ଭୁବନେଶ୍ବର : ଫଳପ୍ରସୂ ମାଟିକୁ ବଞ୍ଚାଇବା ପାଇଁ ହଜାର ହଜାର ଗ୍ରାମବାସୀ ବର୍ଷବର୍ଷ ଧରି ସଂଘର୍ଷ କରି ପୋସ୍କୋକୁ ତଡ଼ିଲେ। ପରିବେଶ ପ୍ରଦୂଷଣ ଜନିତ ଭୟାବହତା ଓ ଜୀବିକା ହରାଇବାର ଆଶଙ୍କା ଯୋଗୁଁ ଗ୍ରାମବାସୀମାନେ ବିରୋଧ କରିବାରୁ ପୋସ୍କୋ ଫେରିଯିବାକୁ ବାଧ୍ୟ ହେଲା। ଫଳରେ ଅର୍ଥକରୀ ଫସଲ କରି ଜୀବିକା ନିର୍ବାହ କରୁଥିବା ଚାଷୀକୂଳଙ୍କ ମରି ଆସୁଥିବା ଆଶା ପୁଣି ଉଜ୍ଜୀବିତ ହୋଇଥିଲା। ଅଥଚ ଏବେ ସେଇ ନିର୍ଦିଷ୍ଟ ସ୍ଥାନରେ ପରିବେଶ ପାଇଁ ଆହୁରି ଅଧିକ କ୍ଷତିକାରକ ହେବାକୁ ଯାଉଥିବା ଜେଏସ୍ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ କରି ସରକାର ପୁଣି ବିପଦକୁ ଡାକୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଜଗତସିଂହପୁର ଜିଲ୍ଲାର ଢିଙ୍କିଆ, ଗୋବିନ୍ଦପୁର, ନୂଆଗାଁ, ବୟନାଳକଣ୍ଡା, ପୋଲାଙ୍ଗ ଓ ଜଟାଧର ଅଞ୍ଚଳର ପ୍ରାୟ ୨୭୦୦ ଏକର ଜଙ୍ଗଲ କିସମ ଜମି ପୋସ୍କୋ ସମୟରେ ଅଧିଗ୍ରହଣ କରାଯାଇଥିଲା। ଯଦିଓ ଗ୍ରାମବାସୀଙ୍କ ବିରୋଧ ପରେ ପୋସ୍କୋ ହଟିଗଲା, କିନ୍ତୁ ଗତବର୍ଷ ସରକାର ଏଠାରେ ଜେଏସ୍ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍କୁ ଜମି ଦେବା ପାଇଁ ଯୋଜନା କରିଛନ୍ତି। ଯୋଜନା ମୁତାବକ, ଏହି ପ୍ରକଳ୍ପ ଦ୍ବାରା ଜଟାଧାରୀ ବନ୍ଦର, ଷ୍ଟିଲ୍ ପ୍ଲାଣ୍ଟ୍, ସିମେଣ୍ଟ୍ ପ୍ଲାଣ୍ଟ୍, ରୋଲ୍ ମିଲ୍ ସହ ୯୦୦ ମେଗାୱାଟ୍ର ବଡ଼ ଥର୍ମାଲ୍ ପାୱାରପ୍ଲାଣ୍ଟ୍ ସ୍ଥାପନ ହେବ। ଯଦି ଏହା ହୁଏ, ସିମେଣ୍ଟ୍ ଓ ଲୁହା କାରଖାନାରୁ ନିର୍ଗତ ଧୂଆଁ ସାଙ୍ଗକୁ କୋଇଲା ଗୁଣ୍ଡ ଦ୍ବାରା ଆକାଶ, ସାଗର ଓ ଜଳାଶୟ ପ୍ରଦୂଷିତ ହେବ। ଉତ୍ତାପ ଅତିଶୟ ବୃଦ୍ଧି ପାଇ ଲୋକେ ତତଲା କଡ଼େଇରେ ଭାଜି ହେବା ସଦୃଶ ସମସ୍ୟା ସୃଷ୍ଟି ହେବ ବୋଲି ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି।
ଶ୍ରୀ ସାମନ୍ତରାୟଙ୍କ ଅଭିଯୋଗ ମୁତାବକ, ୨୦୧୩ ଜମି ଅଧିଗ୍ରହଣ ଓ ନ୍ୟାୟୋଚିତ କ୍ଷତିପୂରଣ ଆଇନ ଅନୁଯାୟୀ, ଉକ୍ତ ଜମି ଯେଉଁ ପ୍ରକଳ୍ପ ପାଇଁ ନିଆଯାଇଥାଏ, ଯଦି ସେଇ ଜମିରେ ୫ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ନହୁଏ, ତେବେ ସେଇ ଜମି ଚାଷୀଙ୍କୁ ଫେରାଇ ଦେବା