Tue. Mar 10th, 2026

ଆତଙ୍କବାଦ ବିରୋଧରେ ବିଶ୍ୱବ୍ୟାପୀ କାର୍ଯ୍ୟାନୁଷ୍ଠାନ ଓ ପାକିସ୍ତାନକୁ କୂଟନୈତିକ ବାସନ୍ଦ କରିବାକୁ ସିଡିଏସ୍‌ ବିପିନ ରାଓ୍ଵତଙ୍କ ଆହ୍ଵାନ

166 Views

ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ଲାଗି ବିଶ୍ୱବ୍ୟାପୀ ମିଳିତ ଉଦ୍ୟମ ଏବଂ ପାକିସ୍ତାନକୁ କୂଟନୈତିକ ବାସନ୍ଦ କରିବାକୁ ଗୁରୁବାର ଦିନ ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ବିପିନ ରାଓ୍ଵତ ଆହ୍ଵାନ ଦେଇଛନ୍ତି।

ଜାତୀୟ ରାଜଧାନୀସ୍ଥିତି ‘ରାଇସିନା ଡାଇଲଗ୍‌’ରେ ଭାଷଣ ଦେଇ ସିଡିଏସ୍‌ ରାଓ୍ଵତ୍‌ କହିଲେ ଯେ ଆତଙ୍କବାଦର ଭବିଷ୍ୟତ ପାରମ୍ପରିକ ଯୁଦ୍ଧ ଭଳି ଜଟିଳ ହେବ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ଥିବାଯାଏଁ ଆତଙ୍କବାଦ ରହିବ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଦେଶ ସବୁ ପାଣ୍ଠି ଯୋଗାଣ ବନ୍ଦ ନ କରିବାଯାଏଁ ଆତଙ୍କବାଦ ଶେଷ ହେବନାହିଁ।

ଆତଙ୍କବାଦ ବିରୋଧରେ ଯୁଦ୍ଧ ଚାଲିଥିବ। ଏହାକୁ ନିର୍ମୂଳ ନ କରିବା ଯାଏଁ ଆମେ ଆତଙ୍କବାଦ ସହ ରହିଥିବା। କୂଟନୈତିକ ବାସନ୍ଦ ହେଉଛି ଆତଙ୍କବାଦକୁ ଶେଷ କରିବା ନିମନ୍ତେ ସର୍ବୋତ୍ତମ ପ୍ରତିକାର। ଏହି ବ୍ୟବସ୍ଥା କେବଳ ପାକିସ୍ତାନ ନିମନ୍ତେ ନୁହେଁ; ଯେଉଁ ଦେଶ ସବୁ ଏ ଭଳି କାମ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଉଚିତ। ‘ଅବ୍‌ଜର୍‌ଭର୍‌ ରିସର୍ଚ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ‘ରାଇସିନା ଡାଇଲଗ୍‌’ରେ ବିଶ୍ୱର ଅନ୍ୟାନ୍ୟ ଦେଶର ନେତାଙ୍କ ଉପସ୍ଥିତିରେ ଜେନେରାଲ୍‌ ରାଓ୍ଵତ୍‌ ଏ ଭଳି ମତପୋଷଣ କରିଛନ୍ତି।

By amfnews

Related Post