Tue. Dec 24th, 2024

ଅନ୍ତଃରାଜ୍ୟ କାର୍‌ ଚୋରି ର‍୍ୟାକେଟ୍‌ ଠାବ : ୮ ଗାଡ଼ି ଜବତ, ୨ ଗିରଫ

By amfnews Jan 1, 2020 #Featured
129 Views

ଭୁବନେଶ୍ୱର : କମିସନରେଟ୍‌ ପୁଲିସ ସ୍ପେସାଲ ସ୍କ୍ବାଡ୍‌କୁ ବଡ଼ ସଫଳତା ମିଳିଛି। ଅନ୍ତଃରାଜ୍ୟ କାର୍‌ ଚୋରି ଏକ ରୢାକେଟ୍‌ର ଦୁଇ ଜଣଙ୍କୁ ଗିରଫ କରିବା ସହ ୮ଟି ଦାମୀ ଗାଡ଼ି ଜବତ କରିଛି। ଯାହାର ବଜାର ଦର ୨ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି। ଅଭିଯୁକ୍ତଦ୍ବୟ ହେଲେ, ଅନୁଗୁଳ ଛେଣ୍ଡିପଦା ଥାନା ଖମାରର ଚିନ୍ମୟ ସାହୁ ଓ ଝାରପଡ଼ା କେନାଲ ରୋଡ୍‌ ହନୁମାନ ମନ୍ଦିର ନିକଟରେ ରହୁଥିବା ଗୋପାଳ ମହାନ୍ତି। ଚିନ୍ମୟ ଏମ୍‌ସିଏ ପଢ଼ିଥିବା ବେଳେ ଗୋପାଳ ଏମ୍‌ବିଏ କରିଛନ୍ତି। ବିନା ଇନ୍‌ଭେଷ୍ଟମେଣ୍ଟରେ କୋଟି କୋଟି ଟଙ୍କା ଆୟ ଲୋଭରେ ଏମାନେ ଏଭଳି ବେପାର କରୁଥିଲେ। ଉଭୟଙ୍କୁ ସ୍ପେସା‌ଲ ସ୍କ୍ବାଡ୍‌ ଧରିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଏହାର ମାଷ୍ଟରମାଇଣ୍ଡ ‘ପାପା’କୁ ଠାବ କରାଯାଇଛି। ସେ କୋଲକାତାରେ ଅଛି। ତାକୁ ଧରିବା ପାଇଁ ଏକ ଟିମ୍‌ ଖୁବ୍‌ଶୀଘ୍ର କୋଲକାତା ଯିବ‌ ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି। ଜବତ ୮ଟି ଯାକ ଗାଡ଼ିରେ ପଶ୍ଚିମବଙ୍ଗର ପଞ୍ଜୀକରଣ ନମ୍ବର ରହିଛି। ମାଷ୍ଟରମାଇଣ୍ଡ ଧରା ପଡ଼ିଲେ ଆଉ କେତେକ ଗାଡ଼ି ଜବତ କରାଯାଇ ପାରିବ ବୋଲି କମିସନରେଟ୍‌ ପୁଲିସ ଆଶା ବାନ୍ଧିଛି।

ଚୋରି ପରେ ବଦଳୁଥିଲା ନମ୍ବର: କୋଲକାତାରୁ ଚୋରି ଗାଡ଼ି ଓଡ଼ିଶାରେ ଓ ଓଡ଼ିଶାରୁ ଚୋରି ଗାଡ଼ି କୋଲକାତା ଓ ଅନ୍ୟ ରାଜ୍ୟରେ ବିକ୍ରି ହେଉଥିଲା। ପ୍ରଥମେ ଗାଡ଼ି ଚୋରି ହେବା ପରେ ସେହି ମଡେଲ୍‌ର ଅନ୍ୟ ଗାଡ଼ି ଖୋଜା ଯାଉଥିଲା। ଏମ୍‌ ପରିବହନ ୱେବ୍‌ସାଇଟ୍‌ରେ ନମ୍ବର ଓ ମାଲିକଙ୍କ ବିବରଣୀ ଆଣି ନକଲି କାଗଜପତ୍ର ପ୍ରସ୍ତୁତ ହେଉଥିଲା। ଚୋରା ଗାଡ଼ିରେ ସେହି ନମ୍ବର ଲାଗୁଥିଲା। ତାହା ପୁଣି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍‌ ଭଳି ରହୁଥିଲା।