ଆଇନସମ୍ମତ। ମାତ୍ର ଏହା କରାନଯାଇ ପୁଣି ଏଇ ଜମିରେ ଆଉ ଏକ କମ୍ପାନି କରିବାକୁ ଯେଉଁ ଚକ୍ରାନ୍ତ ଚାଲିଛି, ତାହା ସଫଳ ହେବାକୁ ଦିଆଯିବ ନାହିଁ। ଢିଙ୍କିଆ ଅଞ୍ଚଳର ଆନ୍ଦୋଳନକାରୀ ମନୋରମା ଖଟୁଆ ଓ ଟୁନା ମହାନ୍ତି କହିଛନ୍ତି, ଏଇ ଅଞ୍ଚଳର ମାଟିରେ ୯୫ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି ଚଳନ୍ତି। ଏଠାରେ ଚାଷ ହେଉଥିବା ମୁଖ୍ୟ ଅର୍ଥକରୀ ଫସଲ ‘ପାନ’ ଅମଳର ୨ ମାସ ପରେ ମଧ୍ୟ ସତେଜ ରହୁଥିବାରୁ ଏହାର ଚାହିଦା ଢେର୍ ରହିଛି। ମୁମ୍ବାଇକୁ ପାନ ରପ୍ତାନି କରାଯାଉଥିବା ବେଳେ ମୁମ୍ବାଇରୁ ଏହା ବିଦେଶକୁ ମଧ୍ୟ ପଠା ଯାଉଛି। ଏପରିକି ବାହାରୁ ଲୋକେ ଆସି ଏଇ ଅଞ୍ଚଳରେ ଦୈନିକ ୫ଶହ ଟଙ୍କା ମଜୁରି ନେଇ ପାନ ବରଜରେ କାମ କରୁଛନ୍ତି। ସେଇଭଳି ଧାନ ଚାଷ ଭଲ ହେଉଥିବା ବେଳେ ମାଛ ଚାଷ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି କରିଆସିଛି। ତେଣୁ ଏହି ଜମିକୁ କମ୍ପାନି ନେଇଗଲେ କେବଳ ମୌଳିକ ଜୀବିକା ଉଜୁଡ଼ି ଯିବ ନାହିଁ, ବରଂ ପରିବେଶର ଅବସ୍ଥା ଏତେ ଭୟଙ୍କର ହେବ ଯେ ଗ୍ରାମବାସୀଙ୍କୁ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ସରକାର ଏସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଏଠାରେ କମ୍ପାନି ସ୍ଥାପନ ଯୋଜନା ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।
ଅଖିଳ ଭାରତ ଜନମଞ୍ଚର ଆବାହକ ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ କହିଛନ୍ତି, ଯଦି ଏଠାରେ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ, ୮ରୁ ୧୦ଲକ୍ଷ ବୃକ୍ଷ ବଳି ପଡ଼ିବ। ୫୦ ହଜାରରୁ ଅଧିକ ଗ୍ରାମବାସୀ ଜୀବିକା ହରାଇବା ସହ ସେମାନଙ୍କ ଜୀବନ ବିପନ୍ନ ହେବ। ତେଣୁ ସରକାର ସମ୍ପୃକ୍ତ ଅଞ୍ଚଳରେ ପରିବେଶ ପାଇଁ ଯେଉଁ ଜନଶୁଣାଣି କରିବାକୁ ଯାଉଛନ୍ତି, ତାକୁ ବାତିଲ୍ କରନ୍ତୁ। ନଚେତ୍ ପୋସ୍କୋକୁ ଯେଭଳି ବିରୋଧ କରାଯାଇଥିଲା, ଏବେ ନୂତନ ପ୍ରସ୍ତାବିତ ପ୍ରକଳ୍ପକୁ ମଧ୍ୟ ସେପରି ଦୃଢ଼ ବିରୋଧ କରାଯିବ। ଏପରିକି ଜନ ଶୁଣାଣିକୁ ମଧ୍ୟ ବିରୋଧ କରାଯିବ ବୋଲି ଢିଙ୍କିଆ ଗ୍ରାମର ଆନ୍ଦୋଳନକାରୀ ଟୁନା ମହାନ୍ତି କହିଛନ୍ତି।