ରାଉରକେଲା, ୨୫ା୮: ଏସ୍ଟିଆଇ ଛକ ସ୍ଥିତ ୱେୟାର ହାଉସ୍ ଗୋଦାମ ଛାତରୁ ପଡି ଜଣେ ଠିକାଦାରଙ୍କ ଅକାଳ ବିୟୋଗ ହୋଇଛି । ଠିକାଦାରଙ୍କ ସବ ମର୍ଗହାଉସରେ ରଖାଯାଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକେ ଶବ ଗ୍ରହଣ କରୁନାହାନ୍ତି । ଯାଜପୁର ଅଞ୍ଚଳର ମୂଳବାସିନ୍ଦା ପ୍ରେମାନନ୍ଦ ଧଳ (୬୫) ଉଦିତନଗର ସେଲ୍ଟ୍ୟାକ୍ସ କଲୋନୀ ବସ୍ତିରେ ରହନ୍ତି । ସେ ଆଜବେଷ୍ଟସ୍ ଠିକାଦାର ଭାବେ କାମ କରନ୍ତି ।
ଏସଟିଆଇ ଛକସ୍ଥିତ ୱେୟାର ହାଉସ୍ ଗୋଦାମର ଆଜବେଷ୍ଟସ୍ ଛାତରୁ ପାଣି ଗଲୁଥିଲା । ଛାତ ଉପରେ ପିଚୁ ସିଟ୍ ପକାଇବା ପାଇଁ ୱେୟାର ହାଉସ୍ ଗୋଦାମ ପକ୍ଷରୁ ତାଙ୍କୁ ଠିକା ଦିଆଯାଇଥିଲା । ସ୍ୱର୍ଗତ ଧଳଙ୍କ କର୍ମଚାରୀମାନେ ଆଜବେଷ୍ଟସ୍ ଉପରେ ଚଢି ପିଚୁ ବିଛାଇବା କାମ କରୁଥିବା ବେଳେ ପ୍ରେମାନନ୍ଦ ଆଜବେଷ୍ଟସ୍ ଉପରେ ଚଢି ପିଚୁ ବିଛାଇବା କାର୍ଯ୍ୟ ତଦାରଖ କରୁଥିଲେ । ଦୁର୍ଭାଗ୍ୟବଶତଃ ଛାତର ଆଜବେଷ୍ଟସ୍ ଭାଙ୍ଗି ଯିବାରୁ ସେ ଗୋଦାମ ଭିତରକୁ ଖସି ପଡିଥିଲେ । ଫଳରେ ଠିକାଦାର ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଆର୍ଜିଏଚ୍ ଓ ପରେ କେଟିଏଚ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଟେକ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ପକ୍ଷରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କର ଶବ ଗ୍ରହଣ କରନଥିବା ଖବର ମିଳିଛି । ଏ ସମ୍ପର୍କରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।