ଭୁବନେଶ୍ବର : ଏଣିକି ଅସାଧୁ ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ୍ ମେସିନ୍। ଡିଗ୍ରି କଲେଜଗୁଡ଼ିକରେ ଅଧ୍ୟାପକଙ୍କ ଉପସ୍ଥାନ କମୁଥିବାରୁ ବାୟୋମେଟ୍ରିକ ମେସିନ୍ ଲଗାଇବାକୁ ୨୦୧୮ରେ ଯୋଜନା ପ୍ରସ୍ତୁତ କରିଥିଲା ଉଚ୍ଚଶିକ୍ଷା ବିଭାଗ। ଅଧିକାଂଶ ସ୍ଥାନରେ ସଫଳତା ମିଳିଥିଲେ ମଧ୍ୟ ଅନେକ କଲେଜ ଏବେ ସୁଦ୍ଧା ନିୟମକୁ ପାଳନ କରିନାହାନ୍ତି। ତେବେ ଉଚ୍ଚଶିକ୍ଷା ବିଭାଗ ପରେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବି ଅସାଧୁ ଅଧ୍ୟାପକ ଓ କର୍ମଚାରୀଙ୍କ ଉପରେ ନଜର ରଖିବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ କାର୍ଯ୍ୟରତ ଅଧ୍ୟାପକଙ୍କ ଉପସ୍ଥାନର ସବିଶେଷ ତଥ୍ୟ ରଖିବ ବିଭାଗ। ଅଧ୍ୟାପକ ଓ କର୍ମଚାରୀମାନେ କେତେବେଳେ କଲେଜ ଆସୁଛନ୍ତି? କେତେବେଳେ କ୍ୟାମ୍ପସ୍ରୁ ଯାଉଛନ୍ତି? କେତୋଟି କ୍ଲାସ୍ ନେଉଛନ୍ତି?, ତାହାର ଟିକିନିଖି ତଦାରଖ କରାଯିବ।
କ୍ଲାସ୍ କରିବା ସମୟରେ ଅଧ୍ୟାପକମାନେ କୋଚିଂ ସେଣ୍ଟର୍ ଓ ଟ୍ୟୁସନ୍ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ନଜରକୁ ଆସିଥିଲା। ତାହାକୁ ଦୃଷ୍ଟିରେ ରଖି କିଛି ଦିନ ତଳେ ସରକାରୀ ଅଧ୍ୟାପକଙ୍କ ଟ୍ୟୁସନ୍ ଉପରେ କଟକଣା ଜାରି ହୋଇଥିଲା। ପୂର୍ବ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଚଳିତ ଶିକ୍ଷାବର୍ଷରୁ କଡ଼ାକଡ଼ି କରିବା ଦିଗରେ ନିଷ୍ପତ୍ତି ନିଆଯାଇଥିଲା। ଏବେ କ୍ୟାମ୍ପସ୍ରେ ବାୟୋମେଟ୍ରିକ ମେସିନ୍ ଲଗାଇ ଅଧ୍ୟାପକ ଓ କର୍ମଚାରୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ବାୟୋମେଟ୍ରିକ ମେସିନ୍ ଲଗାଇବାକୁ ଗତ ଫେବ୍ରୁଆରି ୧୫ରେ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୧୬୩୧ଟି କଲେଜକୁ ଚିଠି ଲେଖାଯାଇଥିଲା। ଏଥିରେ ସେଲ୍ଫ ଫାଇନାନ୍ସ କଲେଜ ବି ରହିଥିଲା।
୪୮୮ ବର୍ଗ କଲେଜ ଅଧ୍ୟାପକ, କର୍ମଚାରୀ ସମନ୍ବୟ ସମିତି ସଭାପତି ପବିତ୍ର ମହାଲାଙ୍କ କହିବା କଥା ହେଉଛି ଯେ ନିଷ୍ପତ୍ତିକୁ ବିରୋଧ କରାଯାଉନି। ତେବେ ବାୟୋମେଟ୍ରିକ୍ ଲଗାଇବା ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି। ଯଦି ଏଭଳି ନିଷ୍ପତ୍ତି ହେଉଛି, ତେବେ ଅଧ୍ୟାପକ ସଂଘ ସହ ଆଲୋଚନା କରନ୍ତୁ। କ୍ୟାମ୍ପସରେ ଉପସ୍ଥାନ ଅପେକ୍ଷା ଅଧ୍ୟାପକଙ୍କ ଲାଗି କ୍ଲାସ ଆଲର୍ଟମେଣ୍ଟ ଗୁରୁତ୍ବପୂର୍ଣ୍ଣ। ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ, ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା କଲେଜଗୁଡ଼ିକରେ ଇତି ମଧ୍ୟରେ ବାୟୋମେଟ୍ରିକ ମେସିନ୍ ଲାଗି ସାରିଛି। ଅଳ୍ପ କିଛି କଲେଜ ଏବେ ସୁଦ୍ଧା ଲଗାଇ ନାହାନ୍ତି।