଖର୍ଚ୍ଚ ପ୍ରଦାନ କରିବା, ମେଡିକାଲ ଅନ୍ଫିଟରେ ପରିବାରର ସଦସ୍ୟମାନଙ୍କ ନିଯୁକ୍ତି ବୟସସୀମା ୩୫ରୁ ୪୦ ବର୍ଷକୁ ବୃଦ୍ଧି କରିବା, ମେଡିକାଲ ଇନ୍ଭାଲିଡିସନ ପିପି ସର୍କ୍ୟୁଲାର-୧୦୦୭ରେ ଥିବା ରୋଗଗୁଡିକରେ ଯଦି କୌଣସି କର୍ମଚାରୀ ଚିକିତ୍ସା ବେଳେ ମୃତ୍ୟୁବରଣ କରନ୍ତି ଓ ସେ ଯଦି କୌଣସି କାରଣବଶତଃ ମେଡିକାଲ ଅନ୍ଫିଟ୍ର ଫର୍ମପୂରଣ କରିପାରି ନାହାନ୍ତି କିମ୍ବା ପ୍ରଦାନ କରିପାରିନାହାନ୍ତି,

ତାଙ୍କୁ ମେଡିକାଲ ଅନ୍ଫିଟର ସମସ୍ତ ସୁବିଧା ପ୍ରଦାନ ଏବଂ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିବା, ଏମ୍ପ୍ଲଇଜ୍ ଫ୍ୟାମିଲି ବେନିଫିଟ୍ ସ୍କିମ୍ (ଇଏଫବିଏସ୍)କୁ ଗ୍ରହଣ କରୁଥିବା ମୃତ ଶ୍ରମିକ କର୍ମଚାରୀଙ୍କ ପତ୍ନୀ, ସନ୍ତାନ ସନ୍ତତି ଓ ପରିବାରବର୍ଗଙ୍କୁ ସେ ରହୁଥିବା ବାସଗୃହରେ ରହିବା ପାଇଁ ଅନୁମତି ପ୍ରଦାନ କରିବା, ଆର୍ଏସ୍ପିର ଶ୍ରମବୀର, ଶ୍ରମ ବିଭୂଷଣ ଓ ଅନ୍ୟାନ୍ୟ ଶ୍ରମ ପୁରସ୍କାର ପାଉଥିବା କର୍ମଚାରୀମାନଙ୍କୁ ଅନ୍ୟ ପ୍ଲାଣ୍ଟ ଭଳି ଏକ ଇନ୍କ୍ରିମେଣ୍ଟ ଓ ପ୍ରମୋଶନ ପ୍ରଦାନ କରିବା ଆଦି ରହିଛି । ଏହି ଦାବିଗୁଡିକ ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସେଲ୍ ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ପ୍ରତିଶ୍ରୁତି ଦେଇଛନ୍ତି ।

By amfnews

Related Post