Tue. Nov 26th, 2024

ଆର୍ଆଇକେକେଏସ୍ ସାଧାରଣ ସମ୍ପାଦକଙ୍କ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ବିବୃତି – ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ ସହ ସମାନ – ଆର୍ଏସ୍ଏସ୍

By amfnews Nov 22, 2018 #Featured
321 Views

ରାଉରକେଲା, ୨୨ା୧୧: ଆର୍ଏସ୍ପି ତଥା ଶ୍ରମିକ ସମାଜର ହିତ ପ୍ରତି ଧ୍ୟାନ ନ ଦେଇ ନିଜର ଅପାରଗତା, ଅଜ୍ଞାନତା ଓ ନିଷ୍କ୍ରିୟତାକୁ ଲୁଚାଇବାକୁ ଯାଇ ଆର୍ଆଇକେକେଏସ୍ ୟୁନିୟନ ସାଧାରଣ ସମ୍ପାଦକ ହିମାଂଶୁ ବଳ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ପ୍ରତି ଯେଉଁ ବ୍ୟକ୍ତିଗତ ଆରୋପ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରାଉରକେଲା ସ୍ରମିକ ସଂଘ ଉପସଭାପତି ଦିଲୀପ ମହାପାତ୍ର ଏକ ବିବୃତିରେ ଜଣାଇଛନ୍ତି । ଏହା ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ ସହ ସମାନ ଅଟେ ।

ନିଜର ସ୍ୱାର୍ଥ ପାଇଁ ଓ ନିଜର ଗାଦିକୁ ସୁରକ୍ଷିତ କରିବା ପାଇଁ ଆର୍ଆଇକେକେଏସ୍ ସାଧାରଣ ସମ୍ପାଦକ ହିମାଂଶୁ ବଳ ତାଙ୍କ ୟୁନିୟନର ବାଇ-ଲ (ସମ୍ବିଧାନ)କୁ ପରିବର୍ତ୍ତନ କରି ଆଜି ପର୍ଯ୍ୟନ୍ତ ରହିଆସିଛନ୍ତି । ନିଜର ଗାଦିକୁ ସୁରକ୍ଷିତ କରିବା ପାଇଁ ଆର୍ଆଇକେକେଏସ୍ ୟୁନିୟନର ଅନେକ ବରିଷ୍ଠ ଓ ପ୍ରତିଷ୍ଠାତା ସଦସ୍ୟମାନଙ୍କୁ ବିଭିନ୍ନ ମିଥ୍ୟାରୋପ କରି ବାହାର କରିଦେଇଛନ୍ତି ଓ କୋଣଠେସା କରିଦେିଛନ୍ତି । ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀମାନଙ୍କ ରାଉରକେଲା ଗସ୍ତ ସମୟରେ ତାଙ୍କ ସାଙ୍ଗରେ ଭୋଜନ କରି ତାର ଫଟୋଗୁଡିକ ବିଭିନ୍ନ ଗଣମାଧ୍ୟମ, ସୋସିଆଲ୍ ମିଡିଆରେ ଛାଡି ବର୍ତ୍ତମାନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ପ୍ରହସନ ଓ ସୁଚିନ୍ତିତ ରାଜନୈତିକ ଚାଲ୍ବାଜୀ ଅଟେ ।

ନିଜର ସମର୍ଥକ ଓ କର୍ମଚାରୀମାନଙ୍କୁ ପ୍ଲାଣ୍ଟରୁ ଟାଉନସିପକୁ ବଦଳି କରିବା ଓ ମେଡିକାଲ ଅନ୍ଫିଟ୍ କରିବା ପାଇଁ ଟଙ୍କା ଆଦାୟ କରିବା କାର୍ଯ୍ୟରେ କିଏ ସମ୍ପୃକ୍ତ ତାହା ଆଜି ଆର୍ଏସ୍ପିର ଶ୍ରମିକ ସମାଜ ଜାଣିସାରିଛନ୍ତି । ପ୍ଲାଣ୍ଟ ଠିକାଦାର ଓ ଠିକା ଶ୍ରମିକମାନଙ୍କ ଠାରୁ କେଉଁ ନେତା ଚାନ୍ଦା ଆଦାୟ କରୁଛନ୍ତି ତାହା ଆଉ କାହାରିକୁ ଅଛପା ନାହିଁ । ରିଂ ରୋଡ କଡରେ ଛୋଟ ଛୋଟ ଠେଲାରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ଠାରୁ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କେଉଁ ମହାନ ଶ୍ରମିକନେତା ଆଦାୟ କରୁଛନ୍ତି ତାହା ମଧ୍ୟ ଆଜି ସମସ୍ତେ ଜାଣି ସାରିଛନ୍ତି । ରାଉରକେଲା ଶ୍ରମିକ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସ୍ୱର୍ଗତ ପାଣିକର ବାବୁଙ୍କ ନେତୃତ୍ୱରେ ବିଭିନ୍ନ ନ୍ୟାୟପୂର୍ଣ୍ଣ ଶ୍ରମିକ ଆନ୍ଦୋଳନ ଓ ଶ୍ରମିକ ସମାଜର ହକ୍ ତଥା ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ କରି ଅନେକଥର ଚାର୍ଜସିଟ୍ ପାଇଛନ୍ତି ।

