Sat. Apr 27th, 2024

ନେତା ଭିତରେ ସାଧାରଣ ଜନତା ଆପଣାର ସ୍ୱପ୍ନ ଓ ଆଶାର ପ୍ରତିଫଳନ ଦେଖନ୍ତି

By amfnews Aug 16, 2018 #Featured
147 Views

ଯାଜପୁର,୧୬/୮ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାଶକ୍ତି ବଳରେ କେହି ନେତା ହୋଇ ଯାଏନାହିଁ । ନେତାଙ୍କ ବ୍ୟକ୍ତିତ୍ୱ ହିଁ ସାଧାରଣ ଲୋକଙ୍କ ଚେତନାରେ ଛାପ ଛାଡିଦିଏ । ସେମାନେ ନେତା ହାତରେ ସାମୁହିକ ଜୀବନର ନେତୃତ୍ୱ ସମର୍ପି ଦେଇ ନିଶ୍ଚିନ୍ତରେ ନିଦ୍ରା ଯାଅନ୍ତି ଏବଂ ସାମୁହିକ ଜୀବନରେ ସଙ୍କଟ ସମୟରେ ସେହି ନେତାର ଆହ୍ୱାନରେ ନିଦ୍ରା ତେଜି ସଙ୍କଟକୁ ସାମ୍ନା କରିବାକୁ ଏକାଠି ହୁଅନ୍ତି । ନେତା ହୋଇଯାଏ ସାଧାରଣ ଜନତାର ପଥପ୍ରଦର୍ଶକ ଓ ପ୍ରେରଣାର ପ୍ରତୀକ । ଲୋକେ ନେତା ଭାବେ ସ୍ୱୀକାର କରିଥିବା ବ୍ୟକ୍ତି ଭିତରେ ଆପଣାର ସ୍ୱପ୍ନ ଓ ଆଶାର ପ୍ରତିଫଳନ ଦେଖନ୍ତି ବୋଲି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି ।

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆଠାରେ ସ୍ୱାଭିମାନ ମଂଚ ତରଫରୁ ସ୍ୱାଧୀନତା ଦିବସ ଅବସରରେ ‘ସ୍ୱାଧୀନ ଭାରତରେ ରାଜନୈତିକ ଇଛାଶକ୍ତି ଓ ସାଧାରଣ ଜନତା’ ଶୀର୍ଷକ ଅନୁଷ୍ଠିତ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ସତୀଶ ପଟୁଣିଆ ଏବଂ ଚଉଷଠିପଡାରେ ଜାତୀୟ ପତାକା ଉତୋଳନ କରିଥିଲେ । ଅନୁଷ୍ଠିତ ଆଲୋଚନାରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି.ଜେ.ଡି ପ୍ରତିଷ୍ଠା ଦିବସରେ ନିଜର ପ୍ରତିପକ୍ଷକୁ କୌଣସି ପ୍ରକାର ସମାଲୋଚନା ନକରି ସେବା ପାଖରେ କ୍ଷମତା, ସମ୍ମାନ ଓ ସମ୍ପଦ ମୂଲ୍ୟହୀନ ବୋଲି ମତ ପ୍ରକାଶ କରିଥିଲେ । ଏଥିରୁ ରାଜନୀତିରେ ଥିବା ଜନପ୍ରତିନିଧି ଓ ଭାଗ୍ୟବିଧାତାମାନେ ଅନ୍ତତ କିଛି ଶିଖିବା କଥା ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜନପ୍ରତିନିଧିମାନେ ସମ୍ପତି ଆହରଣ ମାନସିକତାରୁ ନିବୃତି ରହିବାକୁ ଆହ୍ୱାନ ଦେଇଥିଲେ । ଜନପ୍ରତିନିଧି ନିଜ ସୁଖ, ସମୃଦ୍ଧିକୁ ଗୁରୁତ୍ୱ ଦେଲେ, ସରକାରୀ ଯୋଜନା ବାଟବଣା ହେବା ସହ ଦୁର୍ନିତି ବ୍ୟାପିବା ଦ୍ୱାରା ସାଧାରଣ ଜନତା ଅସହାୟ ହେଉଛନ୍ତି । ସମାଜର ପଛରେ ପଡିଯାଇଥିବା ମଣିଷର ବିକାଶ ଓ ସମୃଦ୍ଧି ମହାତ୍ମାଗାନ୍ଦୀଙ୍କ ଲକ୍ଷ ଥିଲା ଏହା ହିଁ ବାସ୍ତବ ବିକାଶ ବୋଲି ସେ ମତ ପ୍ରକାଶ କରିଛନ୍ତି । ରମେଶ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସମାଜସେବୀ ଗୁରୁଚରଣ ସାମଲ ସ୍ୱାଗତ ଭାଷଣ ଦେଇଥିଲେ ।

ଏଥିରେ ବରିଷ୍ଠ ସଂଗଠକ ବଟକୃଷ୍ଣ ନାୟକ, ନାରାୟଣ ସାମନ୍ତରାୟ, ହରିହର ଗନ୍ତାୟତ, ଭରତ ଚନ୍ଦ୍ର ଗନ୍ତାୟତ, କାହ୍ନୁ ଚରଣ ରାଉତ, ତାପସ ରାଉତ, ପଙ୍କଜ ସାମଲ, ନାରାୟଣ ଦଳାଇ, ପ୍ରତାପ ଦଳାଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଚଉଷଠିପଡା ନଟିଲୋରେ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ର ମାନବ ସମାଜ ପାଇଁ ଅତ୍ୟାବଶୀକ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଦେବ ପ୍ରସାଦ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ପ୍ରଦୀପ ମହାନ୍ତି ପ୍ରାରମ୍ବିକ ସୂଚନା ଦେଇଥିବା ବେଳେ କାର୍ତିକ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ମନୋଜ ସାହୁ, ମନୋଜ ବେହେରା, ପ୍ରମୋଦ ପଣ୍ଡା, ନିରଂଜନ ବେହେରା, ସୁଶାନ୍ତ ପ୍ରଧାନ, କୁସୁମ ବେହେରା, ଗଙ୍ଗାଧର ମଳିକ, ସୁବାଷ ମଳିକ, ବସନ୍ତ ଜେନା, ନଣ୍ଡା ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

By amfnews

Related Post