ସରକାରୀ ୱେବ୍‌ସାଇଟ୍‌ରେ ଏହି ଗାଡ଼ି ନମ୍ବର ଯାଞ୍ଚ କଲେ ମାଲିକ ନାମ ଓ ଗାଡ଼ିର ମଡେଲ୍‌ ବାବଦରେ ତଥ୍ୟ ମିଳୁଥିଲା। ଅର୍ଥାତ୍‌ ଗୋଟିଏ ନମ୍ବରରେ ଗୋଟିଏ ପ୍ରକାର ମଡେଲ୍‌ର ଦୁଇଟି ଗାଡ଼ି ହୋଇଯାଉଥିଲା। ଇଞ୍ଜିନ ଓ ଚେସିସ୍‌ ନମ୍ବରର କିଛି ଅଂଶକୁ ଚତୁରତାର ସହ ଲିଭାଇ ଦିଆଯାଉଥିଲା। ଫଳରେ ଗ୍ରାହକ ଜାଣି ପାରୁ ନ ଥିଲେ।

ପୁଲିସ କିଣିଲା ଚୋରାଗାଡ଼ି: ଜଣେ ପୁଲିସ ଅଫିସର୍‌ ଏକ ଚୋରା ଗାଡ଼ି କିଣିବା ପରେ ସମଗ୍ର ଘଟଣା ପଦାକୁ ଆସିଥିଲା। ସମ୍ପୃକ୍ତ ପୁଲିସ ଅଫିସର୍‌ ହେଲେ, ଖଣ୍ଡଗିରି ଥାନା ଏସ୍‌ଆଇ ସଞ୍ଜୟ କୁମାର ଷଣ୍ଢ। ଚିନ୍ମୟ ସୈନିକ ସ୍କୁଲ ଅଞ୍ଚଳରେ ଭଡ଼ା ଘରେ ରହୁଥିଲା। ସଞ୍ଜୟ ତା’ଠାରୁ ଏକ ଇନୋଭା କ୍ରିଷ୍ଟା(ଏଏସ୍‌-୦୧ବିଜେଡ୍‌୪୯୯୪)ଗାଡ଼ି କିଣିଥିଲେ। ପୁରୁଣା ଗାଡ଼ି ହିସାବରେ ଏହାର ଦର ୧୪ଲକ୍ଷ ଟଙ୍କା ଛିଣ୍ଡିଥିଲା। ସେ ଆଗୁଆ ୮ ଲକ୍ଷ ନେଇ ଫେରାର ହୋଇ ଯାଇଥିଲା। ଏନ୍‌ଓସି କମ୍ବା ଅନ୍ୟ କୌଣସି କାଗଜପତ୍ର ଦେଇ ନ ଥିଲା। ସନ୍ଦେହ ହେବାରୁ ସେ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସର୍ଭିସିଂ ବେଳେ ମିଳିଲା ସୁରାକ: ଏକ ଚୋରା ଗାଡ଼ିର ମାଲିକ ଗାଡ଼ି ସର୍ଭିସିଂ ପାଇଁ ଭୁବନେଶ୍ବରର ଏକ ସର୍ଭିସିଂ ସେଣ୍ଟର୍‌କୁ ଯାଇଥିଲେ। ଏହି ଗାଡ଼ି ନମ୍ବରରେ ଆଉ ଗୋଟିଏ ଗାଡ଼ି ଥିବା ଜାଣି ସନ୍ଦେହରେ ସର୍ଭିସିଂ ସେଣ୍ଟର କର୍ମଚାରୀ ପୁଲିସକୁ ଖବର ଦେଇଥିଲେ। ଇଞ୍ଜିନ ଓ ଚେସିସ୍‌ ନମ୍ବର ଯାଞ୍ଚ ବେଳେ ଉଖ୍ତ ଗାଡ଼ିଟି ଚୋରା ବୋଲି ଜଣାପଡ଼ିଥିଲା। ପୁଲିସ ତାକୁ ଜବତ କରିଥିଲା।

By amfnews

Related Post