ସସ୍ପେଣ୍ଡ ମଧ୍ୟ ହୋଇଛନ୍ତି ଓ ଜେଲ୍ ମଧ୍ୟ ଯାଇଛନ୍ତି । ସିପିପି-୨କୁ ଘରୋଇକରଣରୁ ରକ୍ଷା କରିବା ପାଇଁ ଆନ୍ଦୋଳନ କରି ତାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍ଟିପିସି ସହ ଏକ ଯୁଗ୍ମ କମ୍ପାନୀ ଏନ୍ଏସ୍ପିସିଏଲ୍ରେ ପରିଣତ କରାଗଲା । ତକ୍ରାଳୀନ ଏନ୍ଡିଏ ସରକାର ସମୟରେ ସେଲ୍କୁ ଘରୋଇକରଣରୁ ରକ୍ଷା କରିବା ପାଇଁ ଦିଲ୍ଲୀର ଏୟାରପୋର୍ଟ ଅଡିଟୋରିୟମରେ ହୋଇଥିବା ଏଜିବି ବୈଠକରେ ଆନ୍ଦୋଳନ କରି ଏହାକୁ ବନ୍ଦ କରାଯାିଥିଲା ।

କିନ୍ତୁ ଶ୍ରୀ ବଳ କେତେଥର ଆନ୍ଦୋଳନ କରି ଜେଲ୍ ଯାଇଛନ୍ତି ନା ଚାର୍ଜସିଟ୍ ପାଇଛନ୍ତି? କେବଳ ଶ୍ରମିକ ସମାଜକୁ ବିଭ୍ରାନ୍ତ କରି ମିଥ୍ୟା ଓ କପୋଳ କଳ୍ପିତ ତଥ୍ୟ ଦେଇ ନିଜର ସଦସ୍ୟମାନଙ୍କ ମୁହଁରେ କଳାକନା ବୁଲାଇ ରାସ୍ତାରେ ଛିଡା କରେଇବା କ’ଣ ଏକ ଆନ୍ଦୋଳନ ନା ବିପ୍ଳବ ବୋଲି ଆର୍ଏସ୍ଏସ୍ ପ୍ରଶ୍ନ କରିଛି ।

ଆର୍ଆଇକେକେଏସ୍ ସ୍ୱୀକୃତି ପାଇବା ଦିନଠାରୁ ଆର୍ଏସ୍ପିର ତଥା ଶ୍ରମିକ ସମାଜର ଦୁଃଖ ଦୁର୍ଦ୍ଦଶା ବଢି ବଢି ଚାଲିଛି ଓ ଅନେକ ଆର୍ଥିକ କ୍ଷତି ହୋଇସାରିଲାଣି । ବର୍ତ୍ତମାନ ଏହି ଦୁର୍ଦ୍ଦଶାର ଅନ୍ତ ଓ ପତ୍ତନ ପାଇଁ ରାଉରକେଲା ଶ୍ରମିକ ସଂଘ ତାର କାର୍ଯ୍ୟକ୍ରମ ଜାରି ରଖିଛି । ଏଣୁ ଶ୍ରୀ ବଳ କାହାକୁ ବ୍ୟକ୍ତିଗତ ଆରୋପ ନ କରି ନିଜର ଆତ୍ମସମୀକ୍ଷା କରି ଶ୍ରମିକ ସମାଜ ଓ ଆର୍ଏସ୍ପିର ହିତ ପାଇଁ କାର୍ଯ୍ୟ କରିବାକୁ ଆର୍ଏସ୍ଏସ୍ ତରଫରୁ ଦିଲୀପ ମହାପାତ୍ର ପରାମର୍ଶ ଦେଇଛନ୍ତି ।

By amfnews

Related Post